ରାଜଧାନୀରେ ୱାଟକୋ ଯନ୍ତ୍ରଣା : ୧ କିମି ଦୂର ଯିବା ପାଇଁ ବୁଲିବାକୁ ପଡ଼ୁଛି ୯ କିମି

ଖଣ୍ଡଗିରି: ଭୁବନେଶ୍ୱରରେ ଯନ୍ତ୍ରଣାର ଅନ୍ୟନାମ ପାଲଟିଛି ୱାଟକୋ। ମହାନଗରର ବିଭିନ୍ନ ସ୍ଥାନରେ ସ୍ୱେରେଜ ପାଇଁ ୱାଟକୋ ପକ୍ଷରୁ ରାସ୍ତା ଖୋଳା ଯାଉଥିବାରୁ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି। ବ୍ୟବସ୍ଥାର ବିକାଶ ପାଇଁ ସାମାୟିକ ରାସ୍ତା ଖୋଳା ବା ବନ୍ଦରେ କାହାରି ଅଭିଯୋଗ ରହିବା କଥା ନୁହେଁ। କିନ୍ତୁ ଏ କ୍ଷେତ୍ରରେ ବିଭିନ୍ନ ସ୍ଥାନରେ ଖୋଳିଦେଇ ୱାଟକୋ ମାସ ମାସ ଧରି ପକାଇ ରଖୁଛି। କେଉଁଠି କାମ ଅଧାରେ ପଡ଼ି ରହୁଛି ତ କେଉଁଠି ଖୋଳିବା ପରେ କାମ ଆରମ୍ଭ ମଧ୍ୟ ହେଉନି। ଏହି କାରଣରୁ ପ୍ରତିଦିନ ସହରର କୌଣସି ନା କୌଣସି ଇଲାକାର ଲୋକଙ୍କ ଭିତରେ ଉତ୍ତେଜନା ସୃଷ୍ଟି ହେଉଛି। ଆନ୍ଦୋଳନ, ରାସ୍ତାରୋକ ଆଦି ହେଉଛି। କିନ୍ତୁ ଲୋକଙ୍କ ସମସ୍ୟା ପ୍ରତି ଆଦୌ ସମ୍ବେଦନା ନଥିବାରୁ ୱାଟକୋ ସେସବୁକୁ ଖାତିର କରୁନି ବୋଲି ଅଭିଯୋଗ ହେଉଛି।
ଉଦାହରଣସ୍ୱରୂପ, ସ୍ୱେରେଜ ସୁବିଧା କେବେ ମିଳିବ ଜଣାନାହିଁ, କିନ୍ତୁ ପ୍ରାୟ ୨ବର୍ଷ ହେବ ପଞ୍ଚସଖା ନଗର ଅଧିବାସୀ କେବଳ କଷ୍ଟ ହିଁ ପାଉଛନ୍ତି। ଦେଢବର୍ଷ ଧରି କଲୋନି ଭିତରେ ରାସ୍ତା ଖୋଳି ଦିଆଯିବା ପରେ ଏବେ ପୁଣି ପଞ୍ଚସଖା ନଗରରୁ ଜାଗମରା ଛକକୁ ଯାଇଥିବା ରାସ୍ତାକୁ ବନ୍ଦ କରି ଦିଆଯାଇଛି। ସ୍ଥିତି ଏଭଳି ହୋଇଛି ଯେ ୧ରୁ ଦେଢକିମି ଦୂରରେ ଥିବା ଜାଗମରାକୁ ଲୋକେ ପ୍ରାୟ ୯ କିମି ବାଟ ବୁଲିବୁଲି ଯାଉଛନ୍ତି। ପଞ୍ଚସଖା ନଗରରୁ ଜଣେ ଲୋ‌କ ଏବେ ଜାଗମରା ଛକକୁ ସିଧାସଳଖ ଯାଇ ପାରୁନାହିଁ। ସେ ପ୍ରଥମେ କସ୍‌ମୋପଲିସକୁ ଯିବ, ସେଠାରୁ ବୁଲିବୁଲି ଏମ୍‌ସ ଛକରେ ପହଞ୍ଚିବ। କିନ୍ତୁ ସେଠି ଅଣ୍ଡରପାସ୍‌ ବନ୍ଦ ରହିଛି। ତେଣୁ ସେବାଟେ ଯାଇ ନପାରି ସେ କିଛି ଦୂରରେ ଥିବା ଶନି ମନ୍ଦିର ଛକରେ ପହଞ୍ଚିବ। କିନ୍ତୁ ସେଠିକା ଅଣ୍ଡରପାସ୍‌ ମଧ୍ୟ ୧୫ ଦିନ ହେଲା ବନ୍ଦ। ତେଣୁ ଆହୁରି ୧ କିମି ଅତିକ୍ରମ କରି ସେ କଳିଙ୍ଗବିହାର ଅଣ୍ଡରପାସ୍‌ ଦେଇ ବୁଲିକି ଖଣ୍ଡଗିରି ଛକ ବାଟେ ଜାଗମରା ଛକରେ ପହଞ୍ଚିବ।
କେବଳ ପଞ୍ଚସଖାନଗର ନୁହେଁ, ଜଗମୋହନ ନଗର ଓ ଡୁମୁଡୁମା ଅଧିବାସୀମାନେ ମଧ୍ୟ ସମାନ ଭାବରେ କଷ୍ଟ ସହୁଛନ୍ତି ଓ ସମୟ ନଷ୍ଟ କରୁଛନ୍ତି। ସ୍ଥାନୀୟ ଅଧିବାସୀ କେ.ଏଲ. ମହାନ୍ତି କହିଲେ, ‘‘ଦେଢବର୍ଷ ଧରି ଯେତେବେଳେ ସ୍ୱେରେଜ କାର୍ଯ୍ୟ ପାଇଁ ପଞ୍ଚସଖା ନଗର ରାସ୍ତାକୁ ଖୋଳି ଦିଆଯାଇଥିଲା, ସେତେବେଳେ ଜାଗମରା-ଗଣ୍ଡମୁଣ୍ଡା ସ୍ୱେରେଜ କାମ ସାରି ଦିଆଯାଇଥିଲେ ଭଲ ହୋଇଥା’ନ୍ତା। କିନ୍ତୁ ସେଥିପ୍ରତି କେହି ଦୃଷ୍ଟି ଦେଲେନି। ତେଣୁ ଲୋକେ ଗୋଟିଏ କଷ୍ଟରୁ ମୁକ୍ତି ନ ପାଉଣୁ ଆଉ ଗୋଟିଏ କଷ୍ଟ ମାଡ଼ି ବସିଛି। ବିଭାଗଗୁଡ଼ିକ ଭିତରେ ସମନ୍ୱୟ ରହୁନଥିବାରୁ ସାଧାରଣ ଲୋକେ ଦୁଃଖ ପାଇବା ସାର ହେଉଛି।’’

Share Now:

Kalinga News Beuro

Next Post

ବରଗଡ଼ରେ ୭୬ ବର୍ଷର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା : ୧୦ କଂସଙ୍କ ରାଜୁତି

Fri Jan 12 , 2024
ବରଗଡ଼: ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ୭୬ ବର୍ଷର ଇତିହାସ। ଅନେକ ଘାତପ୍ରତିଘାତ ଦେଇ ଧନୁଯାତ୍ରାର ଲମ୍ବା ଯାତ୍ରା। ଖାଲି ସେତିକି ନୁହେଁ। ଆରମ୍ଭ ସମୟରେ ଅନ୍ଧବିଶ୍ୱାସ ବି ଧନୁଯାତ୍ରାର ବାଟ ଓଗାଳିଥିଲା। ଯାତ୍ରା ଆରମ୍ଭରୁ କଂସ ଭୂମିକାରେ ଅବତୀର୍ଣ୍ଣ ହେବା ପାଇଁ କଳାକାର ସାମ୍ନାକୁ ଆସୁନଥିଲେ। ଗବେଷକ କହନ୍ତି, କଂସ ଭୂମିକାରେ ଅଭିନୟ କଲେ ବଂଶ ବୁଡିଯିବା ଭୟ ଥିଲା। ଅନେକ ଲୋକଙ୍କ ପ୍ରଚେଷ୍ଟାରେ ଅନ୍ଧବିଶ୍ୱାସ ଦୂର ହେଲା। ଅଣ୍ଟାଭିଡ଼ି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial