ଜୟପୁର: କରୋନା ସମୟରେ ଟାର୍ଗେଟ ଦିଆଯାଇଥିବା ମଦ ବିକ୍ରି କରିନପାରିବାରୁ ବ୍ୟବସାୟୀଙ୍କୁ ନୋଟିସ ଜାରି କଲା ଅବକାରୀ ବିଭାଗ। ଆଉ ଏନେଇ ଏବେ ମାମଲା ହାଇକୋର୍ଟରେ ପହଞ୍ଚିଛି। ମିଳିଥିବା ସୂଚନା ମୁତାବକ ରାଜସ୍ଥାନର ଯୋଧପୁରର କେତୁ ମାଣ୍ଡାର ମଦ ବିକ୍ରେତା ପ୍ରହ୍ଲାଦ ସିଂଙ୍କୁ ୧.୧୬ କୋଟି ଟଙ୍କା ଦେବାକୁ ଅବକାରୀ ବିଭାଗ ଏକ ନୋଟିସ ଜାରି କରିଥିଲା। ନୋଟିସ ଅନୁଯାୟୀ କରୋନା ମହାମାରୀ ସମୟରେ ମଦ ବିକ୍ରି ପାଇଁ ଯେଉଁ ଟାର୍ଗେଟ ଦିଆଯାଇଥିଲା ତାହାକୁ ଅନେକ ବ୍ୟବସାୟୀ ପୂରଣ କରିପାରିନଥିଲେ।
ଆଉ ଏଥିପାଇଁ ପ୍ରହ୍ଲାଦଙ୍କୁ ୧.୧୦ କୋଟି ଟଙ୍କା ଜରିମାନା ଭାବେ ଦେବାକୁ ଅବକାରୀ ବିଭାଗ ନୋଟିସ କରିଥିଲା। ଯେଉଁଥିରେ ୬.୬୨ ଲକ୍ଷ ଟଙ୍କା ସୁଧ ଦେବାକୁ କୁହାଯାଇଥିଲା। ଏହାପରେ ପ୍ରହ୍ଲାଦ ସିଂ ଅବକାରୀ ବିଭାଗର ଏହି ନିଷ୍ପତ୍ତି ବିରୋଧରେ ତାଙ୍କ ଓକିଲଙ୍କ ମାଧ୍ୟମରେ ହାଇକୋର୍ଟରେ ଆବେଦନ କରିଥିଲେ। ଆବେଦନକାରୀ କହିଛନ୍ତି ଯେ କରୋନା ଅବଧି ମଧ୍ୟରେ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ କ୍ଷତି ସହିଥିଲେ ଏବଂ ସବୁକିଛି ବନ୍ଦ ହୋଇଯାଇଥିଲା। ଯେଉଁ କାରଣରୁ ସେହି ସମୟ ମଧ୍ୟରେ ମହଙ୍ଗା ମଦ ବିକ୍ରି ଟାର୍ଗେଟ ପୂରଣ କରିବାକୁ ଅବକାରୀ ବିଭାଗ ଚାପ ପକାଇବା ଠିକ୍ ନୁହେଁ। ଅତୀତରେ, ଜୟପୁର କୋର୍ଟରେ ମଧ୍ୟ ସମାନ ମାମଲାକୁ ନେଇ ବିଚାରପତି ଏହି ବିଜ୍ଞପ୍ତିକୁ ସ୍ଥଗିତ ରଖିଥିଲେ। ମଦ ଦୋକାନରେ ମଦ ବିକ୍ରୟ ସମ୍ପର୍କରେ ଏକ୍ସାଇଜ୍ ବିଭାଗ ପକ୍ଷରୁ ଏହି ଟାର୍ଗେଟ ଦିଆଯାଇଥିଲା। ସେହି ଟାର୍ଗେଟ ପୂରଣ ନ କଲେ ଦଣ୍ଡବିଧାନ କରିବାର ବ୍ୟବସ୍ଥା ଅଛି। ଏହି କାରଣରୁ, ମଦ କଣ୍ଟ୍ରାକ୍ଟରଙ୍କଠାରୁ କ୍ଷତିପୂରଣ ପାଇଁ ଅବକାରୀ ବିଭାଗ ନୋଟିସ ଜାରି କରିଥିଲା।
ମଦ ବିକ୍ରି କରିନପାରିବାରୁ ବ୍ୟବସାୟୀମାନଙ୍କୁ ନୋଟିସ ଜାରି କଲା ଅବକାରୀ ବିଭାଗ : ହାଇକୋର୍ଟରେ ପହଞ୍ଚିଲା ମାମଲା
Share Now: