ଅଳ୍ପକେ ବର୍ତ୍ତିଲେ କର୍ମଚାରୀ: ଷଣ୍ଢର ଜୀବନ ନେଲା ମୁକୁଳା ଟ୍ରାନ୍ସଫର୍ମର

ସେସୁ ବିଦ୍ୟୁତ କାର୍ଯ୍ୟାଳୟ-୧ରେ ବ୍ୟାପକ ଅବ୍ୟବସ୍ଥା

ଚନ୍ଦ୍ରଶେଖରପୁର: ସେସୁ ବିଦ୍ୟୁତ କାର୍ଯ୍ୟାଳୟ-୧ ଚନ୍ଦ୍ରଶେଖରପୁର ଅଧୀନରେ ଆସୁଥିବା ଅଞ୍ଚଳ ଅସୁରକ୍ଷିତ ହୋଇପଡ଼ିଛି। ଆଜି ବିଡିଏ ପାତାଳେଶ୍ୱର ମନ୍ଦିର ନିକଟରେ ଥିବା ଏକ ମୁକୁଳା ଟ୍ରାନ୍ସଫର୍ମର କାରଣରୁ ଆଜି ଏକ ଷଣ୍ଢର ପ୍ରାଣ ଯାଇଛି। ଟ୍ରାନ୍ସଫର୍ମର ଚାରି ପାଖରେ ତାରବାଡ଼ ଘେରାଇବାକୁ ବାରମ୍ବାର ସେସୁ-୧ ମୁଖ୍ୟଙ୍କ ନିକଟରେ ଦାବି ହେଉଥିଲେ ସୁଦ୍ଧା କୌଣସି ଫଳ ମିଳି ନଥିଲା। ଶେଷରେ ଆଜି ଗୋଟିଏ ନିରୀହ ପ୍ରାଣୀର ଜୀବନ ଯାଇଛି ବୋଲି ସ୍ଥାନୀୟ କର୍ପୋରେଟର୍‌ ସୌଭାଗ୍ୟ ରଂଜନ ବାରିକ ଅଭିଯୋଗ କରିଛନ୍ତି। ସେହିପରି ଆଜି ସେସୁ-୧ କାର୍ଯ୍ୟାଳୟ ପରିସରରେ ୩୩ କେଭି ଷ୍ଟ୍ରକଚର୍‌ରେ ଚଢ଼ି ମରାମତି କାମ କରୁଥିବା ସ୍ଥାୟୀ କର୍ମଚାରୀ ଲକ୍ଷ୍ମୀଧର ଦଳାଇ ଅଳ୍ପକେ ମୃତ୍ୟୁମୁଖରୁ ବର୍ତି ଯାଇଛନ୍ତି। ବିନା କିଛି ସୁରକ୍ଷା ଉପକରଣ ତଥା ଜେଇ, ଏସ୍‌ଡିଓଙ୍କ ଅନୁପସ୍ଥିତିରେ ଖୁଣ୍ଟରେ ଚଢ଼ି କାର୍ଯ୍ୟ କରୁଥିବା ଲକ୍ଷ୍ମୀଧର ଆର୍‌ଏମ୍‌ସି ଫିଡର୍‌ ସଟ୍‌ ଡାଉନ୍‌ ମାଗିଥିବା ବେଳେ ତଳେ ଥିବା ଫ୍ରାଞ୍ଚାଇଜ୍‌ କର୍ମଚାରୀ କେୟାର୍‌ ହସ୍ପିଟାଲ୍‌ ଫିଡ଼ର୍‌ ଦେଇଥିଲେ। ଫଳରେ ଖୁଣ୍ଟ ଉପରେ ଥିବା ଲକ୍ଷ୍ମୀଧରଙ୍କ ବାମ ହାତରେ ବିଦ୍ୟୁତ ଆଘାତ ଲାଗିଥିଲା। କଥା ବାହାରେ ପ୍ରଘଟ ହେବାର ଭୟ ଥିବାରୁ ତାଙ୍କୁ ହସ୍ପିଟାଲ୍‌ ନିଆ ନ ଯାଇ କାର୍ଯ୍ୟାଳୟ ପରିସରରେ ହିଁ ଚିକିତ୍ସା କରାଯାଉଥିବା ସୂଚନା ମିଳିଛି। ଜଣେ ଜୁନିଅର୍‌ ଆର୍ଟିସାନ୍‌-ଏ ଭାବରେ କାର୍ଯ୍ୟ କରୁଥିବା ଲକ୍ଷ୍ମୀଧର ଖୁଣ୍ଟରେ ଚଢ଼ି କାର୍ଯ୍ୟ କରିବା ନିୟମ ପରିସରଭୁକ୍ତ ନୁହେଁ। କିନ୍ତୁ ଉପରିସ୍ଥ କର୍ମଚାରୀଙ୍କ ବେପରୁଆ ମନୋଭାବ ଆଜି ତାଙ୍କ ମୃତ୍ୟୁର କାରଣ ହୋଇଥାଆନ୍ତା। ତେବେ ପ୍ରଶ୍ନ ଉଠୁଛି, ମୁକୁଳା ପଡ଼ିଥିବା ଟ୍ରାନ୍ସଫର୍ମର ସଂଯୋଗରେ ଆସି ଯଦି କୌଣସି ମଣିଷର ପ୍ରାଣ ଯାଇଥାଆନ୍ତା, ତେବେ ଏଥିପାଇଁ ଦାୟୀ କିଏ ହୋଇଥାଆନ୍ତା। ସେହିପରି ନିରାପତ୍ତା ଦିବସ ପାଳନ କରୁଥିବା ଏହି ବିଭାଗର ମୁଖ୍ୟମାନେ କିନ୍ତୁ କର୍ମଚାରୀଙ୍କ ସୁରକ୍ଷା ପ୍ରତି ସତେଯେମିତି ଆଖି ବୁଜି ଦେଇଛନ୍ତି। ଆବଶ୍ୟକ ସୁରକ୍ଷା ଉପକରଣ ନଥାଇ କିପରି କର୍ମଚାରୀଙ୍କୁ ଖୋଦ୍‌ ଅଫିସ୍‌ ପରିସରରେ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଉଛି, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାଜଧାନୀର ଅନେକ ସ୍ଥାନରେ ମୁକୁଳା ଟ୍ରାନ୍ସଫର୍ମର ରହିଥିଲେ ସୁଦ୍ଧା ବିଦ୍ୟୁତ ବିଭାଗ ଏଥିପ୍ରତି ଆଖି ବୁଜି ଦେଇଛି। ଏନେଇ ତୁରନ୍ତ ସମାଧାନ କରାନଗଲେ ବ୍ୟାପକ ଜନଆନ୍ଦୋଳନ ମୁଣ୍ଡ ଟେକିବା ନେଇ ସୂଚନା ମିଳିଛି।

Share Now:

Kalinga News Beuro

Leave a Reply

Next Post

ରାସ୍ତା କାମରେ ଦୁର୍ନୀତି ଅଭିଯୋଗ: ତଦନ୍ତ ଦାବି କଲେ ଗାଁ ଲୋକେ

Fri May 18 , 2018
ମୋହନା: ଗଜପତି ଜିଲ୍ଲା ବସ୍ତ୍ରିଗୁଡା ପଞ୍ଚାୟତର କଞ୍ଚୁମୁଲ ଗାଁ ରାସ୍ତା ନିର୍ମାଣ କାମରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଯନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ। ବ୍ଲକର ଯନ୍ତ୍ରୀ କେ. ନାଗେଶ୍ୱର ସେନାପତିଙ୍କ ତତ୍ତ୍ୱାବଧାନରେ ୨୦୧୬-୧୭ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ୩ଲକ୍ଷ ୪୫ ହଜାର ଟଙ୍କା ଓ ପଞ୍ଚାୟତର ଫୋର୍ଥ SFC ପାଣ୍ଠିରୁ ୧ଲକ୍ଷ ଟଙ୍କା ବିନିମୟରେ ଆରଡି ରାସ୍ତାଠାରୁ କଞ୍ଚୁମୁଲ ଗାଁ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial