ବୁର୍ଲା ଭିସୁଟ୍‌ରେ ପୁଣି ଛାତ୍ର ଅଶାନ୍ତି : ଅଫ୍‌ଲାଇନ କ୍ଲାସ୍ ବାତିଲ ଦାବି

ବୁର୍ଲା ଭିସୁଟ୍‌ରେ ପୁଣି ଛାତ୍ର ଅଶାନ୍ତି

ଅନ୍‌ଲାଇନ ମୋଡ଼ରେ ହେଉ ପାଠପଢ଼ା, ପରୀକ୍ଷା

ବୁର୍ଲା: ବୁର୍ଲା ଭିସୁଟ୍‌ରେ ପୁଣି ଛାତ୍ର ଅଶାନ୍ତି ଦେଖାଦେଇଛି। ଅଫ୍‌ଲାଇନ୍ ପରୀକ୍ଷା ଏବଂ ଅଫ୍‌ଲାଇନ କ୍ଲାସ୍ ବାତିଲ କରି ଅନ୍‌ଲାଇନ ମୋଡରେ କରିବାକୁ ଛାତ୍ରଛାତ୍ରୀ କତ୍ତୃର୍ପକ୍ଷଙ୍କ ନିକଟରେ ଅଡ଼ି ବସିଛନ୍ତି। ଆଜି ସନ୍ଧ୍ୟା ସମୟରେ ବିଶ୍ୱବିଦ୍ୟାଳୟ ପରିସରରେ ଶତାଧିକ ଛାତ୍ରଛାତ୍ରୀ ଏକତ୍ରିତ ହୋଇ ଏହାର ପ୍ରତିବାଦ କରି ଧାରଣାରେ ବସିଥିବାର ଦେଖିବାକୁ ମିଳିଛି। କୋଭିଡ୍‌ ସଂକ୍ରମଣ ବଢ଼ିବା ସନ୍ଦେହରେ ଛାତ୍ରଛାତ୍ରୀ ଭୟଭୀତ ଥିବାରୁ ସମସ୍ତ ଛାତ୍ରାବାସ ଓ ଛାତ୍ରୀନିବାସଗୁଡ଼ିକୁ ବନ୍ଦ କରିବା ପାଇଁ କର୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି। ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ବର୍ତ୍ତମାନ କୋଭିଡର ତୃତୀୟ ଲହର ରାଜ୍ୟକୁ ପ୍ରବେଶ କରିବା ନେଇ ବିଶେଷଜ୍ଞମାନେ ମତବ୍ୟକ୍ତ କଲେଣି। ଏଥିପାଇଁ ସଚେତନତା ଅବଳମ୍ବନ କରିବା ସହିତ ପୁନର୍ବାର କୋଭିଡ କଟକଣାକୁ କଡ଼ାକଡ଼ି କରିବା ପାଇଁ ସରକାର ନିର୍ଦ୍ଦେଶ ଦେଲେଣି। ଭିସୁଟ୍‌ରେ ଶତାଧିକ ଛାତ୍ରଛାତ୍ରୀ ଛାତ୍ରବାସ ଏବଂ ବିଶ୍ୱବିଦ୍ୟାଳୟ ପରିସରରେ ଏକତ୍ରିତ ହୋଇ ରହି ଅଫ୍‌ଲାଇନ କ୍ଲାସ୍ କରୁଛନ୍ତି। ଅନେକ ଛାତ୍ରଛାତ୍ରୀଙ୍କ ଲକ୍ଷଣ ଥିଲେ ବି ସେମାନଙ୍କ କୋଭିଡ ପରୀକ୍ଷା କରାଯାଉନଥିବା ସେମାନେ ଅଭିଯୋଗ କରିଛନ୍ତି। ଫଳରେ ବିଶ୍ୱବିଦ୍ୟାଳୟ ପରିସରରେ ଦ୍ୱିତୀୟ ଲହର ସମୟରେ ଯେଉଁଭଳି ଭାବରେ ଏକାଧିକ ଛାତ୍ରଛାତ୍ରୀ କୋଭିଡ ସଂକ୍ରମିତ ହୋଇଥିଲେ ସେହିଭଳି ପରିସ୍ଥିତି ଉପୁଜିବ ବୋଲି ଛାତ୍ରଛାତ୍ରୀମାନେ ଆଶଙ୍କା କରିଛନ୍ତି। ତେବେ ଏବେଠାରୁ କର୍ତ୍ତୃପକ୍ଷ ଏଦିଗରେ ବିଚାର କରି ତୁରନ୍ତ ଅଫ୍‌ଲାଇନ କ୍ଲାସକୁ ବାତିଲ କରି ଅନ୍‌ଲାଇନ କ୍ଲାସ କରିବା ପାଇଁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି। ତେବେ, ଏନେଇ ଭିସୁଟ୍ କୁଳପତି ପ୍ରଫେସର ବଂଶୀଧର ମାଝୀ ଓ ହଷ୍ଟେଲ ଅଧ୍ୟକ୍ଷ ସଞ୍ଜୟ କୁମାର ପାତ୍ରଙ୍କୁ ଏକାଧିକ ଥର ଫୋନ୍ ଦ୍ୱାରା ଯୋଗାଯୋଗ କରିବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେମନେ ଫୋନ୍ ଗ୍ରହଣ କରିନଥିଲେ। ତେବେ ଭିସୁଟ୍ କର୍ତ୍ତୃପକ୍ଷ ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି।

Share Now:

Kalinga News Beuro

Next Post

ଟର୍ଣ୍ଣାଡୋ ମୁହଁରେ ଆମେରିକା : ୧୦୦ରୁ ଅଧିକ ମୃତ, ଅନେକ ନିଖୋଜ

Sun Dec 12 , 2021
ନୂଆଦିଲ୍ଲୀ: ଟର୍ଣ୍ଣାଡୋ ମୁହଁରେ ଆମେରିକା। ପ୍ରକୃତି ରଚିଲା ବିଭୀଷିକାର ତାଣ୍ଡବ। ଆମେରିକାର ୬ଟି ରାଜ୍ୟରେ ୩୦ଟି ଅଦିନିଆ ଟର୍ଣ୍ଣାଡୋ ଧ୍ୱଂସର ତାଣ୍ଡବ ରଚିଛି। ଅଟ୍ଟାଳିକାର ଧ୍ୱଂସସ୍ତୁପ ହିଁ ବୟାନ କରୁଛି, କେତେ ଭୟାନକ ଥିଲା ଘୂର୍ଣ୍ଣଝଡର ପ୍ରକୋପ। ପବନ ମାଡରେ ଭାଙ୍ଗିଯାଇଛି ବିଶାଳ ଗଛ, ବିଦ୍ୟୁତ ଖୁଣ୍ଟ ଉପୁଡି ଯାଇଛି, ତାସ ଘର ଭଳି ଭୁଶୁଡି ପଡିଛି କଂକ୍ରିଟ ଘର। ଟର୍ଣ୍ଣାଡୋ ଅର୍ଥାତ ଏହି ଘୂର୍ଣ୍ଣିଝଡରେ ୧୦୦ରୁ ଅଧିକ ଲୋକଙ୍କ […]
ଟର୍ଣ୍ଣାଡୋର ତାଣ୍ଡବ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial