କପିଳପ୍ରସାଦ-ହରିରାଜପୁର ରାସ୍ତା ପ୍ରଶସ୍ତୀକରଣ : ବିଳମ୍ବ କରୁଛି ଜମି ଅଧିଗ୍ରହଣ

ପୁରୁଣା ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ କପିଳପ୍ରସାଦ-ହରିରାଜପୁର ରାସ୍ତା ପ୍ରଶସ୍ତୀକରଣ କାମ ୩ ମାସ ବନ୍ଦ ରହିବା ପରେ ପୁଣି ଆରମ୍ଭ ହୋଇଛି। ଜମି ଅଧିଗ୍ରହଣ ସାଙ୍ଗକୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ବିଳମ୍ବ ହେଉଥିବାରୁ ସମସ୍ୟା ବଢ଼ୁଛି। କିନ୍ତୁ ଏବେ ପୂର୍ତ୍ତ ବିଭାଗ ଜମି ମାପଚୁପ କରିବା ସହ ‌ଜବରଦଖଲକାରୀଙ୍କ ସହ ଆଲୋଚନା କରିବା ପରେ ସମାଧାନର ବାଟ ବାହାରିଛି। ତେଣୁ ଏବେ ସବୁ କାମ ଠିକ୍‌ ସମୟରେ ସରିବ ବୋଲି କୁହାଯାଉଛି।
ହରିରାଜପୁର ପଟୁ ରାସ୍ତାର ୨ କିଲୋମିଟର ପ୍ରଶସ୍ତୀକରଣ କାମ ଶେଷ ହୋଇଛି। ଏହାପରଠୁ ଜଗନ୍ନାଥଙ୍କ ଜମି ପଡ଼ିଥିଲା ଏବଂ କ୍ଷତିପୂରଣ ମିଳିନଥିବାରୁ ଶ୍ରୀମନ୍ଦିର ପ୍ରଶାସନ କାମ ବନ୍ଦ କରିଥିଲା। ପୂର୍ତ୍ତ ବିଭାଗ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରି ଏହି ସମସ୍ୟାର ସମାଧାନ କରିଛି। ସେହିପରି କିଛି ସ୍ଥାନୀୟ ଲୋକ ରାସ୍ତା କଡ଼ର ସରକାରୀ ଜମିକୁ ନିଜର ବୋଲି ଦାବି କରି କାମ ବନ୍ଦ କରାଇଥିଲେ। ପୂର୍ତ୍ତ ବିଭାଗ ଅନୁରୋଧରେ ରାଜସ୍ୱ ବିଭାଗ ପଟ୍ଟା ଓ ମାଲିକାନା ଯାଞ୍ଚ କରିବା ପରେ ସେସବୁ ସରକାରୀ ବୋଲି ଜଣାପଡ଼ିଥିଲା।
ଏହାପରେ ସେମାନେ ନିଜ ଆଡ଼ୁ ଜବରଦଖଲ ଛାଡ଼ି ଦେଇଛନ୍ତି। କିନ୍ତୁ ପ୍ରଧାନସାହି, ଜାମୁକୋଳି, ନିରଞ୍ଜନପୁର ଆଦି ଗାଁର କିଛି ଲୋକଙ୍କ ସ୍ଥିତିବାନ ଜମିକୁ ନିୟମାନୁସାରେ ଅଧିଗ୍ରହଣ କରାଯିବ। ଅଧିଗ୍ରହଣ ବାବଦକୁ ସରକାରୀ ନିମୟାନୁସାରେ କ୍ଷତିପୂରଣ ଦିଆଯିବ ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ସେମାନେ ବି ରାସ୍ତା ପ୍ରଶସ୍ତୀକରଣକୁ ସହଯୋଗ କରିବାକୁ ରାଜି ହୋଇଛନ୍ତି। ତେଣୁ ଏଣିକି କାମ ସୁରୁଖୁରୁରେ ଆଗେଇ ଚାଲିବ ବୋଲି ଆଶା କରାଯାଉଛି। ସୁନ୍ଦରପଦାରୁ ହରିରାଜପୁରର ଦୂରତା ୧୪ କିମି। ପ୍ରଥମ ପର୍ଯ୍ୟାୟରେ କୁହା ଗାଁ ଛକରୁ ହରିରାଜପୁର ଛକ ପର୍ଯ୍ୟନ୍ତ ୮ କିମି ରାସ୍ତାର ପ୍ରଶସ୍ତୀକରଣ ପାଇଁ ୪୪ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ହରିରାଜପୁର ପଟୁ ୮କିଲୋମିଟର ରାସ୍ତାକୁ ୪ ଲେନ୍‌ କରାଯିବ। ଏବେ ପ୍ରଧାନସାହିରୁ କୁହା ପର୍ଯ୍ୟନ୍ତ ରାସ୍ତା କଡ଼ରେ ୨କିଲୋମିଟର ପର୍ଯ୍ୟନ୍ତ ମାଟି ପକାଇବା ଆରମ୍ଭ ହୋଇଛି। ରାସ୍ତା କଡ଼ରେ ଥିବା ଗଛ କାଟିବା ପାଇଁ ବନ ବିଭାଗରୁ ଅନୁମତି ମିଳିସାରିଛି। ବୀରବନ୍ଧଠାରେ ଗଙ୍ଗୁଆ ନଈ ଉପରେ ୨ କୋଟି ୬୫ଲକ୍ଷ‌ ଟଙ୍କା ବ୍ୟୟରେ ବ୍ରିଜ୍‌ ନିର୍ମାଣ କାମ ସରିଛି।
ସୂଚନାଯୋଗ୍ୟ ଯେ ୨୦୦୯ ମସିହାରେ ଏହି ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରାଗଲା। ଏହା ଭିତରେ ଏହି ଅଞ୍ଚଳରେ ଜନବସତି ବଢ଼ିଗଲାଣି। ରାସ୍ତାର ଦୁଇ ପାର୍ଶ୍ବରେ ନୂଆ ନୂଆ କଲୋନି, ଜାଭିୟର୍‌ ବିଶ୍ବବିଦ୍ୟାଳୟ ଭଳି ବଡ଼ବଡ଼ ଶିକ୍ଷାନୁଷ୍ଠାନ ଗଢ଼ିଉଠିଲାଣି। ଛକରେ ଛକରେ ଦୋକାନ, ବଜାର, ବ୍ୟାବସାୟିକ ପ୍ରତିଷ୍ଠାନ, ଗୋଦାମ ସଂଖ୍ୟା ମଧ୍ୟ ବଢ଼ିଗଲାଣି। ଏବେ ଏହା ରାଜଧାନୀର ଅନ୍ୟତମ ଜନଗହଳିପୂର୍ଣ୍ଣ ରାସ୍ତାରେ ପରିଣତ ହୋଇଛି। ତେଣୁ ଟ୍ରାଫିକ୍‌ ଜାମ୍‌ ଏକ ନିତିଦିନିଆ ସମସ୍ୟା ହୋଇଗଲାଣି। ମାତ୍ର ୧୪ କିମି ରାସ୍ତା ଅତିକ୍ରମ କରିବାକୁ ଘଣ୍ଟାଏ ଲାଗୁଛି। ଷ୍ଟ୍ରିଟ୍‌ ଲାଇଟ୍‌ ବ୍ୟବସ୍ଥା ନଥିବାରୁ ରାତିରେ ଅସାମାଜିକତତ୍ତ୍ବଙ୍କ ଆଡ଼ା ଜମୁଛି। ଚୋରି, ଡକାୟତି, ଛିନ୍‌ତାଇ ଓ ରାହାଜାନି ଏହି ଅଞ୍ଚଳରେ ନିତିଦିନିଆ ଘଟଣା ପାଲଟିଯାଇଛି। ତେଣୁ ରାସ୍ତା ପ୍ରଶସ୍ତୀକରଣ ସାଙ୍ଗକୁ ଷ୍ଟ୍ରିଟ୍‌ ଲାଇଟ୍ ବ୍ୟବସ୍ଥା ତୁରନ୍ତ ସରୁ ବୋଲି ସ୍ଥାନୀୟ ବାସିନ୍ଦାମାନେ ଦାବି କରି ଆସୁଛନ୍ତି।

Share Now:

Kalinga News Beuro

Next Post

ଆମେରିକାର ରୁଷିଆ ବିରୋଧରେ ପୁଣି ନୂଆ ପ୍ରତିବନ୍ଧକ

Fri Feb 23 , 2024
ୱାଶିଂଟନ: ରୁଷିଆ-ୟୁକ୍ରେନ ଯୁଦ୍ଧ ଜାରି ରହିଛି। ରୁଷିଆକୂ ଆର୍ଥିକ କ୍ଷେତ୍ରରେ ଦୁର୍ବଳ କରିବା ଲାଗି ଆମେରିକା ପକ୍ଷରୁ ବଡ଼ ଧରଣର ପଦକ୍ଷେପ ଗ୍ରହଣ କରାଯିବାକୁ ଯୋଜନା କରାଯାଇଛି। ଆମେରିକାର ଟ୍ରେଜେରି ବିଭାଗ ରୁଷିଆ ବିରୋଧରେ ୫୦୦ ନୂଆ ପ୍ରତିବନ୍ଧକ ଲଗାଇବାକୁ ଯୋଜନା କରିଛି। ଏନେଇ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ପ୍ରଦାନ କରାଯାଇଛି। ୨୦୨୨ ଫେବୃଆରୀ ୨୪ରେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା। ଅନ୍ତର୍ଜାତୀୟସ୍ତରରେ ବହୁ ଚାପ ସତ୍ତ୍ବେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial