ବନ୍ଧାହେଲା ‘ଜହର କନ୍ୟା’: ୯ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ

ଅବକାରୀ ବିଭାଗ ହାତରେ ୧୦ ଡିଲର୍‌ଙ୍କ ଯୋଗାଯୋଗ ନମ୍ବର

କଟକ, ଭୁବନେଶ୍ୱର: ହଳଦୀପଡ଼ିଆ ବସ୍ତିର ‘ଜହରକନ୍ୟା’ କୁହାଯାଉଥିବା ଫିରୋଜ ବିବିର ଲୁଚାଛପା ଖେଳ ଶେଷ ହୋଇଛି। ଶେଷରେ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ହାତରେ ଆଜି ଧରାପଡ଼ିଛି ଏହି କୁଖ୍ୟାତ ବ୍ରାଉନ୍‌ସୁଗାର୍‌ ବେପାରୀ। ହଳଦୀପଡ଼ିଆସ୍ଥିତ ଘରେ ଚଢ଼ଉ କରି ବିଭାଗୀୟ ଅଧିକାରୀମାନେ ତାକୁ ଗିରଫ କରିିବା ସହ ୮୨ଗ୍ରାମ୍‌ର ବ୍ରାଉନ୍‌ସୁଗାର ଜବତ କରିଛନ୍ତି। ଜବତ ବ୍ରାଉନ୍‌ସୁଗାର ଆନ୍ତର୍ଜାତିକ ବଜାର ମୂଲ୍ୟ ୯ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି। ଫିରୋଜକୁ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯିବା ପରେ ଝାରପଡ଼ା ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ସୂଚନାନୁଯାୟୀ, ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ହଳଦୀପଡ଼ିଆ ବସ୍ତିରେ କୁଖ୍ୟାତ ମହିଳା ବ୍ରାଉନ୍‌ସୁଗାର ବେପାରୀ କହିଲେ ଫିରୋଜ ବିବି (୪୨)କୁ ବୁଝାଏ। ଫିରୋଜର ସ୍ୱାମୀ ଅଟୋ ଚାଳକ। ଦୁଇ ପୁଅ ଓ ଗୋଟେ ଝିଅକୁ ନେଇ ସେମାନଙ୍କ ସଂସାର। ୨୦୧୫ରୁ ସେ ବ୍ରାଉନ୍‌ସୁଗାର କାରବାର ଆରମ୍ଭ କରିଥିଲା। ଗଲା ୩ ବର୍ଷ ମଧ୍ୟରେ ସେ ନିଜର ବ୍ରାଉନସୁଗାର୍‌ ସାମ୍ରାଜ୍ୟ ଏତେ ବଢ଼ାଇ ଦେଇଥିଲା ଯେ ଭୁବନେଶ୍ୱରରୁ କୋଲକାତା ଯାଏଁ ତାର ପ୍ରଭାବ ଓ ପତିଆରା ଥିଲା। ପଶ୍ଚିମବଙ୍ଗର ମେଦିନୀପୁରରୁ ନିୟମିତ ବ୍ରାଉନ୍‌ସୁଗାର ଆଣି ସେ ହଳଦୀପଡ଼ିଆସ୍ଥିତ ଘରେ ରଖୁଥିଲା। ତିନି ପିଲାଙ୍କୁ ବି ଏ ନିଶା କାରବାରରେ ସାମିଲ କରିଥିଲା। ପିଲାମାନଙ୍କୁ ଆଗରେ ରଖି ସେ ଅତି ଚତୁରତାର ସହ ଏହି କାରବାର ଚଳାଇ ଆସୁଥିଲା। ପିଲାମାନେ ଛୋଟ, ତେଣୁ ବ୍ରାଉନ୍‌ସୁଗାର ଚାଲାଣ ସମ୍ପର୍କରେ କେହି ସହଜରେ ଠଉରାଇ ପାରୁନଥିଲେ। କେବଳ ଟ୍ରେନ୍‌ କାହିଁକି, ବସ୍‌ରେ ବି ବ୍ରାଉନ୍‌ସୁଗାର ଚାଲାଣ କରୁଥିଲା ଫିରୋଜ। ଅବକାରୀ ବିଭାଗକୁ ଚକ୍‌ମା ଦେବା ପାଇଁ ବାରମ୍ବାର ଗମନାଗମନ ମାଧ୍ୟମକୁ ବଦଳାଉଥିଲା। ବୁର୍ଖା ପିନ୍ଧି ବାହାରକୁ ବାହାରୁଥିବାରୁ ବିଭାଗର ଅଧିକାରୀମାନେ ତାକୁ ସହଜରେ ଧରି ପାରୁନଥିଲେ। ହଳଦୀପଡ଼ିଆ ବସ୍ତିରେ ରହୁଥିବା ବେଳେ ପାଖାପାଖି ୧୦ରୁ ଅଧିକ ଥର କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଓ ପୁଲିସ ତାଙ୍କ ଘରେ ଚଢ଼ଉ କରିଥିଲେ ହେଁ ସେ ଖସି ଯାଉଥିଲା। ଏଣୁ ଗଲା ଦେଢ଼ ମାସ ହେବ ଫିରୋଜଙ୍କୁ ଧରିବା ପାଇଁ ଅବକାରୀ ବିଭାଗ ଜାଲ ବିଛାଇଥିଲା। ତାଙ୍କ ଘରେ ଉପରେ ତୀକ୍ଷ୍ଣ ନଜର ରଖିଥିଲା। ତେବେ ଆଜି ସେ ଘରେ ଥିବା ଖବର ପାଇ କନ୍‌ଷ୍ଟେବଲ କିଶୋର ରାଉତ ଏବଂ ଆଲୋକ ଖଟୁଆ ଗ୍ରାହକ ଭାବେ ତା’ ଘରକୁ ଯାଇ ଫିରୋଜଠୁ ବ୍ରାଉନ୍‌ସୁଗାର କିଣିଥିଲେ। ଏହି ସମୟରେ ପୂର୍ବରୁ ସେଠାରେ ଛକି ରହିଥିବା ଅବକାରୀ ବିଭାଗର ଅନ୍ୟ କର୍ମଚାରୀମାନେ ତାକୁ କାବୁ କରି ନେଇଥିଲେ । ପାଖାପାଖି ୫ଟି ବ୍ରାଉନ୍‌ସୁଗାର୍‌ ଚକଲେଟ୍‌ ପ୍ୟାକେଟ୍‌ ତା’ ଘରୁ ମିଳିଛି। ପ୍ରତି ପ୍ୟାକେଟ୍‌ରେ ୨୫ଟି ଲେଖାଏ ଚକଲେଟ୍‌, ଯେଉଁଥିରେ କି’ ବ୍ରାଉନସୁଗାର ଭର୍ତ୍ତି କରାଯାଇଥିଲା। ଜେରା ବେଳେ ସେ ବ୍ରାଉନ୍‌ସୁଗାର ଦରଦାମ ଏବଂ ଅନ୍ୟ ଡିଲର୍‌ଙ୍କ ସମ୍ପର୍କରେ ବିଭାଗର ଅଧିକାରୀଙ୍କୁ ସୂଚନା ଦେଇଛି। ପ୍ରତି ଚକ୍‌ଲେଟ୍‌କୁ ସେ ୨୫୦ ଟଙ୍କାରେ କିଣି ୩୬୦ ଟଙ୍କାରେ ବିକ୍ରି କରୁଥିବା କହିଛି। ତା’ ଘରୁ ଜବତ ହୋଇଥିବା ୩ଟି ମୋବାଇଲ୍‌ରୁ ବାଲେଶ୍ୱର, ପଶ୍ଚିମବଙ୍ଗର ମେଦିନୀପୁର, ବାଲେଶ୍ୱରର ଜଳେଶ୍ୱର ଅଞ୍ଚଳର ୧୦ରୁ ଅଧିକ ବ୍ରାଉନ୍‌ସୁଗାର୍‌ ବେପାରୀଙ୍କ ନମ୍ବର ମିଳିଛି। ସେମାନଙ୍କ ମଧ୍ୟରେ ରାଜା ନାମକ ଜଣେ କୁଖ୍ୟାତ ବ୍ରାଉନସୁଗାର୍‌ ବେପାରୀକୁ ଠାବ କରାଯାଇଛି। ଖୁବଶୀଘ୍ର ତାକୁ ଗିରଫ କରାଯିବାକୁ ଯୋଜନା ଚାଲିଥିବା ବିଭାଗର ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଏହା ପୂର୍ବରୁ ଲକ୍ଷ୍ମୀସାଗର ଥାନା ପୁଲିସ ଏକ ଅବକାରୀ ମାମଲାରେ ତାକୁ ଗିରଫ କରିଥିଲା। ହେଲେ ମାତ୍ର ୧୫ ଦିନ ମଧ୍ୟରେ ସେ ଜେଲ୍‌ରୁ ଖଲାସ ହୋଇଯାଇଥିଲା। ଅବକାରୀ କମିସନର୍‌ ଦେବେନ୍ଦ୍ର ମହାପାତ୍ର ଏବଂ ଡେପୁଟି କମିସନର୍‌ ରାମଚନ୍ଦ୍ର ପାଲ୍‌ଟାଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ଅଧିକାରୀ ଅମରେନ୍ଦ୍ର କୁମାର ଜେନା, ଇନ୍ସପେକ୍ଟର ବୈଜୟନ୍ତୀ ପଣ୍ଡା, ଜଗଦୀଶ ସାମଲ, ଗାଲୁରାମ୍‌ ସୋରେନ୍‌ ପ୍ରମୁଖ ଚଢ଼ଉରେ ସାମିଲ ହୋଇଥିଲେ।

Share Now:

Kalinga News Beuro

Leave a Reply

Next Post

ହିଞ୍ଜିଡାଙ୍କୁ ଝଟକା: ଖଣ୍ଡଗିରିରୁ ହଟିବ ହିଞ୍ଜିିଡ଼ା ହାଟ

Thu Jun 7 , 2018
୧ ପ୍ଲାଟୁନ୍‌ ପୁଲିସ ନିୟୋଜିତ ଖଣ୍ଡଗିରି: ଜୟଦେବ ବାଟିକା ରାସ୍ତାରେ ବସୁଥିବା ନିତିଦିନିଆ ହିଞ୍ଜିିଡ଼ା ହାଟକୁ ସବୁଦିନ ପାଇଁ ଉଠାଇ ଦେବାକୁ କିମସନରେଟ୍‌ ପୁଲିସ ଅଣ୍ଟା ଭିଡ଼ିଛି। ଖୋଦ୍‌ ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁ ଏଭଳି କଡ଼ା ନିର୍ଦେଶ ଦେଇଥିବା ଜଣାପଡ଼ିଛି। ତେଣୁ ଆଜିଠାରୁ ଖଣ୍ଡଗିରି ଥାନା ପୁଲିସ ଏ ନେଇ ଅଭିଯାନ ଆରମ୍ଭ କରିଛି। ୧ ପ୍ଲାଟୁନ୍‌ ପୁଲିସ ବଳ ସହଯୋଗରେ ଆଜି ସନ୍ଧ୍ୟାରୁ ଖଣ୍ଡଗିରି ଥାନା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial