ରାୟଗଡ଼ା: ଅମ୍ବାଦଳା ବଜାରରେ ସାମ୍ବାଦିକ-ପୁଲିସ ମଧ୍ୟରେ ହୋଇଥିବା ପିଟାପିଟି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା। ସାମ୍ବାଦିକ କୁଶ ପାଢ଼ୀଙ୍କୁ ପୁଲିସ କର୍ମଚାରୀ ନିର୍ମମ ପିଟିବା ଘଟଣାରେ ଅମ୍ବାଦଳା ଥାନା ଅଧିକାରୀ ଦେବଦତ୍ତ ମଲ୍ଲିକଙ୍କ ବଦଳି ସହ ୨ କନେଷ୍ଟବଳଙ୍କୁ ସସ୍ପେଣ୍ଡ କରାଯାଇଛି। ଏଥି ସହିତ ସାମ୍ବାଦିକ କୁଶ ପାଢ଼ୀଙ୍କ ନାଁରେ ଅମ୍ବାଦଳା ଥାନାରେ ୨ଟି ମାମଲା ରୁଜୁ ହୋଇଥିବା ବେଳେ କୋର୍ଟ ଚାଲାଣ ପରେ ଶ୍ରୀ ପାଢ଼ୀ ଜାମିନରେ ମୁକୁଳିଛନ୍ତି। ଏପ୍ରିଲ୍ ୨୮ ତାରିଖ (ଗୁରୁବାର) ସଂଧ୍ୟାରେ ସାମ୍ବାଦିକ କୁଶ ପାଢ଼ୀଙ୍କ ସହ ଏକ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକଙ୍କ ମଧ୍ୟରେ ବିବାଦ ହୋଇଥିଲା। ଧାର ଟଙ୍କାକୁ ଦେଣନେଣକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଉଗ୍ର ରୂପ ନେବା ପରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ କର୍ମଚାରୀ ପହଞ୍ଚିବା ପରେ ସାମ୍ବାଦିକ କୁଶ ପାଢ଼ୀ ଓ ପୁଲିସ କର୍ମଚାରୀ ସାମାନ୍ୟ କଥାକୁ ନେଇ ଉତକ୍ଷିପ୍ତ ହୋଇ ପଡିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହେବା ସହ ମାରପିଟ୍ ମଧ୍ୟ ହୋଇଥିଲା। ଉଭୟେ ପରସ୍ପରକୁ ଆକ୍ରମଣ କରିଥିବା ବେଳେ ଦୁଇ ଜଣ କନେଷ୍ଟବଳଙ୍କ ମାଡ଼ରେ ସାମ୍ବାଦିକ ପାଢ଼ୀ ଲହୁଲୁହାଣ ହୋଇ ପଡିଥିଲେ। ଦୀର୍ଘ ସମୟ ଧରି ଦୁଇ କନେଷ୍ଟବଳ ପ୍ଲାଷ୍ଟିକ୍ ଲାଠିରେ ସାମ୍ବାଦିକଙ୍କୁ ପିଟିବା ଦ୍ବାରା କୁଶଙ୍କ ପିଠିରେ ଗୁରୁତର ଆଘାତ ଲାଗିଛି। ପରବର୍ତ୍ତୀ ସମୟରେ ସାମ୍ବାଦିକ-ପୁଲିସ କର୍ମଚାରୀ ଉଭୟେ ଥାନାର ଦ୍ବାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଥାନା ଅଧିକାରୀ ଶ୍ରୀ ମଲ୍ଲିକ ସାମ୍ବାଦିକ ପାଢ଼ୀଙ୍କୁ ଥାନାକୁ ଡାକି ବୁଝାଶୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଅଭିଯୋଗ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ପହଞ୍ଚିବା ପରେ ସାମ୍ବାଦିକଙ୍କୁ ନିର୍ମ୍ମମ ପିଟିବା ଘଟଣାରେ ଥାନା ଅଧିକାରୀଙ୍କୁ ଜିଲ୍ଲା ସଦର ମହକୁମାକୁ ବଦଳି ସହ ୨ କନେଷ୍ଟବଳକୁ ସସ୍ପେଣ୍ଡ କରାଯାଇଛି।
ପୁଲିସ-ସାମ୍ବାଦିକ ପିଟାପିଟି: ବଦଳିଲେ ଥାନା ଅଧିକାରୀ, ୨ କନେଷ୍ଟବଳ ସସ୍ପେଣ୍ଡ

Share Now: