ଫୁଲବାଣୀ: ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବାଂଲାଦେଶୀ କ୍ବାକ୍ ଏବଂ ବେଆଇନ କ୍ଲିନିକ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବାଂଲାଦେଶୀ କ୍ବାକ୍ ଥରେ କନ୍ଧମାଳ ଜିଲ୍ଲାକୁ ପଶିଲା ମାତ୍ରେ ଧୀରେ ଧୀରେ ଏଠାକାର ସ୍ଥାୟୀ ବାସିନ୍ଦା ପାଲଟି ଯାଉଛନ୍ତି। କନ୍ଧମାଳ ଜିଲ୍ଲାରେ ଅଧିକାଂଶ ବାଂଲାଦେଶୀ ଫେରି ବ୍ୟବସାୟ କରୁଥିବାବେଳେ ସରଳ ଆଦିବାସୀଙ୍କ ଠାରୁ ଅଧିକ ଲାଭ ଆଶାରେ କିଛି ଚତୁର ବାଂଲାଦେଶୀ ଔଷଧ ବ୍ୟବସାୟରେ ନିୟୋଜିତ ରହୁଛନ୍ତି। ସାଧାରଣତଃ, କନ୍ଧମାଳ ଜିଲ୍ଲାରେ ହଜାର ହଜାର ସଂଖ୍ୟାରେ ବାଂଲାଦେଶୀ ଏବେ ଏଠାକାର ସ୍ଥାୟୀ ବାସିନ୍ଦା ପାଲଟି କପଡ଼ା, ବାସନକୁସନ, ଶୀତବସ୍ତ୍ର, ଗ୍ୟାସଚୂଲା ମିସ୍ତ୍ରି ଏବଂ ରାଜମିସ୍ତ୍ରି କାମରେ ନିୟୋଜିତ। କେତେକ ଅର୍ଦ୍ଧଶିକ୍ଷିତ ବାଂଲାଦେଶୀ ଔଷଧ ବ୍ୟବସାୟ ନାଁରେ କ୍ବାକ୍ ଭାବେ ବ୍ୟବସାୟ ଚଳାଇଛନ୍ତି। ସେମାନେ ଆଦିବାସୀ ରୋଗୀଙ୍କୁ ଏଣୁତେଣୁ ଔଷଧ, ଚେରମୂଳି, ଜଡ଼ିବୁଟି ଦେଇ ଶୋଷଣ କରି ଚାଲିଛନ୍ତି। ବାଂଲାଦେଶୀମାନେ ପ୍ରଥମେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ଅସ୍ଥାୟୀ ଭାବେ ଘର କରି ରହୁଛନ୍ତି ଏବଂ ପରବର୍ତ୍ତୀ ସମୟରେ ସ୍ଥାନୀୟ ସରପଞ୍ଚ, ଶିକ୍ଷକ ଏବଂ ୱାର୍ଡମେମ୍ବରଙ୍କୁ ଧରି ଭୋଟର୍ ତାଲିକାରେ ନିଜ ନାମ ଭର୍ତ୍ତି କରି ଦେଉଛନ୍ତି। ଏହାପରେ ନିଜ ନାମରେ ଭୋଟର ପରିଚୟ ପତ୍ର ଏବଂ ଆଧାରକାର୍ଡ଼ ମଧ୍ୟ ବାହାର କରିବାରେ ସଫଳ ହୋଇଯାଉଛନ୍ତି। କେତେକ ବାଂଲାଦେଶୀ ଏଠାକାର ବାସିନ୍ଦା ପ୍ରମାଣପତ୍ର ପାଇଗଲା ପରେ ସ୍ଥାନୀୟ ଫାର୍ମାସି ବ୍ୟବସାୟୀଙ୍କ ଠାରୁ ଫାର୍ମାସି ସାର୍ଟିଫିକେଟ୍ ଭଡ଼ା ସୂତ୍ରରେ ଆଣି ଡ୍ରଗ୍ସ ଇନ୍ସପେକ୍ଟର କାର୍ଯ୍ୟାଳୟରେ ଦାଖଲ କରି ଡ୍ରଗ୍ ଲାଇସେନ୍ସ ମଧ୍ୟ ପାଇ ଯାଉଛନ୍ତି। ଡ୍ରଗ୍ସ ଇନ୍ସ୍ପେକ୍ଟରଙ୍କୁ ହାତଗୁଞ୍ଜା ଦେଇ ଲାଇସେନ୍ସ ପାଇଗଲା ପରେ ଭଡ଼ା ସୂତ୍ରରେ ଦୋକାନଘର ନେଇ ସେଠାରେ ପ୍ରଥମେ ମେଡିସିନ୍ ଷ୍ଟୋର୍ ଖୋଲି ପରେ ଏହାକୁ କ୍ଲିନିକ୍ରେ ପରିଣତ କରି ଦେଉଛନ୍ତି। ସେମାନଙ୍କ ତଥାକଥିତ କ୍ଲିନିକ୍ରେ ଚାରି ପାଞ୍ଚଟି ବେଡ୍ ପକାଇ ଧୀରେ ଧୀରେ ରୋଗୀସେବା ଆରମ୍ଭ କରୁଛନ୍ତି। କନ୍ଧମାଳ ଜିଲ୍ଲା ଡ୍ରଗ୍ ଇନ୍ସପେକ୍ଟର କାର୍ଯ୍ୟାଳୟ ଏସବୁ ଜାଣି ନିରବଦ୍ରଷ୍ଟା ସାଜିଛି। ଫୁଲବାଣୀ ବ୍ଲକ୍ର କଟ୍ରିଙ୍ଗିଆରେ ଏଭଳି ଜଣେ ବାଂଲାଦେଶୀ କ୍ବାକ୍ ନିଜର ଏକ କ୍ଲିନିକ୍ କରି ନିରୀହ ଆଦିବାସୀ ରୋଗୀଙ୍କୁ ଡାକ୍ତର କହି ଚିକିତ୍ସା ଚଳାଇଛନ୍ତି। କେବଳ କଟ୍ରିଙ୍ଗିଆ କାହିଁକି, ତୁମୁଡ଼ିବନ୍ଧ ବ୍ଲକ୍ କୁଟିଆ କନ୍ଧଙ୍କ ଇଲାକା ବେଲଘର ଅଞ୍ଚଳରେ ଏଭଳି ଅନେକ ବେଆଇନ କ୍ଲିନିକ୍ ଖୋଲିଛି। ବେଲଘରଠାରେ କେତେକ ସ୍ଥାନୀୟ ବ୍ୟବସାୟୀ ବିନା ଲାଇସେନ୍ସରେ ବେଆଇନ କ୍ଲିନିକ୍ ଖୋଲି ନିରକ୍ଷର କୁଟିଆ କନ୍ଧ ରୋଗୀଙ୍କ ଚିକିତ୍ସା କରୁଛନ୍ତି। ଏଭଳି କ୍ଷେତ୍ରରେ ଅନେକ ରୋଗୀଙ୍କ ଅବସ୍ଥା ଅଧିକ ସଂକଟାପନ୍ନ ହୋଇ ପଡୁଥିବାବେଳେ କେତେକ ରୋଗୀଙ୍କର ଅକାଳ ମୃତ୍ୟୁ ଘଟୁଛି।
ବିଶେଷ କରି ଦାରିଙ୍ଗବାଡ଼ି ବ୍ଲକ୍ ବ୍ରାହ୍ମଣୀଗାଁ, ଦାସିଂବାଡ଼ି, କ.ନୂଆଗାଁ ବ୍ଲକ୍ ସାରଙ୍ଗଗଡ଼, ବାଲିଗୁଡ଼ା ବ୍ଲକ୍ ବାରଖମା, ଫିରିଙ୍ଗିଆ ବ୍ଲକ୍ ବାଲନ୍ଦାପଡ଼ା, ଗୋଛାପଡ଼ା ଏବଂ କୋଟଗଡ଼ ବ୍ଲକ୍ ସୁବର୍ଣ୍ଣଗିରି ଆଦି ଅଞ୍ଚଳରେ ଏଭଳି ବାଂଲାଦେଶୀ କ୍ବାକ୍ଙ୍କ ସଂଖ୍ୟା ସର୍ବାଧିକ। ବାଂଲାଦେଶୀ କ୍ବାକ୍ଙ୍କ ନିଜ ଫାର୍ମାସି ସାର୍ଟିଫିକେଟ ନଥାଇ ମଧ୍ୟ ଅନ୍ୟମାନଙ୍କଠାରୁ ଭଡ଼ାରେ ନେଇ ନିଜ ନାମରେ ଦୋକାନ ଖୋଲି ଡ୍ରଗ୍ ଲାଇସେନ୍ସ ହାତେଇବାରେ ସଫଳ ହୋଇଥିବା ନଜିର ଦେଖିବାକୁ ମିଳିଛି। ତେବେ ଏହା କିଭଳି ସମ୍ଭବପର ହୋଇପାରୁଛି ସେ ନେଇ ଫୁଲବାଣୀ ଡ୍ରଗ୍ ଇନ୍ସପେକ୍ଟର ସନ୍ତୋଷ ପ୍ରଧାନଙ୍କ ସହ ଯୋଗାଯୋଗ କରିବା ପରେ ସେ ଏ ଘଟଣାକୁ ପରୋକ୍ଷରେ ସ୍ବୀକାର କରିଛନ୍ତି। ଶ୍ରୀ ପ୍ରଧାନଙ୍କ କହିବା ଅନୁସାରେ, ଯେଉଁମାନେ ସ୍ଥାନୀୟ ବାସିନ୍ଦା ପ୍ରମାଣପତ୍ର, ଫାର୍ମାସି ସାର୍ଟିଫିକେଟ୍ ଏବଂ ଅନ୍ୟାନ୍ୟ କେତେକ ଡକ୍ୟୁମେଣ୍ଟ ଯୋଗାଇ ଦେଇପାରିବେ ସେମାନଙ୍କୁ ଡ୍ରଗ୍ସ ଲାଇସେନ୍ସ ପ୍ରଦାନ କରିବାରେ କିଛି ସମସ୍ୟା ନାହିଁ। ଅପରପକ୍ଷେ, ସାର୍ଟିଫିକେଟ୍ ଭଡ଼ାରେ ଆସିଥାଉ କିମ୍ବା ସେ ବାଂଲାଦେଶୀ ହୋଇଥାନ୍ତୁ, ସେଥିରେ ତାଙ୍କର କିଛି କରିବାର ନାହିଁ ବୋଲି ଡ୍ରଗ୍ସ ଇନ୍ସପେକ୍ଟର ଶ୍ରୀ ପ୍ରଧାନ କହିଛନ୍ତି। ତେବେ କନ୍ଧମାଳ ଜିଲ୍ଲାରେ ବାଂଲାଦେଶୀ କ୍ବାକ୍ ଏବଂ ମେଡିସିନ ଷ୍ଟୋର ମାଲିକଙ୍କୁ ନେଇ ବିଭିନ୍ନ ଅଞ୍ଚଳରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଲାଣି। ଏଠାକାର ସ୍ଥାନୀୟ ମେଡିସିନ ଷ୍ଟୋର ମାଲିକ ଏବଂ ଔଷଧ ବ୍ୟବାସାୟୀମାନେ ବାଂଲାଦେଶୀ କ୍ବାକ୍ ଏବଂ ତଥାକଥିତ କ୍ଲିନିକ୍ ମାଲିକଙ୍କୁ ବିରୋଧ କରୁଥିଲେ ମଧ୍ୟ ଏହାର କୌଣସି ସମାଧାନର ପନ୍ଥା ବାହାରି ପାରୁନାହିଁ। ଏ ନେଇ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ଜରୁରୀ ହୋଇପଡ଼ିଛି।
କନ୍ଧମାଳରେ ବାଂଲାଦେଶୀ କ୍ବାକ୍ଙ୍କ ମାଳ ମାଳ ବେଆଇନ କ୍ଲିନିକ୍ : ହାତଗୁଞ୍ଜା ଦେଇ ପାଉଛନ୍ତି ଡ୍ରଗ୍ ଲାଇସେନ୍ସ
Share Now: