ଭୁଶୁଡ଼ି ପଡ଼ିଲାଣି ପରିମଳ ବ୍ୟବସ୍ଥା: ୭ ସଂସ୍ଥା ଚିହ୍ନଟ ପରେ ବି ମିଳୁନି ସ୍ବୀକୃତି

ମାର୍ଚ୍ଚ ସୁଦ୍ଧା ପ୍ରତ୍ୟେକ ୱାର୍ଡର ଦାୟିତ୍ବ ନେବେ ଘରୋଇ ସଂସ୍ଥା: ବିଏମ୍‌ସି

ଭୁବନେଶ୍ବର: କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ବି ଭୁବନେଶ୍ବରରେ ପରିମଳ ବ୍ୟବସ୍ଥାରେ ସୁଧାର ଆସୁନାହିଁ। ପ୍ରତିବର୍ଷ ସ୍ବଚ୍ଛ ସର୍ବେକ୍ଷଣ ପ୍ରତିଯୋଗିତାରେ ନୈରାଶ୍ୟଜନକ ପ୍ରଦର୍ଶନ ଏହାକୁ ପ୍ରମାଣ କରିଛି। ଏବେ ରାଜଧାନୀର ୫୭ଟି ୱାର୍ଡରେ ରାମ୍‌କି, ଜାଗୃତି ଓ ପିଏମ୍‌ଆର୍ କନ୍‌ସୋର୍ଟିୟମ ସଫେଇ କରୁଛନ୍ତି। ତେବେ ଆସନ୍ତା ମାର୍ଚ୍ଚ ସୁଦ୍ଧା ସମସ୍ତ ୬୭ ୱାର୍ଡରେ ଆଉଟ୍‌ସୋର୍ସିଂ ଜରିଆରେ ସଫେଇ କରିବାକୁ ୭ ସଂସ୍ଥା ଚିହ୍ନଟ ହୋଇଛନ୍ତି। ୧୦ଟି ପ୍ୟାକେଜ୍‌ରେ ଏହି ସଂସ୍ଥାମାନେ କାମ କରିବେ ବୋଲି ସୂଚନା ମିଳିଛି। ଆଜି ବସିଥିବା ଟେଣ୍ଡର କମିଟି ବୈଠକରେ ସଂସ୍ଥାମାନଙ୍କୁ ଚିହ୍ନଟ କରାଯାଇଛି। ଖୁବ୍‌ଶୀଘ୍ର ସେମାନଙ୍କୁ ଚିଠି ଜରିଆରେ ସ୍ବୀକୃତି ଦିଆଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ଦୀର୍ଘ ଦିନରୁ ଏହି ଯୋଜନା ହୋଇଥିଲେ ହେଁ ତାହା ସମ୍ଭବ ହେଉନାହିଁ। ପୂର୍ବରୁ ସଫେଇ ଦାୟିତ୍ବ ନେଇଥିବା ଏହି ସଂସ୍ଥାମାନଙ୍କର ଚୁକ୍ତି ଅବଧି ଶେଷ ହୋଇଥିଲେ ମଧ୍ୟ ବିଏମ୍‌ସିର ଅବହେଳା ଯୋଗୁଁ ନୂଆ ସଂସ୍ଥାକୁ ସମସ୍ତ ୱାର୍ଡର ଦାୟିତ୍ବ ଦିଆଯାଇ ପାରୁନାହିଁ। ଫଳରେ ଚୁକ୍ତି ଅବଧିକୁ ପରିବର୍ଦ୍ଧିତ କରିବାକୁ ବାଧ୍ୟ ହୋଇଛି ବିଏମ୍‌ସି। ବିଏମ୍‌ସି ପାଖରେ ବିକଳ୍ପ ନଥିବାରୁ ଅନେକ ସମୟରେ ଏହି ସଂସ୍ଥାମାନେ ମନମାନି କରୁଥିବା ପରିଲକ୍ଷିତ ହେଉଛି।
ପୂର୍ବରୁ ୫୭ ୱାର୍ଡରେ ବିଏମ୍‌ସି ସଫେଇ ବ୍ୟବସ୍ଥାକୁ ଘରୋଇକରଣ କରିଥିଲା। ବାକି ୧୦ଟି ୱାର୍ଡରେ ବିଏମ୍‌ସି ନିଜସ୍ବ କର୍ମଚାରୀଙ୍କ ଦ୍ବାରା ପରିମ‌ଳ ବ୍ୟବସ୍ଥା ସମ୍ଭାଳିଥିଲା। ୫୭ଟି ୱାର୍ଡକୁ ୪ଟି ପ୍ୟାକେଜ୍‌ରେ ରାମ୍‌କି, ଜାଗୃତି ଓ ପିଏମ୍‌ଆର୍ କନ୍‌ସୋର୍ଟିୟମ ସଂସ୍ଥାକୁ ଦାୟିତ୍ବ ଦେଇଥିଲା। ଫନି ବାତ୍ୟା ସମୟରେ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶରେ ଏହି ଠିକା ସଂସ୍ଥାମାନେ ବାହାର ଜିଲ୍ଲାରୁ ଲୋକ, ଗାଡ଼ି ଆଣି ଅଳିଆ ଉଠାଇଲେ। କମ୍‌ ସମୟରେ ରାସ୍ତାଘାଟରେ ଜମା ହୋଇଥିବା ଗଦା ଗଦା ଆବର୍ଜନାକୁ ସଫା କଲେ। ହେଲେ ବିଏମ୍‌ସି କର୍ତ୍ତୃପକ୍ଷ ସଫେଇ ସଂସ୍ଥାଙ୍କୁ ପ୍ରତିଶ୍ରୁତି ମୁତାବକ ଟଙ୍କା ଦେଲା ନାହିଁ। ଏଣୁ ଠିକାସଂସ୍ଥା ଓ ବିଏମ୍‌ସି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ବର୍ଷ ବର୍ଷ ଧରି ପାଖାପାଖି କୋଟିଏ ଟଙ୍କା ବିଏମ୍‌ସି ଦେଇନଥିଲା। ଏହାକୁ ନେଇ ବିବାଦ ଦୀର୍ଘ ଦିନ ଧରି ଜାରି ରହିଲା। ବିଭିନ୍ନ ସମୟରେ ଆନ୍ଦୋଳନ ଧାରଣା ଯୋଗୁଁ ଭୁବନେଶ୍ବରରେ ପରିମଳ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଲା। ଆଜି ପର୍ଯ୍ୟନ୍ତ ଏହି ସମସ୍ୟା ଲାଗି ରହିଛି। ବିଏମ୍‌ସି ପାଖରେ ବିକଳ୍ପ ନଥିବାରୁ ଏଭଳି ପରିସ୍ଥିତି ସାମ୍ନା କରୁଛି। ୬୭ଟି ୱାର୍ଡକୁ ଘରୋଇକରଣ କରିବାକୁ ଅନେକ ଦିନ ତଳୁ ଯୋଜନା ହୋଇଥିଲା। କିନ୍ତୁ ଟେଣ୍ଡର ପ୍ରକ୍ରିୟାରେ ବିଳମ୍ବ ଯୋଗୁଁ ସମ୍ଭବ ହୋଇନଥିଲା। ଏବେ ଟେଣ୍ଡର କରିବା ପରେ ୭ଟି ସଂସ୍ଥାଙ୍କୁ ଚିହ୍ନଟ କରାଯାଇଛି। ପୂର୍ବରୁ ୪ଟି ପ୍ୟାକେଜ୍‌ ଥିବା ବେଳେ ଏବେ ୧୦ଟି ପ୍ୟାକେଜ୍‌ କରାଯାଇଛି। ୬୭ଟି ୱାର୍ଡକୁ ୧୦ଭାଗରେ ବିଭକ୍ତ କରାଯାଇ ସଫେଇ କରାଯିବ। ପୂର୍ବ ପ୍ୟାକେଜ୍‌ ବ୍ୟବସ୍ଥା ତୁଳନାରେ ଏଥର ଗୋଟିଏ ପ୍ୟାକେଜ୍‌ରେ କମ୍‌ ସଂଖ୍ୟକ ୱାର୍ଡ ରହୁଥିବାରୁ ପରିମଳ ବ୍ୟବସ୍ଥାରେ ସୁଧାର ଆସିବ ବୋଲି ବିଏମ୍‌ସି ଆଶାବାଦୀ ରହିଛି। ଏବେ ବିଏମ୍‌ସି ଅଞ୍ଚଳରେ ଆଦର୍ଶ ଆଚରଣ ବିଧି ବଳବତ୍ତର ରହିଛି। ଯେହେତୁ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା ସେଥିପାଇଁ ଆଚରଣ ବିଧି ଏହି ପ୍ରକ୍ରିୟାରେ ବାଧକ ହେବ ନାହିଁ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଅର୍ଥାତ୍‌ ମାର୍ଚ୍ଚ ସୁଦ୍ଧା ଏହି ସଂସ୍ଥାମାନେ ସ୍ବୀକୃତି ପାଇବା ସହ ପ୍ରତ୍ୟେକ ୱାର୍ଡରେ ପରିମଳ ଦାୟିତ୍ବ ନେବେ ବୋଲି ଜଣାପଡ଼ିଛି।

Share Now:

Kalinga News Beuro

Next Post

ୟୁକ୍ରେନରୁ ଓଡ଼ିଆଙ୍କୁ ସୁରକ୍ଷିତ ଉଦ୍ଧାର ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

Fri Feb 25 , 2022
ଭୁବନେଶ୍ବର: ୟୁକ୍ରେନରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀ ଓ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହୋଇଛନ୍ତି। ଟେଲିଫୋନ୍ ଯୋଗେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାଯାଇଛି। ଏହି ଆଲୋଚନା ସମୟରେ ଭାରତୀୟମାନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ନେଇ କେନ୍ଦ୍ର ସରକାର ଉଦ୍ୟମ ଜାରି ରଖିଥିବା ସଂପର୍କରେ ସୂଚନା ଦେଇଥିଲେ ଗୃହମନ୍ତ୍ରୀ ଅମିତ ଶାହା। ଏ ନେଇ ୟୁକ୍ରେନ […]
କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial