ଓ୍ବାସିଂଟନ : ଋଷିଆର ସମ୍ଭାବ୍ୟ ୟୁକ୍ରେନ ଆକ୍ରମଣକୁ ନେଇ ସମଗ୍ର ବିଶ୍ବରେ ଚିନ୍ତା ବଢିବାରେ ଲାଗିଛି। ଏହି ସଂକଟର ଅବସାନ ପାଇଁ ଆମେରିକା ଓ ପାଶ୍ଚାତ୍ୟ ଦେଶସମୂହଙ୍କ ଉଦ୍ୟମ ସତ୍ତ୍ୱେ କିଛି ଅଗ୍ରଗତି ହେବା ଭଳି ଲାଗୁନାହିଁ। କାରଣ ୟୁକ୍ରେନ ସୀମାରେ ଏବେ ବି ଋଷିଆର ୧ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି। ଏ ପରିପ୍ରେକ୍ଷୀରେ ଭାରତ ଓ ଅନ୍ୟ ମିତ୍ର ରାଷ୍ଟ୍ରଙ୍କ ସହଯୋଗ ଲୋଡ଼ିଛି ଆମେରିକା। ହ୍ବାଇଟହାଉସ୍ ମୁଖପାତ୍ର ଜେନ ସାକି କହିଛନ୍ତି, “ ଉତ୍ତେଜନା ହ୍ରାସ ପାଇଁ ଯେକୌଣସି ପ୍ରକାରର ଉଦ୍ୟମକୁ ଆମେ ସ୍ବାଗତ କରିବୁ। ଏଥିପାଇଁ ଆମେ ଭାରତ ସମେତ ଆମ ପ୍ରମୁଖ ମିତ୍ର ରାଷ୍ଟ୍ରଙ୍କ ଯୋଗାଯୋଗରେ ଅଛୁ। ତେବେ କେବଳ ଭାରତୀୟ ଅଧିକାରୀଙ୍କ ପାଇଁ ଆମର କୌଣସି ସ୍ବତନ୍ତ୍ର ଅନୁରୋଧ ନାହିଁ। ୟୁକ୍ରେନକୁ ବଳ ପୂର୍ବକ ଅଧିକାର କରିବାକୁ ଋଷିଆ ଯୋଜନା କରୁଛି ବୋଲି ଆମେରିକା ଓ ତାହାର ମିତ୍ର ଦେଶମାନେ ଅଭିଯୋଗ କରୁଛନ୍ତି । ତେବେ ଏପରି କୌଣସି ଯୋଜନା ନାହିଁ ବୋଲି ଋଷିଆ ସ୍ପଷ୍ଟ କରିଦେଇଛି। ଇତି ମଧ୍ୟରେ ୟୁକ୍ରେନ ସୀମାରେ ଋଷିଆ ପ୍ରାୟ ୧ ଲକ୍ଷରୁ ଅଧିକ ସୈନ୍ୟ ଓ ଟ୍ୟାଙ୍କ ଠୁଳ କରିଥିବାବେଳେ ନାଟୋ ପକ୍ଷରୁ ମଧ୍ୟ ସୈନ୍ୟ ଓ ଯୁଦ୍ଧ ବିମାନ ଆଦି ସହ ପ୍ରସ୍ତୁତି ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ୟୁକ୍ରେନ ସ୍ଥିତି ଉପରେ ନିଜର ରଖିଛି ଭାରତ। ସେଠାରେ ଥିବା ଭାରତୀୟ ନାଗରିକମାନଙ୍କୁ ସ୍ଥାନୀୟ ଭାରତୀୟ ଦୂତାବାସରେ ପଂଜୀକରଣ କରିବାକୁ ଭାରତ ସରକାର ପରାମର୍ଶ ଦେଇଛନ୍ତି। ଏହାଫଳରେ ଯୁଦ୍ଧ ସ୍ଥିତିରେ ଭାରତୀୟ ନାଗରିକମାନଙ୍କୁ ସହଜରେ ଉଦ୍ଧାର କରିହେବ।
ୟୁକ୍ରେନରେ ଯୁଦ୍ଧ ଉତ୍ତେଜନା ହ୍ରାସ ପାଇଁ ଭାରତର ସହାୟତା ଲୋଡ଼ିଲା ଆମେରିକା

Share Now: