ପଙ୍କ ସଫେଇର ମହାଦୁର୍ନୀତି : ଦୁଇ ଘଣ୍ଟା ବର୍ଷାରେ ଭାସିଲା କଟକ

ପଙ୍କ ସଫେଇର ମହାଦୁର୍ନୀତି

କଟକ: ଗତ ସଂଧ୍ୟାରେ ଦୁଇ ଘଣ୍ଟା କଚ୍ଚା ବର୍ଷାରେ ଭାସିଛି କଟକ। ଅଧିକାଂଶ ଅଞ୍ଚଳରେ ରାସ୍ତା ବୁଡିଛି, ଲୋକଙ୍କ ଘରେ ପାଣି ପଶିଛି। କଟକରେ ଜଳବନ୍ଦୀ ସମସ୍ୟା କିଛି ନୂଆକଥା ନୁହେଁ। କିନ୍ତୁ ବର୍ଷର ପ୍ରଥମ ବଡ ବର୍ଷାରେ ଏଭଳି ସ୍ଥିତି ଡ୍ରେନ୍ ପଙ୍କୋଦ୍ଧାରକୁ ନେଇ ହୋଇ ଆସୁଥିବା ଦୁର୍ନୀତି ଆଉ ଅବ୍ୟବସ୍ଥାର ଅଭିଯୋଗକୁ ସତ ପ୍ରମାଣିତ କରିଛି। ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ପ୍ରତ୍ୟେକ ବର୍ଷ କଟକର ଡ୍ରେନରୁ ପଙ୍କୋଦ୍ଧାର ହେବା କଥା। କିନ୍ତୁ ଚଳିତବର୍ଷ ତାହା କରା ନଯିବା ଘଟଣାକୁ ନେଇ ବାରମ୍ବାର ‌ଅଭିଯୋଗ ପରେ ସିଏମସି ଚେତିଲା। କିନ୍ତୁ ପଙ୍କୋଦ୍ଧାର କାର୍ଯ୍ୟ ଆରମ୍ଭ ହେଲା ବେଳକୁ ବର୍ଷା ଆସି ଯାଇଥିଲା। ଅନେକ ଡ୍ରେନରେ ତ ହାତ ବାଜି ନଥିଲା। ଯେଉଁଠି ସଫେଇ ହେଲା ବର୍ଷାରେ ପୁଣି ସେହି ‌ପଙ୍କ ଡ୍ରେନରେ ପଶିଲା। ଏଭଳି କାର୍ଯ୍ୟକରେ ମହାଦୁର୍ନୀତିର ଅଭିଯୋଗ ବିଭିନ୍ନ ମହଲରେ ହେଲା। ସ୍ଥିତି ଏଭଳି ହେଲା ଯେ ଶାସକ ଦଳର ରାଜ୍ୟସଭା ସାଂସଦ ସୁବାସ ସିଂହ ବିଭିନ୍ନ ୱାର୍ଡକୁ ଯାଇ ଡ୍ରେନରେ ପଙ୍କ ମାପିଲେ। ଅଧିକାରୀଙ୍କୁ ଡାକି ତାଗିଦ କଲେ। ଅର୍ଥାତ ଚଳିତବର୍ଷ କଟକରେ ଡ୍ରେନ୍ ପଙ୍କୋଦ୍ଧାର କାର୍ଯ୍ୟରେ ଗୁରୁତର ବିଭ୍ରାଟ ହୋଇଛି ବୋଲି ପରୋକ୍ଷରେ ଶାସକ ଦଳର ଲୋକ ପ୍ରତିନିଧି ସ୍ବୀକାର କଲେ। କଟକ ମହାନଗର ନିଗମରେ ଏବେ ନିର୍ବାଚିତ ପ୍ରତିନିଧି ନାହାନ୍ତି। ପ୍ରଶାସକଙ୍କ ହାତରେ ରହିଛି ସିଏମସି। ଆଜି ବର୍ଷାରେ କଟକ ଭାସିବା ଘଟଣା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ବର୍ଷା ଛାଡିବାର ଦୀର୍ଘ ସମୟ ପରେ ବି ଜଳ ନିଷ୍କାସନ ନହେବା ଘଟଣା ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି। ବାରମ୍ବାର ଦାବି ପରେ ବି ଡ୍ରେନ ପଙ୍କୋଦ୍ଧାର ଠିକରେ ନ କରିବା, କିନ୍ତୁ ଏଥିପାଇଁ ଲକ୍ଷାଧିକ ଟଙ୍କା ବିଲ୍ କରିବା ଏବଂ ଜଳ ନିଷ୍କାସନ ପାଇଁ ମୋଟରପମ୍ପ ବ୍ୟବସ୍ଥା ବି ଠିକରେ ନ ହେବା ଏଭଳି ସ୍ଥିତିର କାରଣ ବୋଲି ଅଭିଯୋଗ ହେଉଛି। ଅଧା ପଡିଥିବା ବକ୍ସ ଡ୍ରେନ୍ ଗୋଟିଏ ପଟେ ସହରର ଜଳବନ୍ଦୀ ସ୍ଥିତିର ପ୍ରମୁଖ କାରଣ ହୋଇଥିବା ବେଳେ ଅନ୍ୟପଟେ ବିଭିନ୍ନ ସ୍ଥାନରେ ଜାଇକା ପ୍ରକଳ୍ପର ବେପରୱା କାମ ସମସ୍ୟାକୁ ଡାକି ଆଣିଛି। ଜଳବନ୍ଦୀ ସ୍ଥିତି ସାଙ୍ଗକୁ ବିଭିନ୍ନ ରାସ୍ତାରେ ଜାଇକା ଖୋଳିଥିବା ଖାଲ ଯୋଗୁ ଆଜି ରାତିରେ ବାଦାମବାଡି ମୁଖ୍ୟ ରାସ୍ତା ସମେତ ସହରର ଗଳିକନ୍ଦି ରାସ୍ତାରେ ଏକାଧିକ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ବାଦାମବାଡିରୁ ଆରମ୍ଭ କରି ପଟ୍ଟାପୋଲ, ସିଡିଏରୁ ଆରମ୍ଭ କରି ମହାନଦୀବିହାର, ସବୁ ଅଞ୍ଚଳ ଜଳାର୍ଣ୍ଣବ ସାଙ୍ଗକୁ ଦୀର୍ଘ ସମୟ ଧରି ସଂଧ୍ୟାରେ ବିଦ୍ୟୁତ କାଟ୍ ଘଟଣା ସହରବାସୀଙ୍କୁ ବ୍ୟତୀବ୍ୟସ୍ତ କରିଛି।

Share Now:

Kalinga News Beuro

Next Post

ବର୍ଷୀୟାନ ବଲିଉଡ୍ ଅଭିନେତା ଦିଲୀପ କୁମାରଙ୍କ ପରଲୋକ

Wed Jul 7 , 2021
୯୮ ବର୍ଷ ବୟସରେ ସରିଗଲା ଜୀବନ ଯାତ୍ରା ମୁମ୍ବାଇ: ଆଉ ନାହାନ୍ତି ଲୋକପ୍ରିୟ ବଲିଉଡ୍‌ କଳାକାର ଦିଲୀପ କୁମା‌ର। ସେ ଆଜି ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା। ପୂର୍ବରୁ ତାଙ୍କ ଶ୍ବାସକ୍ରିୟାରେ ସମସ୍ୟା ଉପୁଜିବା ହେତୁ ଜୁନ୍‌ ୨୯ ତାରିଖରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଜୁନ୍‌ ୩୦ ତାରିଖରେ ତାଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲ୍‌ ଆଇସିୟୁରେ ରଖା […]
ଅଭିନେତା ଦିଲୀପ କୁମାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial