ଧର୍ମ ସଂସଦରେ ଘୃଣା ଭାଷଣ ପ୍ରସଙ୍ଗ : ସୁପ୍ରିମ୍‌ କୋର୍ଟ ଷ୍ଟାଟସ ରିପୋର୍ଟ ମାଗିଲେ

ଧର୍ମ ସଂସଦରେ ଘୃଣା ଭାଷଣ

ନୂଆଦିଲ୍ଲୀ: ଧର୍ମ ସଂସଦରେ ଘୃଣା ଭାଷଣ ପ୍ରସଙ୍ଗରେ ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌ କୋର୍ଟ ଆଜି (ବୁଧବାର) ଉତ୍ତରାଖଣ୍ଡ ସରକାରଙ୍କ ଠାରୁ ଏକ ଷ୍ଟାଟସ (ସ୍ଥିତି) ରିପୋର୍ଟ ମାଗିଛନ୍ତି। ହରିଦ୍ୱାରରେ ଆୟୋଜିତ ହୋଇଥିବା ଏକ ଧର୍ମୀୟ କାର୍ଯ୍ୟକ୍ରମ ସମୟରେ ଗତ ବର୍ଷ ଡିସେମ୍ବରରେ ଦିଆଯାଇଥିବା ଘୃଣା ଭାଷଣ ସମ୍ପର୍କରେ ଚାରିଟି ପ୍ରଥମ ସୂଚନା ରିପୋର୍ଟ (ଏଫଆଇଆର) ପଞ୍ଜୀକୃତ ହୋଇଛି ବୋଲି ଉତ୍ତରାଖଣ୍ଡ ରାଜ୍ୟ ସରକାର କହିବା ପରେ ବୁଧବାର ସୁପ୍ରିମ କୋର୍ଟ ଉତ୍ତରାଖଣ୍ଡ ସରକାରଙ୍କୁ ଅପ୍ରେଲ ୨୨ ସୁଦ୍ଧା ଏକ ସ୍ଥିତି ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ଧର୍ମ ସଂସଦରେ ମୁସଲମାନ ସମ୍ପ୍ରଦାୟ ବିରୋଧରେ ଘୃଣା ଭାଷଣ ଘଟଣାର ଏସଆଇଟି ଦ୍ୱାରା ‘ସ୍ୱାଧୀନ, ବିଶ୍ୱସନୀୟ ଏବଂ ନିରପେକ୍ଷ ଅନୁସନ୍ଧାନ’ ପାଇଁ ନିର୍ଦ୍ଦେଶ ମାଗିଥିବା ସାମ୍ବାଦିକ କୁର୍ବାନ୍‌ ଅଲି ଏବଂ ପାଟନା ହାଇକୋର୍ଟର ପୂର୍ବତନ ବିଚାରପତି ତଥା ବରିଷ୍ଠ ଓକିଲ ଅଞ୍ଜନା ପ୍ରକାଶଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନର ଶୀର୍ଷ ଅଦାଲତ ଆଜି ଶୁଣାଣି କରିଥିଲେ। ସୁପ୍ରିମ୍‌ କୋର୍ଟର ବିଚାରପତି ଜଷ୍ଟିସ ଏ ଏମ ଖାନୱିଲକର ଏବଂ ଜଷ୍ଟିସ ଏ ଏସ ଓକାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଉଲ୍ଲେଖଯୋଗ୍ୟ, ଗତ ଜାନୁଆରି ୧୨ରେ ଶୀର୍ଷ ଅଦାଲତ ଏହି ଆବେଦନ ଉପରେ ବିଜ୍ଞପ୍ତି ଜାରି କରି ଏହି ମାମଲାରେ ଅଭିଯୋଗ ଆଗତ ହୋଇଥିବା ଲୋକଙ୍କ ବିରୋଧରେ ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ବୁଧବାର ଶୁଣାଣି ସମୟରେ ଉତ୍ତରାଖଣ୍ଡ ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ଓକିଲ ଏହି ମାମଲାରେ ସତ୍ୟପାଠ ଦାଖଲ କରିବାକୁ ସମୟ ମାଗିଥିଲେ। ସେ ଅଦାଲତଙ୍କୁ କହିଥିଲେ ଯେ ଆମେ ଚାରିଟି ଏଫଆଇଆର ପଞ୍ଜିକରଣ କରିଛୁ ଏବଂ ସେଗୁଡ଼ିକ ମଧ୍ୟରୁ ତିନିଟିରେ ଚାର୍ଜସିଟ୍‌ ଦାଖଲ ହୋଇସାରିଛି। ସେ ଏହି ମାମଲାରେ ଏକ ସ୍ଥିତି ରିପୋର୍ଟ ଦାଖଲ କରିପାରିବେ। ଖଣ୍ଡପୀଠ ଉତ୍ତରାଖଣ୍ଡ ସରକାରଙ୍କ ଆଇନ୍‌ ପରାମର୍ଶଦାତାଙ୍କୁ ଏହାକୁ ଦାଖଲ କରିବାକୁ କହିଥିଲେ ଏବଂ ଏପ୍ରିଲ ୨୨ ତାରଖକୁ ଏହି ମାମଲାର ପରବର୍ତ୍ତୀ ଶୁଣାଣିକୁ ଧାର୍ଯ୍ୟ କରିଥିଲେ।

Share Now:

Kalinga News Beuro

Next Post

ହାଇକୋର୍ଟରେ ସୁମିତ-ତପସ୍ବିନୀ ମାମଲା : ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବେ ଉଭୟ

Wed Apr 13 , 2022
କଟକ: ବହୁ ଚର୍ଚ୍ଚିତ ସୁମିତ-ତପସ୍ବିନୀ ମାମଲାରେ ପୁଣି ମଧ୍ୟସ୍ଥତା ପ୍ରକ୍ରିୟା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ମାର୍ଚ୍ଚ ୩୧ର ନିର୍ଦ୍ଦେଶ ଅନୁସାରେ ପୂର୍ବରୁ ଅନୁଷ୍ଠିତ ମଧ୍ୟସ୍ଥତା ପ୍ରକ୍ରିୟା ସଂପର୍କିତ ରିପୋର୍ଟ ମଧ୍ୟସ୍ଥତା କେନ୍ଦ୍ର ତରଫରୁ ହାଇକୋର୍ଟରେ ଦାଖଲ କରାଯାଇଥିଲା। ଦୁଇଟି ତାରିଖରେ ସୁମିତ ଓ ତପସ୍ବିନୀ ମେଡିଏଟରଙ୍କ ନିକଟରେ ରଖିଥିବା ପକ୍ଷ ଓ ସେମାନଙ୍କ ମଧ୍ୟରେ ରହିଥିବା ବିବାଦ ପ୍ରସଂଗରେ ଦେଇଥିବା ମତାମତ ସଂକ୍ରାନ୍ତରେ ରିପୋର୍ଟରେ ବିସ୍ତୃତ ତଥ୍ୟ […]
ସୁମିତ-ତପସ୍ବିନୀ ମାମଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial