ଆସନ୍ତା କାଲି ରାଜଧାନୀରେ ଗର୍ଜିବେ ବିଜେଡି, ବିଜେପି : ସୁରକ୍ଷା ପାଇଁ ପୁଲିସ୍‌ର ବ୍ୟାପକ ବନ୍ଦୋବସ୍ତ

ରାଜଧାନୀରେ ଗର୍ଜିବେ ବିଜେଡି, ବିଜେପି

କୋଭିଡ୍ କଟକଣା ପାଳନ ହୋଇପାରିବ ତ …?

ଭୁବନେଶ୍ୱର : ବିଧାନସଭା ଅଧିବେଶନ ଚାଲିପାରୁନି। ଶାସକ ଓ ବିରୋଧୀ ପରସ୍ପରକୁ ଦୋଷାରୋପରେ ବ୍ୟସ୍ତ। ବିଧାନସଭା ପରିସରରେ ବାକ୍ ଯୁଦ୍ଧ ଚାଲିଥିଲା ବେଳେ ରାଜଧାନୀ ରାସ୍ତାରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ବିଜେଡି ଓ ବିଜେପି। ଆସନ୍ତା ୯ ତାରିଖରେ ଦୁଇ ଦଳ ରାଜଧାନୀରେ ବିଶାଳ ସମାବେଶ ଓ ଶୋଭାଯାତ୍ରା ଆୟୋଜନ କରିବାକୁ ଯାଉଛନ୍ତି। ଏହାକୁ ନେଇ ରାଜଧାନୀର ରାଜନୀତି ବେଶ୍ ସରଗରମ ହୋଇ ଉଠିଛି। ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ବିଜେପି ପାଖାପାଖି ଦୁଇ ମାସ ହେଲା ଆନ୍ଦୋଳନ ଜାରି ରଖିଛି। ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କୁ ବହିଷ୍କାର ଓ ସିବିଆଇ ତଦନ୍ତ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ଆନ୍ଦୋଳନକୁ ଜୋର୍‌ଦାର କରିବା ପାଇଁ ଆସନ୍ତା ୯ ତାରିଖରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଧାନସଭା ଘେରାଉ ଡାକରା ଦିଆଯାଇଛି। ଏଥିରେ ୧୦ ହଜାରରୁ ଅଧିକ ଲୋକଙ୍କୁ ଏକାଠି କରିବାକୁ ଦଳ ଯୋଜନା କରିଛି। ଏଥି ପାଇଁ ବିଭିନ୍ନ ସ୍ତରରେ ପ୍ରସ୍ତୁତି ବୈଠକ ଜାରି ରହିଛି। ସବୁ ଜିଲ୍ଲାରୁ କର୍ମୀ ଯେପରି ଆସିବେ, ସେଥିପାଇଁ ଦାଇତ୍ୱ ବାଣ୍ଟି ଦିଆଯାଇଛି। ରାମମନ୍ଦିର ଛକରୁ ଏକ ଶୋଭାଯାତ୍ରା ବାହାରି ମାଷ୍ଟର୍ କ୍ୟାଣ୍ଟିନ୍ ଦେଇ ପିଏମ୍‌ଜି ଅଭିମୁଖେ ଯିବ। ସେଠାରେ ନେତାମାନେ ଉଦ୍‌ବୋଧନ ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିବେ। ଏହି କାର୍ଯ୍ୟକ୍ରମରେ ଦଳର ସବୁ ବରିଷ୍ଠ ନେତା, ବିଧାୟକ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।
ବିଜେପିକୁ କଡ଼ା ଟକ୍କର୍ ଦେବା ପାଇଁ ସେହି ୯ ତାରିଖରେ ହିଁ ବିଜେଡି କେନ୍ଦ୍ର ବିରୋଧରେ ଯୁଦ୍ଧ ଡାକରା ଦେଇଛି। ଦଳର ଯୁବ, ଛାତ୍ର ଓ ମହିଳା ଶାଖା ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ଆୟୋଜନ କରାଯାଉଛି। ତିନି ଛାମୁଆ ସଂଗଠନର କର୍ମୀମାନେ ଯେପରି ସବୁ ଜିଲ୍ଲାରୁ ଆସିବେ, ସେଥିପାଇଁ ଜିଲ୍ଲା ସଭାପତିମାନଙ୍କୁ ଦାଇତ୍ୱ ଦିଆଯାଇଛି। ପ୍ରତିଦିନ ଭିଡିଓ କନଫେରେନ୍ସିଂ ଜରିଆରେ ଦଳର ବରିଷ୍ଠ ନେତାମାନେ ଏହାର ପ୍ରସ୍ତୁତିର ତଦାରଖ କରୁଛନ୍ତି। ବିଜେଡି ଶୋଭାଯାତ୍ରାରେ ମଧ୍ୟ ୨୦ ହଜାରରୁ ଅଧିକ ଲୋକଙ୍କୁ ଏକାଠି କରିବା ପାଇଁ ଆବଶ୍ୟକ ଯୋଜନା କରାଯାଇଛି। ଭୁବନେଶ୍ୱରର ତିନି ବିଧାୟକଙ୍କୁ ଅଧିକ ଲୋକଙ୍କୁ ଏକାଠି କରିବାକୁ କୁହାଯାଇଛି। ବିଜେଡି ଶୋଭାଯାତ୍ରା ନିକୋ ପାର୍କ ଛକରୁ ବାହାରି ସଚିବାଳୟ ମାର୍ଗରେ କେଶରୀ ହଲ୍ ସାମ୍ନା ଯାଏ ଯିବ। ୯ ତାରିଖରେ ଏହି ସମାବେଶ ଆୟୋଜନ କରାଯାଉଥିବାରୁ ୮ ତାରିଖରେ ହେବାକୁ ଥିବା ଭୁବନେଶ୍ୱର ସାଂଗଠନିକ ଜିଲ୍ଲାର ଯୁବ-ଛାତ୍ର ସମ୍ମିଳନୀକୁ ବାତିଲ କରିଦିଆଯାଇଛି। ଗୋଟିଏ ଦିନରେ ଦୁଇଟି ପ୍ରମୁଖ ରାଜନୈତିକ ଦଳର ସମାବେଶ ଏବେ ପୁଲିସକୁ ଚିନ୍ତାରେ ପକାଇ ଦେଇଛି। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ଉଭୟ ଦଳ ମଧ୍ୟରେ ରାଜନୈତିକ ଲଢ଼େଇ ଜୋର୍‌ଦାର ହୋଇଛି। ତେଣୁ ସମାବେଶ ଦିନ ଉଭୟ ଦଳର କର୍ମୀ ମୁହାଁମୁହିଁ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ତେଣୁ ପୁଲିସ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି କରାଯାଉଛି। ଆଜି କମିସନରେଟ୍ ପୁଲିସର ବରିଷ୍ଠ ଅଧିକାରୀମାନଙ୍କର ଏକ ପ୍ରସ୍ତୁତି ବୈଠକ ବସିଥିଲା। ସମାବେଶ ଦିନ ସୁରକ୍ଷା ପାଇଁ ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ। ଏହା ସହ ପ୍ରାୟ ୧୨ ଏସିପି, ୪ ମହିଳା ଡିଏସ୍‌ପି, ୩୦ ଇନ୍ସପେକ୍ଟର, ୬୦ରୁ ଅଧିକ ଏସ୍ଆଇ/ଏଏସ୍ଆଇ, ୮୦ ମହିଳା କନେଷ୍ଟବଳ ନିୟୋଜିତ ହେବେ। ଉଭୟ ଦଳର ଗାଡ଼ି ପାର୍କିଂ ପାଇଁ ପୁଲିସ ପକ୍ଷରୁ ଭିନ୍ନ ଜାଗା ଚିହ୍ନଟ କରାଯାଇଛି। ବିଜେଡି କର୍ମୀମାନେ ସ୍ୱାଧୀନତା ସଂଗ୍ରାମୀ ସଦନ ପଡ଼ିଆ ଓ ବିଜେପି କର୍ମୀମାନେ ପ୍ରଦର୍ଶନୀ ପଡ଼ିଆରେ ଗାଡ଼ି ପାର୍କିଂ କରିବେ। ତେବେ କୋଭିଡ୍ ପାଇଁ ଅଧିକ ଲୋକ ସମାବେଶ ଉପରେ ସରକାର ଅଙ୍କୁଶ ଲଗାଇଥିଲା ବେଳେ ଗୋଟିଏ ସହରରେ ଗୋଟିଏ ଦିନରେ କିପରି ଦୁଇ ଦୁଇଟି ବଡ଼ ସମାବେଶ ପାଇଁ ଅନୁମତି ଦିଆଯାଇଛି, ତାହାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିରେ ସରକାରଙ୍କ ତଥାକଥିତ କୋଭିଡ୍ କଟକଣା ପାଳନ ହୋଇପାରିବ ତ …?

Share Now:

Kalinga News Beuro

Next Post

୧୦୧ କିଲୋ ଗଞ୍ଜେଇ ଜବତ :୨ ଗିରଫ

Wed Dec 8 , 2021
ମାଲକାନଗିରି : ମାଲକାନଗିରି ଥାନା ପକ୍ଷରୁ ଚଢାଉ କରାଯାଇ ୧୦୧ କିଲୋ ଗଞ୍ଜେଇ ଜବତ କରାଯିବା ସହ ୨ ଜଣ ଆସାମୀକୁ ଗିରଫ କରାଯାଇଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିଶେଷ ସୂତ୍ରରୁ ଖବରର ପାଇ ମାଲକାନଗିରି ଥାନା ଆଇଆଇସି ରାମ ପ୍ରସାଦ ନାଗ କୋରକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟ୍ରେଲ ଛକ ନିକଟରେ ଦୁଇ ଜଣ ବ୍ୟକ୍ତି ଗଞ୍ଜେଇ ବ୍ୟାଗ ଧରି ବାହାରକୁ ଯିବାକୁ ପ୍ରସ୍ତୁତ ହେଉଥିବାବେଳେ ପୁଲିସ […]
୧୦୧ କିଲୋ ଗଂଜେଇ ଜବତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial