ରବିବାର ସନ୍ଧ୍ୟାରେ କଳିଙ୍ଗପଟ୍ଟନମ୍‌ରେ ଲ୍ୟାଣ୍ଡଫଲ୍‌ କରିପାରେ ବାତ୍ୟା ‘ଗୁଲ୍‌-ଆବ୍‌’

ଆସୁଛି ବାତ୍ୟା ‘ଗୁଲ୍‌-ଆବ୍‌’

ଘଣ୍ଟାପ୍ରତି ୯୦ କିମି ବେଗରେ ଝଟ୍‌କା ଦେବ-କନ୍ଧମାଳ, ଗଞ୍ଜାମ, ରାୟଗଡ଼ା ଓ ଗଜପତି ଜିଲ୍ଲାକୁ ବିପଦ

ଭୁବନେଶ୍ବର : ଏ ବର୍ଷ ଦ୍ବିତୀୟ ଥର ପାଇଁ ବାତ୍ୟାର ସମୁଖୀନ ହେବାକୁ ଯାଉଛି ଓଡ଼ିଶା। ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ତଥା ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଗତକାଲି ରାତିରେ ଅବପାତରେ ପରିଣତ ହୋଇଛି। ଆଜି ଶନିବାର ସକାଳ ସୁଦ୍ଧା ଏହା ଗଭୀର ଅବପାତ‌ରେ ପରିଣତ ହୋଇ ସ୍ଥଳଭାଗମୁହାଁ ହୋଇଛି ଏବଂ ସମୁଦ୍ର ଭିତରେ ବାତ୍ୟା‌ର ରୂପ ନେଉଛି। ଏହି ବାତ୍ୟାର ନାମକରଣ ‘ଗୁଲ୍‌-ଆବ୍‌’ ରଖାଯାଇଛି। ୨୬ ତାରିଖ ଅର୍ଥାତ ରବିବାର ସନ୍ଧ୍ୟା ସୁଦ୍ଧା ଏହା ଓଡ଼ିଶାର ଦକ୍ଷିଣ ଉପକୂଳ ଗୋପାଳପୁର ଓ ଆନ୍ଧ୍ରପ୍ରଦେଶର ଉତ୍ତର ଉପକୂଳ ବିଶାଖାପାଟଣା ମଧ୍ୟ ଦେଇ ସ୍ଥଳଭାଗ ଅତିକ୍ରମ କରିବ। ସ୍ପଷ୍ଟ ଭାବେ କହିବାକୁ ଗଲେ ଆନ୍ଧ୍ରର କଳିଙ୍ଗପଟ୍ଟନମ୍‌ ନିକଟରେ ଏହା ସ୍ଥଳଭାଗ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।
ଭାରତୀୟ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଶୁକ୍ରବାର ରାତି ୮ଟା ସୁଦ୍ଧା ଏହା ଗୋ‌ପାଳପୁରଠାରୁ ୬୭୦ କିମି ଓ କଳିଙ୍ଗପଟ୍ଟନମ୍‌ଠାରୁ ୭୪୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି। କଳିଙ୍ଗପଟ୍ଟନମ୍‌ ନିକଟରେ ସ୍ଥଳଭାଗ ଛୁଇଁଲା ବେଳକୁ ଏହା ଅଧିକ ଘନୀଭୂତ ହୋଇ ଅବପାତରୁ ‘ବାତ୍ୟା’ର ରୂପ ନେବ। ତେବେ ବାତ୍ୟା ‘ଗୁଲ୍‌-ଆବ୍‌’ର ପ୍ରକୋପ ବିଶେଷ ଅଧିକ ରହିବ ନାହିଁ। ଲ୍ୟାଣ୍ଡଫଲ୍‌ ସମୟରେ ଘଣ୍ଟାପ୍ରତି ପବନର ବେଗ ୭୦ରୁ ୮୦ କିମି ରହିବ। ସ୍ଥଳବିଶେଷରେ ୯୦ କିମି ବେଗରେ ଝଟ୍‌କା ଦେବ। ଏହାର ପ୍ରଭାବରେ ୨୫ ତାରିଖ ରାତିଠାରୁ ଓଡ଼ିଶା ଉପକୂଳ ଯଥା ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ଲାଗିରହିବ। ତାହାକୁ ନଜରରେ ରଖି ପାଣିପାଗ ବିଭାଗ ପକ୍ଷରୁ ଉକ୍ତ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ବାତ୍ୟା ସ୍ଥଳଭାଗକୁ ସ୍ପର୍ଶ କରିବା ସମୟରେ କନ୍ଧମାଳ, ଗଞ୍ଜାମ, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ଅତିରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟରେ କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷାର ଆଶଙ୍କା ରହିଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ତେବେ ଏହି ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ଏତେଟା ପଡ଼ିବ ନାହିଁ ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି। ସେ କହିଛନ୍ତି ଯେ ଆମେରିକାର ଜେଟିସି ମଡେଲର ଆକଳନ ଅନୁସାରେ ଗତକାଲି ଅପରାହ୍ନ ସାଢ଼େ ୧ଟା ସୁଦ୍ଧା ଲଘୁଚାପଟି ବାତ୍ୟା ରୂପ ନେଇଛି। ସଂଧ୍ୟା ସାଢ଼େ ୫ଟାରେ ପବନର ‌ବେଗ ଘଣ୍ଟାପ୍ରତି ୭୨ କିମି ରହିଥିବା ବେଳେ ୮୭ କିମି ବେଗରେ ପବନର ଝଟ୍‌କା ରହିଛି। ଘଣ୍ଟାପ୍ରତି ୭ କିମି ବେଗରେ ଏହା ପଶ୍ଚିମ ଆଡ଼କୁ ମୁହାଁଉଛି। କ୍ରମଶଃ ଘନୀଭୂତ ହୋଇ ୨୬ ତାରିଖ ସଂଧ୍ୟା ବେଳକୁ ସ୍ଥଳଭାଗ ସ୍ପର୍ଶ କରିବା ବେଳକୁ ଦୁର୍ବଳ ହୋଇଯିବ। ଫଳରେ ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ। ପାଗ ମେଘୁଆ ରହିବ ଓ ଗଞ୍ଜାମ ଉପକୂଳରେ ପବନର ବେଗ ଅପେକ୍ଷାକୃତ ଅଧିକ ରହିବ। ଅନ୍ୟପକ୍ଷରେ ଇସିଏମ୍‌ଡବ୍ଲ୍ୟୁ ମଡେଲ କହୁଛି, ଲଘୁଚାପଟି ବାତ୍ୟା ରୂପ ନେବାର ସମ୍ଭାବନା ରହିଛି। ୨୬ ତାରିଖ ମଧ୍ୟାହ୍ନ ପରେ ଓଡ଼ିଶା ଉପକୂଳ ଛୁଇଁପାରେ। ବାତ୍ୟା ନ ହେଲେ ଗଭୀର ଅବପାତର ସମ୍ଭାବନା ଅଧିକ। ଜିଏଫ୍‌ଏସ୍‌-ଏନ୍‌ସିଇପି ଓ ଆଇସିଓଏନ୍‌-୧୩ ମଡେଲ କିନ୍ତୁ ବାତ୍ୟା ବା ଅବପାତ ସମ୍ପର୍କରେ କୌଣସି ସୂଚନା ଦେଉନାହାନ୍ତି। ୨୭ ତାରିଖରେ ଲଘୁଚାପଟି ବିଶାଖାପାଟଣା ଉପକୂଳରେ ରହିବା ସହ ଓଡ଼ିଶାରେ ପବନ କି ବିଶେଷ ବର୍ଷାର ସମ୍ଭାବନା ନାହିଁ ବୋଲି ଏହି ମଡେଲ୍ କହୁଛି।
ସେପଟେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଏବେଠୁ ସତର୍କ ରହିବାକୁ ସ୍ବତନ୍ତ୍ର ରିଲିଫ୍‌ କମିସନର(ଏସ୍‌ଆରସି)ଙ୍କ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି। ପବନ ସହ ୨୦୦ ମିମିରୁ ଅଧିକ ପରିମାଣର ବର୍ଷା ହେବାକୁ ଥିବାରୁ ତଳିଆ ଅଞ୍ଚଳରେ ବନ୍ୟା, ଜଳବନ୍ଦୀ ଭଳି ସମସ୍ୟା ଉପୁଜିପାରେ। ମାଟି ଘର ଭାଙ୍ଗିବା ସହ ରାସ୍ତା ଧୋଇ ଯିବାର ବି ଆଶଙ୍କା ରହିଛି। ଦକ୍ଷିଣ ଓଡ଼ିଶାର ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବା ସହ ବନ୍ୟା ଆଶଙ୍କା ରହିଛି। ବାତ୍ୟା ଦ୍ୱାରା ଫସଲ କ୍ଷତି ହେବାର ସମ୍ଭାବନା ରହିଛି। ତେଣୁ ପ୍ରଭାବିତ ଅଞ୍ଚଳକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ୨୭ ତାରିଖରେ ନୂଆପଡ଼ା, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ପ୍ରବଳରୁ ଅତିପ୍ରବଳ ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ତେଣୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି। ଦୁଇ ଦିନ ପାଇଁ ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ର ଭିତରକୁ ପ୍ରବେଶ ପାଇଁ ବାରଣ ହୋଇଛି।

Share Now:

Kalinga News Beuro

Next Post

ନ୍ୟୁୟର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Sat Sep 25 , 2021
ନ୍ୟୁୟର୍କ: ଜାତିସଂଘ ସାଧାରଣ ପରିଷଦ୍‌ର ୭୬ତମ ଅଧିବେଶନରେ ଉଦ୍‌ବୋଧନ ଦେବା ଲାଗି ଶୁକ୍ରବାର ସନ୍ଧ୍ୟାରେ (ନ୍ୟୁୟର୍କର ସ୍ଥାନୀୟ ସମୟ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟୁୟର୍କରେ ପହଞ୍ଚିଛନ୍ତି। ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ସାକ୍ଷାତ୍‌ କରିବା ପରେ ହ୍ବାଇଟ୍‌ ହାଉସ୍‌ରେ ଆୟୋଜିତ ‘କ୍ବାଡ୍‌ ଶିଖର ସମ୍ମିଳନୀ’ରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୱାସିଂଟନ୍‌ରୁ ନ୍ୟୁୟର୍କ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଏ ସଂକ୍ରାନ୍ତରେ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ନ୍ୟୁୟର୍କ ସହରରେ […]
ନ୍ୟୁୟର୍କରେ ପହଞ୍ଚିଲେ ମୋଦୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial