ନୂଆଦିଲ୍ଲୀ: କର୍ଣ୍ଣାଟକର ଏସଡିଏମ ମେଡିକାଲ କଲେଜରେ ୬୬ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏକାସାଙ୍ଗରେ ଏତେଜଣ ପିଲା କରୋନା ପଜିଟିଭ ଚିହ୍ନଟ ହେବା ଖବର ପ୍ରଶାସନକୁ ଚିନ୍ତାରେ ପକାଇଛି। ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇ କଲେଜ ବିଲଡିଂର ଦୁଇଟି ହଷ୍ଟେଲ ସିଲ କରି ଦେଇଛି। ଏହି କଲେଜରେ ପାଖାପାଖି ୪୦୦ଜଣ ଛାତ୍ରଛାତ୍ରୀ ପାଠପଢ଼ୁଥିଲେ। ସୂଚନାଯୋଗ୍ୟ, ଯେମିତି ହିଁ କିଛି ଛାତ୍ର କରୋନା ପଜିଟିଭ ବୋଲି ଚିହ୍ନଟ ହୋଇଥିଲେ ତୁରନ୍ତ ମେଡିକାଲ କଲେଜ ଦ୍ବାରା ସମସ୍ତଙ୍କ କରୋନା ପରୀକ୍ଷା କରାଯାଇଥିଲା। ଏଯାବତ ୩୦୦ଜଣ ଛାତ୍ରଛାତ୍ରୀଙ୍କ କରୋନା ପରୀକ୍ଷା ହୋଇସାରିଛି। ଏଥିମଧ୍ୟରୁ ୬୬ଜଣଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ଏହାପୂର୍ବରୁ ବି ଅନେକ ସ୍କୁଲ ଓ କଲେଜରେ କରୋନା ବିସ୍ଫୋରଣ ହୋଇଥିବା ଖବର ମିଳିଥିଲା। ଗତ କିଛିଦିନ ତଳେ ରାଜସ୍ଥାନର ଉଦୟପୁରର ଏକ ସ୍କୁଲରେ ୧୧ଜଣ ଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ତେଲେଙ୍ଗାନାର ଏକ ସ୍କୁଲରେ ୨୮ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମଣର ଶିକାର ହୋଇଥିଲେ। ଏଥିସହିତ ଓଡ଼ିଶାରେ ବି ପିଲାଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ ଚିହ୍ନଟ ହୋଇଛି। ତେବେ ଏଯାବତ କରୋନା ତୃତୀୟ ଲହର ଆସିନାହିଁ। କିନ୍ତୁ ଏଭଳି ସମୟରେ ପିଲାଙ୍କ କ୍ଷେତ୍ରରେ କରୋନା ପଜିଟିଭ ମାମଲା ସାମ୍ନାକୁ ଆସିବା ଭଲ ସଙ୍କେତ ନୁହେଁ ବୋଲି କୁହାଯାଉଛି। ଯେବେଠାରୁ ପ୍ରତ୍ୟେକ ରାଜ୍ୟରେ ସ୍କୁଲ-କଲେଜ ଖୋଲିଛି ସେବେଠାରୁ କରୋନା ମାମଲା ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି।
ମେଡିକାଲ କଲେଜର ୬୬ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ

Share Now: