ବିଜୟଙ୍କ ମନ୍ତବ୍ୟ ନେଇ ଅଡୁଆରେ ବିଜେପି:ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ

ଭୁବନେଶ୍ୱର: ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ସାରା ରାଜ୍ୟରେ ଆନ୍ଦୋଳନ ଜାରି ରଖିଛି। ଏହା କିନ୍ତୁ ସରକାରଙ୍କୁ ଆଘାତ ଦେବା ବଦଳରେ ନିଜ ଦଳ ପାଇଁ ବୁମେରାଂ ପାଲଟିଛି। ଆଉ କେହି ନୁହେଁ, ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ରାଜ୍ୟ ବିଜେପିକୁ ଆଜି କାଠଗଡାକୁ ଟାଣି ଆଣିଛନ୍ତି। ୯ବର୍ଷର ଭାଗୁଆଳି ସରକାରରେ ବେଳେ ଆଇନ ବିଭାଗ ଦାୟିତ୍ୱ ବିଜେପି ହାତରେ ଥିଲା। ସେ ସମୟରେ ତତ୍କାଳୀନ ଆଇନ ମନ୍ତ୍ରୀଙ୍କ ଭୂମିକା ନେଇ ଶ୍ରୀ ମହାପାତ୍ର ପ୍ରଶ୍ନ ଉଠାଇଛନ୍ତି। ଗତକାଲି ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ରାଜ୍ୟ ବିଜେପିକୁ ଆକ୍ଷେପ କରିଥିଲେ। ବିଜୟଙ୍କ ବାଣ ଆଜି ବିଜେପି ଶିବିରରେ କମ୍ପନ ସୃଷ୍ଟି କରିଛି। ତତ୍କାଳୀନ ଆଇନମନ୍ତ୍ରୀ ଶ୍ରୀ ହରିଚନ୍ଦନ ଆଜି ଆଉଥରେ ନିଜର ସ୍ପଷ୍ଟୀକରଣ ରଖିବାକୁ ବାଧ୍ୟ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ଗତକାଲି ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ବିଜେଡି-ବିଜେପି ମେଣ୍ଟ ସରକାରର ପ୍ରଥମ ୯ ବର୍ଷର ଶାସନ ସଂପର୍କରେ ପ୍ରଶ୍ନ ଉଠାଇଥିଲେ। କହିଥିଲେ, ଏମିତି ବି ଦିନଥିଲା, ଯେତେବେଳେ ବିଜୁ ଜନତା ଦଳ ବିଜେପି ସହଯୋଗରେ ଶାସନ କରୁଥିଲା। ଆଇନମନ୍ତ୍ରୀ ବିଜେପିରୁ ହିଁ ଥିଲେ। ଏବେ ପ୍ରଶ୍ନ ଉଠୁଛି, ବିଜେପି ସମର୍ଥିତ ବିଜୁ ଜନତା ଦଳର ଶାସନ କାଳରେ ଯେତେବେଳେ ବିଜେପିର ବି ସହଭାଗିତା ଥିଲା ଓ ବିଜେପିର ଆଇନମନ୍ତ୍ରୀ ଥିଲେ, ସେତେବେଳେ ଶ୍ରୀମନ୍ଦିର ଅବ୍ୟବସ୍ଥା ଦୂର କରିବା ପାଇଁ କି ପଦକ୍ଷେପ ନିଆଯାଇଥିଲା?

ଏହାର ୨୪ ଘଣ୍ଟା ପୂରିନି, ଆଜି ବିଜେପି ନେତା ବିଜୟ ମହାପାତ୍ର ବି ପଚାରିଛନ୍ତି ଯେ ମେଣ୍ଟ ସରକାରରେ ଥିବା ବେଳେ ବିଜେପିର ଆଇନମନ୍ତ୍ରୀ କ’ଣ ସଂସ୍କାର ଆଣିଥିଲେ? ଶ୍ରୀ ମହାପାତ୍ର ଆଜି ଗଣମାଧ୍ୟମକୁ କହିଛନ୍ତି, ଶଙ୍କରାଚାର୍ଯ୍ୟ କୌଣସି ଭୁଲ କହି ନାହାଁନ୍ତି। ମେଣ୍ଟ ସରକାର ବେଳେ କ’ଣ ସବୁ ସଂସ୍କାର ଅଣାଯାଇଥିଲା କମିସନ ବସିଲେ ସେସବୁ ପଦାକୁ ଆସିବ। ଶ୍ରୀ ମହାପାତ୍ର କହିଛନ୍ତି, ଯଦି ୬ ମାସରେ ରତ୍ନଭଣ୍ଡାର ଖୋଲିବା ନିୟମ ଥିଲା ବୋଲି ପ୍ରଶ୍ନ ଉଠାଇ ବିଜେପି ନେତାମାନେ ରାଜ୍ୟ ସରକାରଙ୍କୁ ଆକ୍ରମଣ କରୁଛନ୍ତି, ତେବେ ସେମାନେ ବି ଉତ୍ତର ଦେବା ଦରକାର ଯେ ୯ ବର୍ଷରେ କେତେଥର ଏହା ଖୋଲାଯାଇଛି? ନିୟମ ଅନୁସାରେ ୧୮ ଥର ଖୋଲାଯିବା କଥା। ହୋଇଛି କି? ଏକଥା ହୋଇଥିଲେ ଆଜି ରତ୍ନଭଣ୍ଡାର ଚାବି ହଜିବା ଘଟଣା ଚର୍ଚ୍ଚା ହେଉନଥାନ୍ତା କି ବିଜେପି ଯେଉଁ ରତ୍ନ ବ୍ୟାଙ୍କରେ ରଖାଗଲା ବୋଲି ପ୍ରଶ୍ନ ଉଠାଉଛି, ତାହାର କୌଣସି ଆବଶ୍ୟକତା ନଥାନ୍ତା। ଅନ୍ୟକୁ କହିବା ପୂର୍ବରୁ ଭାବିଚିନ୍ତି କହିବା କଥା ବୋଲି ସେ ନିଜ ଦଳର ନେତାଙ୍କୁ ପରାମର୍ଶ ଦେଇଛନ୍ତି। ଏ ପ୍ରସଙ୍ଗରେ ଆଜି ଗଣମାଧ୍ୟମ ସାମ୍ନାରେ ପୁଣି ଥରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀ ହରିଚନ୍ଦନ। କହିଛନ୍ତି, ତାଙ୍କ ସମୟରେ ସବୁଠାରୁ ଅଧିକ ସଂସ୍କାର କାର୍ଯ୍ୟକ୍ରମ ହୋଇଛି ଯାହା ଅନ୍ୟ କୌଣସି ସରକାର ସମୟରେ ହୋଇନାହିଁ।

Share Now:

Kalinga News Beuro

Leave a Reply

Next Post

ଚାଷୀ ହତାଶ:ଶ୍ରେଷ୍ଠ ପାଣି ପଞ୍ଚାୟତ ଏବେ ଶୁଖିଲା

Wed Jun 13 , 2018
ବରଗଡ଼: ଚାଷକାର୍ଯ୍ୟକୁ ବ୍ୟବସ୍ଥିତ କରିବା ଏବଂ ଜଳବଣ୍ଟନ ବ୍ୟବସ୍ଥାକୁ ତୃଣମୂଳ ସ୍ତରରେ ବିକେନ୍ଦ୍ରୀକରଣ କରିବା ଉଦ୍ଦେଶ୍ୟରେ ପାଣି ପଞ୍ଚାୟତ ଗଠନ କରାଯାଇଥିଲା। କିନ୍ତୁ ପାଣି ପଞ୍ଚାୟତ କିଭଳି ପାଣିରେ ପଡ଼ୁଛି ତାହାର ନଗ୍ନ ନମୁନା ପଦ୍ମପୁର ଉପଖଣ୍ଡରେ ଦେଖିବାକୁ ମିଳିଛି। ଏକଦା କୁମୁଡ଼ିନାଳା ସହ ସଂପୃକ୍ତ ସିଂହନପୁର ମା’ ଲଙ୍କେଶ୍ୱରୀ ପାଣି ପଞ୍ଚାୟତ ଶାଖା ଶ୍ରେଷ୍ଠ ପଞ୍ଚାୟତ ଭାବରେ ମୁଖ୍ୟମନ୍ତ୍ରୀ ପୁରସ୍କାର ଲାଭ କରିଥିଲା। କିନ୍ତୁ ଏହି ପାଣି ପଞ୍ଚାୟତ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial