ରାଜଧାନୀରେ ମୁଣ୍ଡ ଟେକୁଛି ନୂଆ ଗ୍ୟାଙ୍ଗ୍‌ : ଲୋକେ ଆତଙ୍କିତ

ରାଜଧାନୀରେ ମୁଣ୍ଡ ଟେକୁଛି ନୂଆ ଗ୍ୟାଙ୍ଗ୍‌

ବନ୍ଧା ହେଲେଣି ୩୦ରୁ ଅଧିକ, ଏବେ ବି ଅନେକ ଫେରାର୍

ଭୁବନେଶ୍ବର : ଦାଦାବଟି ଆଦାୟ କରିବାଠାରୁ ଆରମ୍ଭ କରି ଲୁଟ୍‌ପାଟ କରିବା ପାଇଁ ଲୋକଙ୍କୁ ଆକ୍ରମଣ କରୁଛନ୍ତି। ଖଣ୍ଡା, ଭୁଜାଲି ଓ କଟୁରିରେ ନିର୍ମମ ଭାବେ ହାଣୁଛନ୍ତି। ଏମିତିକି ବନ୍ଧୁକ ଫୁଟାଇ ଆତଙ୍କ ରଚୁଛନ୍ତି। ରାତିର ନିର୍ଜନତାରେ ରାଜରାସ୍ତାରେ ମେଳିବାନ୍ଧି ଘୂରି ବୁଲିବା, ଗାଡ଼ିରେ ଷ୍ଟଣ୍ଟ୍‌ କରିବା, ଖଣ୍ଡା ଓ ଭୁଜାଲି ବୁଲାଇ ସହରରେ ଆତଙ୍କ ରଚୁଛନ୍ତି। ଆଉ ଏଭଳି ଭୟଙ୍କର ଭିଡିଓକୁ ଇନ୍‌ଷ୍ଟାଗ୍ରାମ୍‌‌ରେ ପୋଷ୍ଟ କରି ଲୋକଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଛନ୍ତି। କେତେବେଳେ ଲୋକେ କେବିଏନ୍‌ ଗ୍ୟାଙ୍ଗ୍‌ର ଶିକାର ହେଲେଣି ତ ପୁଣି କ‌େତେବେଳ କଟୁରି ଗ୍ୟାଙ୍ଗ, ଚକରା ଗ୍ୟାଙ୍ଗ, ଡେଭିଡ୍‌ ଗ୍ୟାଙ୍ଗ, କ୍ରାଉନ୍‌ ଗ୍ୟାଙ୍ଗ, ନାଇଟ୍‌ ରାଇଡର ଗ୍ୟାଙ୍ଗ, ପବ୍ଲିକ ଷଣ୍ଢ ଗ୍ୟାଙ୍ଗ୍‌ର ଆତଙ୍କ ରାଜଧାନୀବାସୀଙ୍କୁ ଆତଙ୍କିତ କଲାଣି। ରାଜଧାନୀରେ ମୁଣ୍ଡ ଟେକିଛନ୍ତି ଏଭଳି ଏକାଧିକ ଗ୍ୟାଙ୍ଗ। କମିସନରେଟ୍‌ ପୁଲିସ ଯେତେ ଗ୍ୟାଙ୍ଗକୁ ଠାବ କରି ଅଭିଯୁକ୍ତଙ୍କୁ ବାନ୍ଧୁଛି, ସେତେ ନୂଆ ନୂଆ ଗ୍ୟାଙ୍ଗର ତଥ୍ୟ ସାମ୍ନାକୁ ଆସୁଛି। ସବୁଠୁ ଚାଞ୍ଚଲ୍ୟକର କଥା ହେଉଛି କେତେକ ଗ୍ୟାଙ୍ଗ୍‌ର ମଙ୍ଗ ଧରିଥିବା ମୁଣ୍ଡିଆଳମାନେ ଉଚ୍ଚଶିକ୍ଷିତ। କିଏ ଇଂଜିନିୟରିଂ ଛାତ୍ର ତ କିଏ ଏମ୍‌ବିଏ ଛାତ୍ର। ଏମାନେ ବସ୍ତି ପିଲାଙ୍କୁ ସାମିଲ୍‌ କରି ସହରରେ ଅପରାଧର ସାମ୍ରାଜ୍ୟ ବିସ୍ତାର କରୁଛନ୍ତି।
ଏନ୍‌କାଉଣ୍ଟର୍‌ ପରେ ବି ଥମୁନି ଭାଇଗିରି
କମିସନରେଟ୍‌ ପୁଲିସ ରାଜଧାନୀରୁ ଗ୍ୟାଙ୍ଗ ମୂଳପୋଛ କରିବା ପାଇଁ ଗତ କିଛି ମାସ ମଧ୍ୟରେ ଜୋରଦାର ଚଢ଼ଉ କରିଛି। ୫ରୁ ଅଧିକ ଗ୍ୟାଙ୍ଗ୍‌ର ୩୦ରୁ ଅଧିକଙ୍କୁ ବାନ୍ଧିଲାଣି। ୫ରୁ ଅଧିକ ବନ୍ଧୁକ, ପୁଳାପୁଳା ଗୁଳି, କଟୁରି, ଖଣ୍ଡା ଭଳି ମାରଣାସ୍ତ୍ର ଜବତ କଲାଣି। ଏମିତିକି ଗ୍ୟାଙ୍ଗ୍‌ଙ୍କୁ ନିଷ୍କ୍ରିୟ କରିବା ପାଇଁ ପୁଲିସ ଏନ୍‌କାଉଣ୍ଟର ବି କଲା। ଯେତେ ବାନ୍ଧିଲେ କି ଏନ୍‌କାଉଣ୍ଟର କଲେ ବି ସେମାନଙ୍କୁ ଆୟତ୍ତ କରିବା କାଠିକର ପାଠ ହୋଇଛି। ଏନ୍‌କାଉଣ୍ଟର ପରେ ମଧ୍ୟ ପୁଲିସ ଦୁଇଟି ଗ୍ୟାଙ୍ଗକୁ ଠାବ କଲାଣି। ଅର୍ଥାତ ଏବେ ବି ଅନେକ ଗ୍ୟାଙ୍ଗର ଅପରାଧୀ ସହରରେ ସକ୍ରିୟ ଅଛନ୍ତି। ସେମାନେ ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି।
ତୀକ୍ଷ୍ଣ ନଜର ରଖିଛୁ: ଡିସିପି
ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ପାଟ୍ରୋଲିଂ ଟିମ୍‌ ଗଠନ କରାଯାଇଛି। ସେମାନେ ପୁରା ସହର ଉପରେ ନଜର ରଖିଛନ୍ତି। ଏହାଛଡ଼ା ସମସ୍ତ ଥାନା ଏବଂ ସ୍ପେସାଲ୍‌ସ୍କ୍ବାର୍ଡ ଟିମ୍‌ ମଧ୍ୟ ଅପରାଧୀଙ୍କ ଉପରେ ନଜର ରଖିଛି। ଯଦି ଆଗକୁ ସେଭଳି କୌଣସି ଗ୍ୟାଙ୍ଗ ସକ୍ରିୟ ଥିବା ‌ନେଇ ସୂଚନା ମିଳେ ନିଶ୍ଚିତ ଗ୍ୟାଙ୍ଗକୁ ଠାବ କରାଯିବ। ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି ପ୍ରତୀକ ସିଂ କହିଛନ୍ତି।

Share Now:

Kalinga News Beuro

Next Post

ବଡ ଡାକ୍ତରଖାନାର ନଗ୍ନ କଥା : ଡାକ୍ତରଙ୍କୁ ଦେଖାଇବାକୁ ହେଲେ ଚଟାଣରେ ବସୁଛନ୍ତି ରୋଗୀ

Tue Jun 7 , 2022
କଟକ: ଆପଣ କଟକ ବଡ଼ ଡାକ୍ତରଖାନା ହୃଦ୍‌ରୋଗ ବିଭାଗରେ ଡାକ୍ତରଙ୍କୁ ଦେଖାଇବାକୁ ଆସୁଛନ୍ତି କି? ତା’ହେଲେ ଆପଣଙ୍କୁ ତଳେ ବସିବାକୁ ପଡ଼ିବ। ଯେଉଁମାନେ ତଳେ ବସିପାରିବେନି ସେମାନଙ୍କୁ ଛିଡ଼ା ହୋଇ ଅପେକ୍ଷା କରିବାକୁ ହେବ। ଏଠାରେ ଓପିଡିକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ପାଇଁ ବସିବାକୁ ଚେୟାର୍‌ ଖଣ୍ଡିଏ ନାହିଁ। ଯିଏ ଚିକିତ୍ସା ପାଇଁ ଆସିବେ ସେ ତଳେ ବସିବେ। ସେ ତେଣିକି ଗୁରୁତର ରୋଗୀ ହୁ୍ଅନ୍ତୁ ପଛେ ତଳେ […]
ଡାକ୍ତରଙ୍କୁ ଦେଖାଇବାକୁ ହେଲେ ଚଟାଣରେ ବସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial