କର୍ପୋରେସନ ବୈଠକରେ ହୋ ହଲ୍ଲା: ଗୋଟିଏ ଉପବିଭାଗରେ ୨୭ ବର୍ଷ

କର୍ପୋରେସନ ବୈଠକରେ ହୋ ହଲ୍ଲା

ଅଧିକାରୀଙ୍କୁ ଅନୁକମ୍ପା ପ୍ରସଙ୍ଗରେ ସଭା ସରଗରମ

ଭୁବନେଶ୍ୱର: ବିଧାନସଭା ଆରମ୍ଭ ହେବା ପୂର୍ବରୁ ତରବରିଆ ଭା‌ବେ ଆଜି ବସିଥିଲା ବିଏମ୍‌ସିର ମାସିକ ବୈଠକ। ଏଥିରେ ଷ୍ଟ୍ରିଟ୍‌ଲାଇଟ୍‌, ଡେଙ୍ଗୁ ନିରାକରଣ, ଜାଗା ମିସନ୍‌ରେ ବଣ୍ଟା ହେଉଥିବା ଏଲ୍‌ଆରସିକୁ ନେଇ ତନାଘନା ହୋଇଛି। ବିଶେଷ କରି ୨୭ ବର୍ଷ ଧରି ଭେଇକିଲ୍‌ ସେକ୍ସନରେ କାମ କରୁଥିବା ଅଧିକାରୀ ଅଭିମନ୍ୟୁ ବେହେରାଙ୍କ ବିରୋଧରେ କର୍ପୋରେଟର ନୃପେଶ ନାୟକ କଥା ଉଠାଇବା ପରେ ହୋହଲ୍ଲା ହୋଇଥିଲା। କେଉଁ ପରିସ୍ଥିତିରେ କମିସନର ବିଜୟ ଅମୃତା କୁଲାଙ୍ଗେ ସମ୍ପୃକ୍ତ କର୍ମଚାରୀଙ୍କୁ ଅନୁକମ୍ପା ଦେଖାଇଛନ୍ତି, ଏଥିରେ ତାଙ୍କର କ’ଣ ସ୍ୱାର୍ଥ ରହିଛି, ସମ୍ପୃକ୍ତ ଅଧିକାରୀଙ୍କର ଏକାଧିକ ଗାଡ଼ି କେମିତି ବିଏମ୍‌ସିରେ ଭଡ଼ାରେ ଲାଗିଛି, କର୍ପୋରେସନ ନିଷ୍ପତ୍ତି ନେବା କଥା ଓ କମିସନର ନିଷ୍ପତ୍ତି ପାଳନ କରିବା ନିୟମ ଥିଲେ ହେଁ କାହିଁକି ଏହି ଅଧିକାରୀ ଗାଦି ମାଡ଼ି ବସିଛନ୍ତି, ବାରମ୍ବାର ଅଭିଯୋଗ ସତ୍ତ୍ବେ କମିସନର କାହିଁକି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି- ଏହାକୁ ନେଇ ଆଜି ବୈଠକ ଉଠିଛି ପଡ଼ିଛି। ୨୪ ନଂ ୱାର୍ଡ କର୍ପୋରେଟର ଦୀପକ ମିଶ୍ର ଉପସ୍ଥାପନ କରିଥିବା ନିଯୁକ୍ତି ପ୍ରସଙ୍ଗକୁ ନେଇ ତୁମ୍ବିତୋଫାନ ହୋଇଛି। ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଉଛି ବୁଣି ଆଉଟ୍‌ସୋର୍ସିଂ ଜରିଆରେ ବିଏମ୍‌ସି ଅଧିକାରୀ ଓ କର୍ମଚାରୀଙ୍କ ସମ୍ପର୍କୀୟଙ୍କୁ ଥଇଥାନ କରାଯାଉଛି। ଏଭଳି ଅଭିଯୋଗ ଆସିବା ପରେ ବିଏମ୍‌ସିର ଉତ୍ତରକୁ ନେଇ ଏକାଧିକ କର୍ପୋରେଟର ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଦୀର୍ଘ ସମୟ ଧରି ଏହା ଉପରେ ଆଲୋଚନା ହୋଇଥିଲା।
ତେବେ ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏକାଧିକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଷ୍ଟ୍ରିଟ୍‌ଲାଇଟ୍‌ ପାଇଁ କାମ କରୁଥିବା ଦୁଇଟି ସଂସ୍ଥା ସୁପର ୱେଲ୍ ଫାଇନାନ୍‌ସିଆଲ୍‌ ଏଣ୍ଟରପ୍ରାଇଜେସ୍‌ ଓ ନିଭ୍‌ ନିଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଠିକ୍ ଭାବେ କାମ କରୁନାହାନ୍ତି। ୪୮ ଘଣ୍ଟା ମଧ୍ୟରେ ଅଭିଯୋଗର ସମାଧାନ କରିବାକୁ ଚୁକ୍ତି ଥିଲେ ମଧ୍ୟ ଗୋଟିଏ ଗୋଟିଏ ଅଭିଯୋଗ ସମାଧାନ ପାଇଁ ସପ୍ତାହେ ବିତି ଯାଉଛି। ବଡ଼କଥା ହେଉଛି, ଏହି ରକ୍ଷଣାବେକ୍ଷଣ ପାଇଁ ଦୁଇ ଠିକା ସଂସ୍ଥା ଲକ୍ଷଲକ୍ଷ ଟଙ୍କା ନେଉଥିଲେ ମଧ୍ୟ ବିଏମ୍‌ସି ବେଳେ ବେଳେ ନିଜ କର୍ମଚାରୀଙ୍କ ଜରିଆରେ ମରାମତି କରୁଥିବା ଅଭିଯୋଗ ହୋଇଛି। ଏଜେନ୍‌ସିରେ କାମ କରୁଥିବା କର୍ମଚାରୀଙ୍କର ନାମ, ଫୋନ୍‌ ନଂ ଓ ଚୁକ୍ତିନାମା କପି ଦାଖଲ କରିବାକୁ ୧୬ ନଂ ୱାର୍ଡ କର୍ପୋରେଟର କହିବା ପରେ ମେୟର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କାମ ନ କଲେ ସେମାନଙ୍କୁ କଳା ତାଲିକାଭୁକ୍ତ କରିବା ସହ ବିଲ୍ ବନ୍ଦ କରିବାକୁ ଚେତାବନୀ ଦିଆଯାଇଛି। ଉଭୟ ସଂସ୍ଥା ନିଜ ନିଜ ବିଦ୍ୟୁତ୍‌ ଖୁଣ୍ଟରେ ନିଜର ଲୋଗୋ ଲଗାଇବା ସହ ପ୍ରତ୍ୟେକ ୱାର୍ଡରେ ନିରବଚ୍ଛିନ୍ନ ଆଲୋକ ବ୍ୟବସ୍ଥା କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ଭୁବନେଶ୍ୱରର ୪ଟି ପ୍ରବେଶ ପଥର ସୌନ୍ଦର୍ଯ୍ୟୀକରଣ ଯୋଜନା ହୋଇଛି। ପୁରୀ ବାଇପାସ୍ ପ୍ରବେଶ ପଥ ଓ କଳିଙ୍ଗ ଷ୍ଟୁଡିଓ ପାର୍ଶ୍ଵ ରାସ୍ତା ଉନ୍ନତୀକରଣ ପାଇଁ ମେୟର ପ୍ରସ୍ତାବ ଦେଇଛନ୍ତି। ୱାର୍ଡ ୯ରେ ଆଫଡେବୁଲ୍‌ହାଉସିଂ ସ୍କିମ୍‌ରେ ଚାଲିଥିବା ଘର ତିଆରି କାମ ବିଳମ୍ବିତ ହେଉଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଆସନ୍ତା ଅକ୍ଟୋବର ୩୧ ତାରିଖ ସୁଦ୍ଧା କାମ ନ ସରିଲେ ଠିକାଦାରଙ୍କୁ କଳା ତାଲିକାଭୁକ୍ତ କରାଯିବା ସହ ତାଙ୍କର ସମସ୍ତ ବକେୟା ପାଉଣା ଓ ଅମାନତ ରାଶି ବାଜ୍ୟାପ୍ତ କରାଯିବ ବୋଲି କୁହାଯାଇଛି। ଯେଉଁ ରାସ୍ତା ଏବେ ନିର୍ମାଣ ହେବ, ତା’ର ମାନ ବଜାୟ ରଖିବାକୁ ତାଗିଦ କରାଯାଇଛି। କାମର ସୂଚନା ଫଳକ ଆରମ୍ଭରୁ ଲଗାଇବା ସହ କାମ ଶେଷ ହେବା ପରେ ବିଲ୍ ସହ କାମ ବାବଦରେ ନାଗରିକମାନଙ୍କର ମତାମତ ପ୍ରଦାନ କରିବାକୁ ସମ୍ପୃକ୍ତ ଠିକାଦାରଙ୍କୁ ନିର୍ଦ୍ଦେଶ ଦେବାକୁ ନିଷ୍ପତ୍ତି ହୋଇଛି। କୌଣସି ଏଜେନ୍ସି ଠିକ୍ ଭାବେ ଆବର୍ଜନା ନ ଉଠାଉଛି, ତେବେ ତାଙ୍କ ଠାରୁ ଜରିମାନା ଆଦାୟ କରାଯିବ। ପୂର୍ତ୍ତ ଓ ଅନ୍ୟାନ୍ୟ ଲାଇନ ବିଭ‌ାଗମାନେ ନଳା ସଫେଇ ଠିକ୍ ଭାବେ କରିବାକୁ ମେୟର ନିର୍ଦେଶ ଦେଇଛନ୍ତି। ରାସ୍ତା ଉପରେ ମାସ ମାସ ଧରି ଯେଭଳି ବର୍ଜ୍ୟ ଗଦା ନ ହେବ ସେଥିପାଇଁ ଏହି ବିଭାଗମାନେ ତତ୍ପର ହେବାକୁ କୁହାଯାଇଛି।
ପାର୍ବଣ ଋତୁ ଆସିଛି। ବିଭିନ୍ନ ସ୍ଥାନରେ ରାସ୍ତା, ଡ୍ରେନ, ଆଲୋକ ଇତ୍ୟାଦି ବ୍ୟବସ୍ଥା ପାଇଁ ଏକ ତାଲିକା ପ୍ରସ୍ତୁତ କରାଯାଇଛି। ଆସନ୍ତା ବୈଠକରେ କର୍ପୋରେଟରମାନେ ତାଲିକା ସମୀକ୍ଷା କରିବା ସହ ବାକି ରହିଥିବା କାମ ସଂପର୍କରେ ଅବଗତ କରିବାକୁ କୁହାଯାଇଛି। ରାସ୍ତା ମଝିରେ ଓ ବିପଦ ସଙ୍କୁଳ ଅବସ୍ଥାରେ ଥିବା ବିଦ୍ୟୁତ୍ ଖୁଣ୍ଟଗୁଡିକୁ ହଟାଇବା ପାଇଁ ଟିପିସିଓଡିଏଲ୍‌କୁ ନିର୍ଦେଶ ଦିଆଯାଇଛି। ମୁକ୍ତା ଯୋଜନାରେ ୧୪୫ କୋଟିର କାର୍ଯ୍ୟାଦେଶ ସଂପର୍କରେ ୨୩ ତାରିଖ ଦିନ ଆଲୋଚନା ହେବ ବୋଲି କୁହାଯାଇଛି। ରଥ ରୋଡ୍‌ର ମରାମତି ଓ ନିୟମ ଅନୁସାରେ ତୃତୀୟ ଲିଙ୍ଗ ବ୍ୟକ୍ତିମାନଙ୍କୁ ଜାଗା ମିସନରେ ସାମିଲ କରିବା ପାଇଁ ଜଟଣୀ ବିଧାୟକ ସୁର ରାଉତରାୟ ପ୍ରସ୍ତାବ ଦେଇଛନ୍ତି। ପ୍ରତିମାସ ୧୦ ତାରିଖ ଭିତରେ ବିଭିନ୍ନ ଏସ୍‌ଏଚ୍‌ଜିକୁ ସେମାନଙ୍କର ପ୍ରାପ୍ୟ ପ୍ରଦାନ କରିବାକୁ ବୈଠକରେ ନିଷ୍ପତି ନିଆଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଡେପୁଟି ମେୟର ମଞ୍ଜୁଲତା କହଁର, କମିସନର ବିଜୟ ଅମୃତା କୁଲାଙ୍ଗେ, ଉତ୍ତର ବିଧାୟକଙ୍କ ପ୍ରତିନିଧି କୁନି ଲତା ମହାରଣା, ମଧ୍ୟ ବିଧାୟକଙ୍କ ପ୍ରତିନିଧି ମିଲନ କୁମାର ରାଉତରାୟ, ଏକାମ୍ର ବିଧାୟକ ତଥା ମନ୍ତ୍ରୀଙ୍କ ପ୍ରତିନିଧି ଦାସରଥୀ ଗରାବଡୁଙ୍କ ସମେତ ସମସ୍ତ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଓ କର୍ପୋରେଟର, ବିଏମ୍‌ସିର ଅଧିକାରୀମାନେ ଉପସ୍ଥିତ ଥିଲେ।

Share Now:

Kalinga News Beuro

Next Post

ଗୋଡ଼େଇ ଗୋଡ଼େଇ ଯୁବକଙ୍କୁ ହତ୍ୟା ମାମଲା: ସପ୍ତାହକ ପରେ ଧରାଇଲା ସିସିଟିଭି

Tue Sep 19 , 2023
ଭୁବନେଶ୍ୱର: ରାଜଧାନୀ ରାଜରାସ୍ତାରେ ଜଣେ ଯୁବକଙ୍କୁ ପିଟିପିଟି ବିଭତ୍ସ ଭାବେ ହତ୍ୟା କରାଗଲା। ଦୋକାନୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ସବୁ ଦେଖୁଥାଆନ୍ତି। ଅଥଚ କେହି ମୁହଁଖୋଲି ବାରଣ କରିନଥିଲେ। ହତ୍ୟାକାରୀଙ୍କୁ ଅଟକାଇ ନଥି‌ଲେ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ଆଜି ସ୍ମାର୍ଟସିଟିର କଳ୍ପନା-ରାଜମହଲ ମୁଖ୍ୟରାସ୍ତାରେ। ଉଦ୍‌ବେଗର କଥା, ହତ୍ୟାକାଣ୍ଡକୁ ବି ପୁଲିସ ଜାଣି ନପାରି ପ୍ରଥମେ ଅପମୃତ୍ୟୁ ମାମଲା ରୁଜୁକରିଥିଲା। ବିଳମ୍ବ ହେଉପଛେ ପରବର୍ତ୍ତୀ ସମୟରେ […]
ଗୋଡ଼େଇ ଗୋଡ଼େଇ ଯୁବକଙ୍କୁ ହତ୍ୟା ମାମଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial