ଭୁବନେଶ୍ବର : ଆୟ ବର୍ହିଭୂତ ସଂପତ୍ତି ଅଭିଯୋଗରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଶ୍ବଜିତ ମହାପାତ୍ରଙ୍କୁ ଗିରଫ କରାଯାଇଛି। ଆଜି ଫେବୃଆରୀ ୧୩ ତାରିଖରେ ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାଯାଇଛି। ଏଡିଏମ୍ ବିଶ୍ବଜିତ ମହାପାତ୍ରଙ୍କୁ ଜେରା କରିବା ପରେ ଗତକାଲି ସୁନ୍ଦରଗଡ଼ରୁ ଭୁବନେଶ୍ବର ଅଣାଯାଇଥିଲା। ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଏହାରି ମଧ୍ୟରେ ବିଶ୍ବଜିତ ମହାପାତ୍ରଙ୍କ ସଂପତ୍ତି, ଚାକିରି କାର୍ଯ୍ୟକାଳ ଆଦି ବିସ୍ତୁତ ଭାବରେ ଜେରା କରିଛନ୍ତି। ସିଲ କରାଯାଇଥିବା ବାସଭବନରେ ଭିଜିଲାନ୍ସ ପକ୍ଷରୁ ଜେରା ହୋଇଥିଲା। ସୂଚନାଯୋଗ୍ୟ, ଗତ ୧୧ ତାରିଖ ଦିନ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଶ୍ବଜିତ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଥିଲା। ଏକକାଳୀନ ଭାବେ ସୁନ୍ଦରଗଡ଼ ସହରରେ ଥିବା ତାଙ୍କ ସରକାରୀ ଆବାସ ଓ ଅଫିସ ସହ ଖୋର୍ଦ୍ଧା, ଜଗତସିଂପୁର ରେଢୁଆସ୍ଥିତ ପୈତୃକ ଘର, ରୁଦ୍ରପୁର, ବାଲିଅନ୍ତା, ଭୁବନେଶ୍ବର ନୟାପଲ୍ଲୀ, ରସୁଲଗଡ଼ରେ କିଣିଥିବା ଘର, ମଣିଜଙ୍ଗା ଜଡାତିରା ସମ୍ପର୍କୀୟଙ୍କ ଘରେ ଓ ରାଜଗାଙ୍ଗପୁର ଓସିଏଲ୍ କମ୍ପ୍ଲେକ୍ସସ୍ଥିତ ତାଙ୍କ ଶଳାଙ୍କ ଘରେ ଚଢ଼ଉ ହୋଇଥିଲା। ଏଯାଏ ପ୍ରାୟ ୧୦ କୋଟିର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ।
ଏହି ସରକାରୀ ବାବୁଙ୍କ ସମ୍ପତ୍ତିର ତାଲିକା ଯେକୌଣସି ସାଧାରଣ ଲୋକର ଆଖି ଟେରା କରିଦେବାକୁ ସକ୍ଷମ। ଏଯାଏ ଚଢ଼ାଉରୁ ମିଳିଥିବା ତଥ୍ୟ ଅନୁସାରେ, ଶ୍ରୀ ମହାପାତ୍ରଙ୍କର ଭୁବନେଶ୍ବରର ନହରକଣ୍ଟାଠାରେ ୮୯ ଲକ୍ଷ ଟଙ୍କା ମୂଲ୍ୟର ଏକ ଦୁଇମହଲା ଘର ରହିଛି। ସେହିପରି, ରହୁଲଗଡ଼ରେ ମଧ୍ୟ ଅନ୍ୟ ଗୋଟିଏ ଫ୍ଲାଟ ଅଛି। ଏହାବ୍ୟତୀତ ଭୁବନେଶ୍ବର ଓ ଜଗତସିଂହପୁରରେ ମୋଟ୍ ୧୦ଟି ପ୍ଲଟ୍ ରହିଛି। ଏସବୁର ମୂଲ୍ୟ ହିସାବ କରାଯାଉଛି, ତାହା କୋଟି କୋଟି ହେବ ବୋଲି ଅନୁମାନ କରାଯାଉଛି। ବାଲିଅନ୍ତାରେ ଶ୍ରୀ ମହାପାତ୍ରଙ୍କ ପତ୍ନୀଙ୍କ ନାଁରେ ଗୋଟିଏ ସିମେଣ୍ଟ ଗୋଦାମ ଅଛି। ଏହାବ୍ୟତୀତ ୭ଟି ବ୍ୟାଙ୍କରେ ମୋଟ୍ ୧କୋଟି ୯୦ ଲକ୍ଷ ୫୭ହଜାର ୯୮୩ ଟଙ୍କା ଜମା ଅଛି। ସେ ପ୍ରାୟ ୧୦ଲକ୍ଷ ୬୦ ହଜାର ଟଙ୍କା ୭ଟି ବିମା ପଲିସିରେ ଜମା କରିଛନ୍ତି। ଏହାବ୍ୟତୀତ ମ୍ୟୁଚୁଆଲ ଫଣ୍ଡରେ ୩୯ ଲକ୍ଷ ଓ ଏନ୍ପିଏସ୍ରେ ୨ ଲକ୍ଷ ପୁଞ୍ଜି ବିନିଯୋଗ କରିଛନ୍ତି। ଚଢ଼ାଉରେ ୩ ଲକ୍ଷ ନଗଦ ଟଙ୍କା ଓ ୩୫୦ ଗ୍ରାମ ସୁନା ବାହାରିଛି। ଏ ଖବର ଲେଖା ହେବାବେଳକୁ ଅଧିକ ଚଢ଼ାଉ ଓ ପ୍ରାପ୍ତ ଅନ୍ୟ ସଂପତିର ମୂଲ୍ୟ ଆକଳନ ଚାଲିଛି। ଓଡିଶା ଭିଜିଲାନ୍ସର ୮ ଜଣ ଡିଏସପି, ୨ ଇନିସ୍ପେକ୍ଟର, ୫ ଏଏସଆଇ ଓ ଅନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ଟିମ୍ ଏହି ଚଢାଉ କରିଥିଲା। ଉଲ୍ଲେଖନୀୟ ଯେ ପୂର୍ବରୁ ଶ୍ରୀ ମହାପାତ୍ରଙ୍କ ବିରୋଧରେ ବହୁ ଦୁର୍ନୀତି ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ରହିଥିଲା। ଲାଠିକଟା ବ୍ଲକରେ ୨୦୦୯ ମସିହାରୁ ୨୦୧୧ ମସିହା ପର୍ଯ୍ୟନ୍ତ ବିଡିଓ ଓ ଆଠଗଡ଼ରେ ତହସିଲଦାର ଥିବା ବେଳେ ତାଙ୍କ ନାମରେ ବହୁ ଦୁର୍ନୀତି ଅଭିଯୋଗ ଥିଲା। ଏପରିକି ସେତେବେଳେ ଭିଜିଲାନ୍ସ ଏକ ମାମଲା ମଧ୍ୟ ରୁଜୁ କରିଥିଲା। ଏଡିଏମ୍ ଶ୍ରୀ ମହାପାତ୍ରଙ୍କ ଅବସରକୁ ମାତ୍ର ୧୫ ଦିନ ବାକି ଥିବାବେଳେ ଏହି ଭିଜିଲାନ୍ସ ଚଢାଉ ଚର୍ଚ୍ଚାର ବିଷୟ ହୋଇଛି।
ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଶ୍ବଜିତ ମହାପାତ୍ର ଗିରଫ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ

Share Now: