ପାର୍ଟସ୍‌ ବୋଝେଇ ଟ୍ରକ୍‌ରେ ୫୦ ଲକ୍ଷ ଟଙ୍କାର ଗଞ୍ଜେଇ

୫୦ ଲକ୍ଷ ଟଙ୍କାର ଗଞ୍ଜେଇ

୩ ଅନ୍ତଃରାଜ୍ୟ ନିଶାମାଫିଆ ଗିରଫ, ଆନ୍ଧ୍ରରୁ ହରିୟାଣା ଚାଲାଣ ହେଉଥିଲା

ଭୁବନେଶ୍ବର: କେତେବେଳେ ଗାଡ଼ି ହେଡ୍‌ଲାଇଟ୍‌ରେ ତ ଆଉ କେତେବେଳେ ସିଟ୍‌ ତଳେ। ବିଭିନ୍ନ ହାଇଟେକ୍ ଉପାୟରେ ନିଶାଦ୍ରବ୍ୟ ଚାଲାଣ କରୁଥିବା ଅନ୍ତଃରାଜ୍ୟ ନିଶା ମାଫିଆଙ୍କ ଆଉ ଏକ ଚାଲ୍‌କୁ ପର୍ଦ୍ଦାଫାସ୍ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)। ଭୁବନେଶ୍ବର ଏନ୍‌ସିବି ଟିମ୍‌ ଗୁରୁବାର ବିଳମ୍ବିତ ରାତିରେ ପିତାପଲ୍ଲୀ-ବାରଙ୍ଗ ରାସ୍ତାରୁ ୫୦୬ କେଜି ଗଞ୍ଜେଇ ଭର୍ତ୍ତି ଏକ ଟ୍ରକ୍‌ ଜବତ କରିଛି। ଗିରଫ ହୋଇଥିବା ୩ ଅନ୍ତଃରାଜ୍ୟ ନିଶା ମାଫିଆ ହେଲେ, ଟ୍ରକ୍ ଚାଳକ ତଥା ହରିୟାଣା ହିସାର୍‌ର ବାସିନ୍ଦା ବଲଵନ ସିଂହ ଓରଫ କବୀର, ପଞ୍ଜାବ ପଟିଆଲାର ଯଶପାଲ ସିଂହ ଓ ଯଶନୁର୍ ସିଂହ। ଜବତ ଗଞ୍ଜେଇର ବଜାର ମୂଲ୍ୟ ପ୍ରାୟ ୫୦ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଏନ୍‌ସିବି ପକ୍ଷରୁ ସୂଚନା ଦିଆଯାଇଛି। ବଲଵନ୍ ଓ ଯଶପାଲ ନାଁରେ ପୂର୍ବରୁ ନିଶା କାରବାର ଅଭିଯୋଗ ରହିଛି। ସୂଚନାନୁଯାୟୀ, ଆନ୍ଧ୍ରପ୍ରଦେଶର ଅଙ୍କପଲ୍ଲୀରୁ ହରିୟାଣା ହିସାର୍‌କୁ ଗଞ୍ଜେଇ ଚାଲାଣ ପାଇଁ ନିଶା ମାଫିଆଙ୍କ ମଧ୍ୟରେ ଡିଲ୍ ହୋଇଥିଲା। ବିଶେଷ ସୂତ୍ରରୁ ଖବର ପାଇ ଏନ୍‌ସିବି ଗତକାଲି ଅପରାହ୍‌ଣରୁ ପିତାପଲ୍ଲୀ-ବାରଙ୍ଗ ରାସ୍ତାରେ ଡେରା ପକାଇଥିଲା। ବିଳମ୍ବିତ ରାତିରେ ଟ୍ରକ୍ ଦ୍ରୁତ ଗତିରେ ଯିବା ସମୟରେ ଏନ୍‌ସିବିର ପୂରା ଟିମ୍ ଗୋଡ଼ାଇ ଗୋଡ଼ାଇ ଟ୍ରକ୍‌(ପିବି ୧୧ସିଆର୍‌ ୨୯୫୮)କୁ ଧରିଥିଲେ। ଟ୍ରକ୍‌ରୁ ପାର୍ଟ୍ସ ପ୍ୟାକେଟ୍‌ ଖୋଲି ଯାଞ୍ଚ୍ କରିବା ପରେ ୨୦ରୁ ଅଧିକ ଗଞ୍ଜେଇ ଭର୍ତ୍ତି ଜରି ବସ୍ତା ମିଳିଥିଲା। ପରେ ଆଜି ୩ ଅଭିଯୁକ୍ତଙ୍କୁ ଏବଂ ଜବତ ଟ୍ରକ୍ ଓ ଗଞ୍ଜେଇକୁ ଭୁବନେଶ୍ବର ଏଲ୍‌ଡି କୋର୍ଟରେ ହାଜର କରାଇଛି ଏନ୍‌ସିବି। ତଦନ୍ତରୁ ଜଣାପଡ଼ିଛି, ଅଭିଯୁକ୍ତମାନେ ଏହିଭଳି ନିୟମିତ ବ୍ୟବଧାନରେ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାରୁ ଗଞ୍ଜେଇ ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା ଭଳି ରାଜ୍ୟକୁ ଚାଲାଣ କରୁଥିଲେ। ଧରାନପଡ଼ିବା ପାଇଁ ବିଭିନ୍ନ ଉପାୟରେ ଗଞ୍ଜେଇ ଚାଲାଣ କରୁଥିଲେ।

Share Now:

Kalinga News Beuro

Next Post

ଗଭୀର ଅବପାତର ରୂପ ନେଲା ଲଘୁଚାପ,ପୁରୀଠାରୁ ୧୧୮୦ କିଲୋମିଟର ଦୂରରେ : ପାଣିପାଗ ବିଭାଗ

Sat May 7 , 2022
ଭୁବନେଶ୍ବର : ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ନିକଟବର୍ତ୍ତୀ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଆଜି ସନ୍ଧ୍ୟାରେ ଗଭୀର ଅବପାତର ରୂପ ନେଇଛି। ଡିପ୍ରେସନ (ଅବପାତ) ମେ’ ୮ ତାରିଖ ସୁଦ୍ଧା ସକାଳୁ ଏକ ସାମୁଦ୍ରିକ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହା କୁହାଯାଇଛି। ବାତ୍ୟା ଏବେ ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପିଛା ୨୦କିମି ବେଗରେ ଅଗ୍ରସର ହେଉଛି। ଏହି ଡିପ୍ରେସନ ଆଜି ସନ୍ଧ୍ୟା […]
ଗଭୀର ଅବପାତର ରୂପ ନେଲା ଲଘୁଚାପ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial