ଗୋଡ଼େଇ ଗୋଡ଼େଇ ଯୁବକଙ୍କୁ ହତ୍ୟା ମାମଲା: ସପ୍ତାହକ ପରେ ଧରାଇଲା ସିସିଟିଭି

ଗୋଡ଼େଇ ଗୋଡ଼େଇ ଯୁବକଙ୍କୁ ହତ୍ୟା ମାମଲା

ଭୁବନେଶ୍ୱର: ରାଜଧାନୀ ରାଜରାସ୍ତାରେ ଜଣେ ଯୁବକଙ୍କୁ ପିଟିପିଟି ବିଭତ୍ସ ଭାବେ ହତ୍ୟା କରାଗଲା। ଦୋକାନୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ସବୁ ଦେଖୁଥାଆନ୍ତି। ଅଥଚ କେହି ମୁହଁଖୋଲି ବାରଣ କରିନଥିଲେ। ହତ୍ୟାକାରୀଙ୍କୁ ଅଟକାଇ ନଥି‌ଲେ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ଆଜି ସ୍ମାର୍ଟସିଟିର କଳ୍ପନା-ରାଜମହଲ ମୁଖ୍ୟରାସ୍ତାରେ। ଉଦ୍‌ବେଗର କଥା, ହତ୍ୟାକାଣ୍ଡକୁ ବି ପୁଲିସ ଜାଣି ନପାରି ପ୍ରଥମେ ଅପମୃତ୍ୟୁ ମାମଲା ରୁଜୁକରିଥିଲା। ବିଳମ୍ବ ହେଉପଛେ ପରବର୍ତ୍ତୀ ସମୟରେ ପୁଲିସ ହତ୍ୟା ମାମଲା ରୁଜୁକରି ଘଟଣାରେ ସମ୍ପୃକ୍ତ ଦୁଇ ହତ୍ୟାକାରୀକୁ ଗିରଫ କରିଛି। ସେମାନେ ହେଲେ ବଡ଼ଗଡ଼ ଥାନା ଗୌତ୍ତମନଗର ବସ୍ତିର ପି ନରସିଂହ ରାଓ ଓରଫ ନର(୨୮) ଓ କେ ଦଶୁ ରାଓ ଓରଫ ଦଶୁ(୩୩)। ପୁଲିସ ସେମାନଙ୍କ ନିକଟରୁ ହତ୍ୟାରେ ବ୍ୟବହୃତ ଏକ ସ୍କୃଡ୍ରାଇଭର ଜବତ କରିଛି।
ସୂଚନା ମୁତାବକ, ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳର ମୃତ ଅବ୍‌ଦୁଲ କୁଡୁଶ୍‌(୨୫) ଧଉଳି ସ୍ଥିତ ସମ୍ପର୍କୀୟଙ୍କ ଘରେ ରହି ମିସ୍ତ୍ରୀ କାମ କରୁଥିଲେ। ଗତ ୧୨ ତାରିଖ ଦିନ ଘରକୁ ଯିବା ପାଇଁ କଳ୍ପନା ବସ୍‌ଷ୍ଟାଣ୍ଡ ନିକଟରେ ଅପେକ୍ଷା କରିଥିଲେ। ବସ୍‌ ଆସିବା ବିଳମ୍ବ ଥିବାରୁ ନିକଟସ୍ଥ ଏକ ‌ଜୋତା ଦୋକାନରେ ନିଜ ବୁଟ୍‌ ପଲିସ କରିଥିଲେ। ଦୋକାନୀଙ୍କୁ ଟଙ୍କା ଦେଉଥିବା ବେଳେ ନର ଓ ଦଶୁ ଅଚାନକ ତାଙ୍କ ମୋବାଇଲ୍‌ ଛଡ଼ାଇଥିଲେ। ସେ ବାରଣ କରିବାରୁ ତାଙ୍କ ଟଙ୍କା ବି ଛଡ଼ାଇଥିଲେ। ଟଣାଓଟରା ଭିତରେ ନର ଦୋକାନରୁ ସ୍କୃଡ୍ରାଇଭର ଆଣି ଅବ୍‌ଦୁଲ୍‌ଙ୍କୁ ଆକ୍ରମଣ କରିଥିଲା। ସେ ଜୀବନ ବିକଳରେ ଦୌଡ଼ିଥିଲେ ବି ଉଭୟ ତାଙ୍କୁ ଛାଡ଼ି ନଥିଲେ। ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ଜଣେ ଯୁବକଙ୍କୁ ଦୁଇ ଦୁର୍ବୃତ୍ତମାନେ ରାସ୍ତାରେ ‌ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରୁଥିଲେ ବି ଦୋକାନୀଙ୍କ ଠାରୁ ସାଧାରଣ ଲୋକ ଅଟକାବା ତ ଦୂରର କଥା, କେହି ମୁହଁଖୋଲି ନଥିଲେ। ଆକ୍ରମଣ ଯୋଗୁଁ ଅବ୍‌ଦୁଲ୍‌ ରକ୍ତାକ୍ତ ହୋଇ ତଳେ ପଡ଼ିଯିବା ପରେ ଅଭିଯୁକ୍ତ ଦ୍ଵୟଙ୍କ ଟଙ୍କା ଓ ମୋବାଇଲ୍‌ ଛଡ଼ାଇ ଫେରାର୍‌‌ ହୋଇଯାଇଥିଲେ। ଖବରପାଇ ବଡ଼ଗଡ଼ ଥାନା ପୁଲିସ ଘଣଟାସ୍ଥଳରେ ପହଞ୍ଚି ଅବ୍‌ଦୁଲ୍‌ଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ୍‌ ହସ୍ପିଟାଲ୍‌ ନେଇଥିଲା। ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ମାମଲାର ତଦନ୍ତକାରୀ ଅଧିକାରୀ ଦିବ୍ୟସ୍ମିତା ବଳିଆରସିଂହ ଅପମୃତ୍ୟୁ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ସ୍ଥାନୀୟଲୋକଙ୍କ ବୟାନକୁ ଆଧାର କରି ମାମଲା ଆଗକୁ ବଢ଼ିଥିଲା। ପରେ ପୁଲିସ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ ବେଳେ ଆକ୍ରମଣ ସମୟର ଦୃଶ୍ୟକୁ ଠାବ କରିଥିଲା। ସେଠାରୁ ଦୁଇ ହତ୍ୟା ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲେ ବି ସେମାନେ ସ୍ଥାନ ବଦଳାଉଥିବାରୁ ଗିରଫ କରିବା ପୁଲିସ ପାଇଁ କାଠିକର କାମ ଥିଲା। ତେବେ ଗତକାଲି ରାତିରେ ଉଭୟ ଗୌତମନଗର ବସ୍ତିରେ ଥିବା ଜାଣିବା ପରେ ପୁଲିସର ଏକ ଟିମ୍‌ ସେଠାରେ ଚଢ଼ଉ କରି ଉଭୟଙ୍କୁ ଗିରଫ କରିଥିଲା। ଥାନାକୁ ଆଣି ପଚରା ଉଚରା ପରେ ଉଭୟ ସତ ମାନିବା ସହ କିଭଳି ଅବ୍‌ଦୁଲ୍‌ଙ୍କୁ ହତ୍ୟା କରିଥିଲେ ତା’ର ସିନ୍‌ ରିକ୍ରିଏସନ୍‌ କରି ଦେଖାଇଥିଲେ। ଜେରା ପରେ ଆଜି ଦୁଇ ହତ୍ୟାକାରୀଙ୍କୁ କୋର୍ଟ ଚାଲାଣ କରାଯାଇଛି। ତେବେ ସେମାନେ ଲୁଟ୍‌ କରିବା ପାଇଁ ହତ୍ୟା କରିଛନ୍ତି, ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି, ସେ ଦିଗରେ ପୁଲିସ ଅଧିକ ଖୋଳତାଡ଼ କରୁଛି।

Share Now:

Kalinga News Beuro

Next Post

୨୪ ଘଣ୍ଟା ମଧ୍ୟରେ ସମଗ୍ର ରାଜ୍ୟରେ ପ୍ରବଳ ବର୍ଷିବ : ୧୨ ଜିଲ୍ଲାକୁ ଅରେଞ୍ଜ, ୧୮ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

Wed Sep 20 , 2023
ଭୁବନେଶ୍ୱର: ପଶ୍ଚିମବଙ୍ଗ-ଓଡ଼ିଶା ଉପକୂଳକୁ ଲାଗି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗତକାଲି ଠାରୁ ଓଡ଼ିଶାରେ ପ୍ରବଳ ବର୍ଷା ଲାଗିରହିଛି। ଏବଂ ଆାସନ୍ତା ୨୪ ଘଣ୍ଟା ମଧ୍ୟରେ ସମଗ୍ର ରାଜ୍ୟର ୩୦ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଥିମଧ୍ୟରୁ ୧୨ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଥିବାରୁ କମଳା ଚେତାବନୀ ବା ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି ହୋଇଥିବା ବେଳେ ଅନ୍ୟ ୧୮ଟି ଜିଲ୍ଲାରେ ପ୍ରବଳ ବର୍ଷାର […]
୨୪ ଘଣ୍ଟା ମଧ୍ୟରେ ସମଗ୍ର ରାଜ୍ୟରେ ପ୍ରବଳ ବର୍ଷିବ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial