ବିଜେପିର ବିଏମ୍‌ସି ନିର୍ବାଚନ ପାଇଁ ମାନସମନ୍ଥନ

ବିଏମ୍‌ସି ନିର୍ବାଚନ ପାଇଁ ମାନସମନ୍ଥନ

ଭୁବନେଶ୍ୱର: ଆଗକୁ ବିଏମ୍‌ସି ନିର୍ବାଚନ ଥିବାରୁ ବିଜେପିର ରଣନୀତି କ’ଣ ହେବ, ସେନେଇ ଆଜି ଦଳର ଭୁବନେଶ୍ବର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ମାନସମନ୍ଥନ ହୋଇଛି। ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦଳର ବରିଷ୍ଠ ନେତାମାନେ ଯୋଗଦେଇ କହିଛନ୍ତି ଯେ ରାଜ୍ୟ ସରକାର ଓ ବିଏମ୍‌ସି କର୍ତ୍ତୃପକ୍ଷ ରାଜଧାନୀବାସୀଙ୍କ ସମସ୍ୟାର ସମଧାନ ପ୍ରତି ଆଖି ବୁଜି ଦେଇଛନ୍ତି। ଯେଉଁଥିପାଇଁ ରାଜଧାନୀବାସୀ ଦୁର୍ଦ୍ଦଶାରେ ଅଛନ୍ତି। ଆସନ୍ତା ନିର୍ବାଚନରେ ଏହାର ଉଚିତ ଜବାବ୍ ଦେବା ‌ପାଇଁ ରାଜଧାନୀର କୋଣଅନୁକୋଣରେ ସରକାରଙ୍କ ଅପାରଗତାକୁ ଉପସ୍ଥାପନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଜିଲ୍ଲା ସଭାପତି ଶ୍ରୀ ସିଂହ ଉଦ୍‌ବୋଧନ ଦେଇ କହିଥିଲେ ଯେ ସ୍ମାର୍ଟ ସିଟି ଯୋଜନାରେ ବହୁ ପ୍ରକଳ୍ପ କାର୍ଯ୍ୟକାରୀ ହୋଇନପାରିବାରୁ ରାଜଧାନୀବାସୀଙ୍କ ପାଇଁ ସ୍ମାର୍ଟସିଟି ସ୍ବପ୍ନ ହୋଇଯାଇଛି। ରାଜଧାନୀରେ ମହିଳା, ବୃଦ୍ଧ, ଶିଶୁ, ଯୁବକ ଯୁବତୀମାନେ ଅସୁରକ୍ଷିତ ହୋଇପଡ଼ିଛନ୍ତି। ଅବାଧ ନିଶା କାରବାର ଆଜି ଚିନ୍ତାର କାରଣ ପାଲଟିଛି। ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି। ପୁଲିସର ବର୍ବରତା ଚରମସୀମାରେ ପହଞ୍ଚିଛି। କଳଙ୍କିତ ବିଜେଡି ଶାସନକୁ ହଟାଇବା ପାଇଁ ଆରମ୍ଭ ହୋଇଥିବା ଲଢ଼େଇକୁ ଜିଲ୍ଲା ବିଜେପି ଆହୁରି ଶାଣିତ କରିବ।
ରାଜ୍ୟ ସଭାପତି ସମୀର ମହାନ୍ତି କହିଥିଲେ ଯେ ରାସ୍ତା, ପରିମଳ ବ୍ୟବସ୍ଥା, ସ୍ୱେରେଜ, ପାନୀୟ ଜଳ, ବିଜୁଳି ଆଦି ମୌଳିକ ସୁବିଧାରୁ ରାଜଧାନୀବାସିନ୍ଦା ବଞ୍ଚିତ ରହିବା ଅତ୍ୟନ୍ତ ଲଜ୍ଜାଜନକ। ଭୁବନେଶ୍ବର ଜନବହୁଳ ସହର ହୋଇଥିବା ସତ୍ତ୍ବେ ସୁବନ୍ଦୋବସ୍ତ ‘ଡେଲି ମାର୍କେଟ’, ‘ମାଛ ଓ ମାଂସ ମାର୍କେଟ’ ନଥିବା କାରଣରୁ ରାଜଧାନୀବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବସ୍ତିବାସିନ୍ଦାଙ୍କୁ ବାରମ୍ବାର ପ୍ରତାରିତ କରାଯାଉଛି। କେତେ ବର୍ଷ ଶାସନରେ ରହିଲେ ବିଜେଡି ଲୋକଙ୍କ ମୈାଳିକ ସମସ୍ୟା ସମାଧାନ କରିବ? ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗଦେଇ ଆଗାମୀ ତ୍ରିସ୍ତରୀୟ ପଂଚାୟତ ଓ ପୌର ନିର୍ବାଚନ ପରିଚାଳନା ପାଇଁ ପ୍ରସ୍ତୁତ ରହିବାକୁ ଆହ୍ବାନ ଦେଇଥିଲେ। ବୈଠକରେ ପୂର୍ବତନ ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ ରାଜନୈତିକ ଚିଠା ଆଗତ କରିଥିବା ବେଳେ ଜିଲ୍ଲା ସାଧାରଣ ସମ୍ପାଦକ ଅଭିଷେକ ଆଚାର୍ଯ୍ୟ ଏବଂ ହିମାଂଶୁ ଶେଖର ଛୋଟରାୟ ସମର୍ଥନ ଜଣାଇଥିଲେ। କାର୍ଯ୍ୟକ୍ରମରେ ଭୁବନେଶ୍ବର ଜିଲ୍ଲା ପ୍ରଭାରୀ ଭୁବନମୋହନ ଜେନା, ଜିଲ୍ଲା ସାଧାରଣ ସଂପାଦକ ଦିଲୀପ ବେହେରା, ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର, ପୂର୍ବତନ ପ୍ରଶାସକ ସୁଦର୍ଶନ ନାୟକ, ରାଜ୍ୟ ମୁଖପାତ୍ର ଯତୀନ ମହାନ୍ତି, ରାଜ୍ୟ ପ୍ରବକ୍ତା ଦିଲୀପ ମଲ୍ଲିକ ପ୍ରମୁଖ ଯୋଗଦେଇ ଉ‌ଦ୍‌ବୋଧନ ଦେଇଥିଲେ।

Share Now:

Kalinga News Beuro

Next Post

ସହିଦନଗରରେ ଜବରଦଖଲ ଉଚ୍ଛେଦ: ମାଟିରେ ମିଶିଲା ମନ୍ଦିର

Sun Dec 19 , 2021
ଭୁବନେଶ୍ବର : ସହିଦନଗରସ୍ଥିତ ଭବାନୀ ମଲ୍‌ ପାର୍ଶ୍ୱରୁ ଶନିବାର ଦିନ ଜବରଦଖଲ ଉଚ୍ଛେଦ କରିଛି ବିଡିଏ। ଗୋଟିଏ ଓମଫେଡ୍‌ ବୁଥ୍‌ ସହ ଗୋଟିଏ କ୍ୟାବିନ୍‌ ଓ ପାଚେରି ଭଙ୍ଗା ଯାଇଥିଲା। ତେବେ ସେଠାରେ ଥିବା ଆଖଣ୍ଡଳମଣି ମନ୍ଦିର ଭଙ୍ଗିବା ବେଳେ ସ୍ଥାନୀୟ ଲୋକ ଏହାକୁ ବିରୋଧ କରିଥିଲେ। ଏହାକୁ କେନ୍ଦ୍ର କରି ବିଡିଏ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଓ ସ୍ଥାନୀୟ ବାସିନ୍ଦା ମୁହାଁମୁହିଁ ହୋଇଥିଲେ। ମନ୍ଦିରର କିଛି ଅଂଶ ଭଙ୍ଗାଯିବା ପରେ […]
ସହିଦନଗରରେ ଜବରଦଖଲ ଉଚ୍ଛେଦ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial