ସହିଦନଗର ରାସ୍ତାକଡ଼ରେ ପାର୍କିଂ ମନା : ଗାଡ଼ି ଉଠାଇ ନେବ ପୁଲିସ

ସହିଦନଗର ରାସ୍ତାକଡ଼ରେ ପାର୍କିଂ ମନା

ଭୁବନେଶ୍ବର: ସହିଦନଗରର ବିଭିନ୍ନ ଜାଗାରେ ରାସ୍ତାକଡ଼ରେ ପାର୍କିଂ ବାରଣ କରାଯାଇଛି। କଟକଣା ଲାଗୁ ହୋଇଥିବା ଅଞ୍ଚଳଗୁଡ଼ିକ ହେଉଛି, ଆଇଡିବିଆଇ ବ୍ୟାଙ୍କ୍‌ ଛକରୁ ଭେଟେନାରି କଲେଜ୍‌ ଓ ଏମ୍ପାୟର୍ସ ହୋ‌ଟେଲ୍‌ ଦେଇ ଜାତୀୟ ରାଜପଥ ପର୍ଯ୍ୟନ୍ତ ଯାଇଥିବା ରାସ୍ତା କଡ଼, ଆଲୋକ ଭାରତୀ ବିଲ୍ଡିଂ ଠାରୁ ସହିଦନଗର ଦୁର୍ଗାପୂଜା ମଣ୍ଡପ ଯାଇଥିବା ରାସ୍ତା କଡ଼, ଜନପଥରେ ଥିବା କଲ୍ୟାଣ ଜୁଏଲର୍ସରୁ ସ୍ପର୍ଶ ହସ୍‌ପିଟାଲ ଦେଇ ଚରକ ମେଡିକାଲ ଷ୍ଟୋର ପର୍ଯ୍ୟନ୍ତ ଯାଇଥିବା ରାସ୍ତା ପାର୍ଶ୍ବ ଓ ତୃପ୍ତି ସର୍ଭିସ ‌ଷ୍ଟେସନ ଠାରୁ ସହିଦନଗର ପ୍ରବେଶ ପଥ ପର୍ଯ୍ୟନ୍ତ ରାସ୍ତା କଡ଼। ବିଏସ୍‌ସିଏଲ୍‌(ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌) ପକ୍ଷରୁ ଏହି ଜାଗାକୁ ନୋ ପାର୍କିଂ ଜୋନ୍‌ ଘୋଷଣା କରାଯାଇଥିବା ବେଳେ କମିସନରେଟ୍‌ ପୁଲିସ ଏହି ଜୋନ୍‌ରେ ପାର୍କିଂ ହେଲେ ଗାଡ଼ିକୁ ଉଠାଇ ନେବାକୁ ବିଜ୍ଞପ୍ତି ଜାରି କରିଛି। କେବଳ ଉଠାଇନେବ ନାହିଁ ବରଂ ୫ଶହ ଟଙ୍କା ଜରିମାନା ସହିତ ବ୍ୟବହୃତ କ୍ରେନ୍‌ ପାଇଁ ହୋଇଥିବା ଖର୍ଚ୍ଚ ଗାଡ଼ି ମାଲିକ ଠାରୁ ଆଦାୟ ହେବ ବୋଲି ସ୍ପଷ୍ଟ କରିଛି। ଏହି ସବୁ ଅଞ୍ଚଳରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନ କିମ୍ବା ସରକାରୀ/ବେସରକାରୀ କାର୍ଯ୍ୟାଳୟକୁ ଆସୁଥିଲେ ରାସ୍ତା କଡ଼ରେ ପାର୍କିଂ କରିପାରିବେ ନାହିଁ। ଯେଉଁମାନଙ୍କର ପାର୍କିଂ ସୁବିଧା ଥିବ ସେଠାରେ ପାର୍କିଂ କରିବେ। ନଚେତ୍‌ ସହିଦନଗରରେ କାର୍ଯ୍ୟକ୍ଷମ ହୋଇଥିବା ବହୁତଳ ପାର୍କିଂରେ ଗାଡ଼ି ରଖିବେ।
ଏହି ଅଞ୍ଚଳରେ ଶହ ଶହ ଲୋକ ପାର୍କିଂ ଜାଗା ଦେଖାଇ ଘରର ପ୍ଲାନ୍‌ ନେଇଥିବା ବେଳେ ଦୋକାନ କରି ଭଡ଼ା ଦେଇଛନ୍ତି। ଏଥିପାଇଁ ପାର୍କିଂ ଜାଗା ହିଁ ବ୍ୟବହାର କରିଛନ୍ତି। ବାହାରେ ବର୍ଷ ବର୍ଷ ଧରି ବଡ଼ ବଡ଼ ଗାଡ଼ି ପାର୍କିଂ ହେଉଛି। ଫଳରେ ରାସ୍ତା ସଙ୍କୁଚିତ ହୋଇଯାଇଛି। ବଡ଼ ବଡ଼ ହୋଟେଲ ମଧ୍ୟ ପାର୍କିଂ ଜାଗାରେ ଘର କରି ବେପାର କରୁଛନ୍ତି। ରାସ୍ତା କଡ଼ରେ ଗ୍ରାହକଙ୍କ ଗାଡ଼ି ରଖାଯାଉଛି। ଏହି କଟକଣା ଯୋଗୁଁ ଏବେ ଏମାନେ ଫସିବାକୁ ଯାଉଛନ୍ତି। ଏଠାରେ ଉଲ୍ଲେଖ କରାଯାଇ ପାରେ, ରାଜମହଲ ବହୁତଳ ପାର୍କିଂ ସ୍ଥଳରେ ଟ୍ରା‌ଏଲ୍‌ ରନ୍‌ ସଫଳ ହୋଇଛି। ଦୁଇ ତାରିଖ ଭିତରେ ଏହା ମଧ୍ୟ ସର୍ବସାଧାରଣଙ୍କ ପାଇଁ ଉନ୍ମୁକ୍ତ ହେବ। ଫଳରେ ଏଠାରେ ମଧ୍ୟ ଅନୁରୂପ ଘୋଷଣା ହେବ। ରାସ୍ତା ଉପରେ ବିଏମ୍‌ସି କରୁଥିବା ପାର୍କିଂକୁ ବନ୍ଦ କରା ଯାଇଥିବା ବେଳେ ମାର୍କେଟ୍‌ ବିଲ୍ଡିଂ ଚାରିପାଖ ଓ ୧ ନମ୍ବର ହାଟ କଡ଼ରେ ମଧ୍ୟ ପାର୍କିଂ ନିଷିଦ୍ଧ ହେବ।

Share Now:

Kalinga News Beuro

Next Post

ଉପରକୋର୍ଟକୁ ଗଲେ ଅର୍ଚ୍ଚନା ଓ ଜଗବନ୍ଧୁ : ଉଭୟଙ୍କ ଜାମିନ ଆବେଦନ ଖାରଜ

Thu Dec 1 , 2022
ଭୁବନେଶ୍ୱର: ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଜାମିନ ଆବେଦନ ଗତକାଲି ଖାରଜ ହୋଇଥିଲା। ଏଣେ ଆଜି ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ଜାମିନ ଆବେଦନ ଏ ଡି ଜେ କୋର୍ଟରେ ଖାରଜ ହୋଇଛି। ଶ୍ରଦ୍ଧାଞ୍ଜଳିଙ୍କୁ ଟ୍ରାପ କରି ତାଙ୍କ ଭିଡିଓକୁ ବ୍ୟବହାର କରି ଟଙ୍କା ଆଦାୟ ମାମଲାରେ ତାଙ୍କ ଜାମିନ ଆବେଦନ ଖାରଜ ହୋଇଥିବା ଜଣାଯାଇଛି। ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ୩ କୋଟି ବ୍ଲାକ ମେଲ ମାମଲାରେ ଜେ ଏମ୍ […]
ଉପରକୋର୍ଟକୁ ଗଲେ ଅର୍ଚ୍ଚନା

ଆହୁରି ପଢ଼ନ୍ତୁ

Breaking News

Most Read

Social media & sharing icons powered by UltimatelySocial