ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନବନିର୍ମିତ ସଂସଦ ଭବନ ଉପରେ ନିର୍ମିତ ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭର ଉନ୍ମୋଚନ କରିଛନ୍ତି। ଏହି ଅବସରରେ ସେ ସଂସଦ ଭବନ ନିର୍ମାଣରେ ସାମିଲ ଥିବା ଶ୍ରମିକମାନଙ୍କ ସହ କଥାବାର୍ତ୍ତା କରିଥିଲେ। ବ୍ରୋଞ୍ଜ ନିର୍ମିତ ଏହି ଅଶୋକ ସ୍ତମ୍ଭଟି ୬.୩ ମିଟର ଉଚ୍ଚ ହୋଇଥିବାବେଳେ ତାହାର ଓଜନ ୯୫୦୦ କିଲୋଗ୍ରାମ ରହିଛି। ଏହି ଅବସରରେ ଲୋକସଭା ବାଚସ୍ପତି ଓମ ବିରଲା ଉପସ୍ଥିତ ଥିଲେ। ତେବେ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ୟ୍ୟକ୍ରମକୁ ନେଇ ବିବାଦ ଦେଖାଦେଇଛି। ବିରୋଧୀ ଦଳ ସାଂସଦମାନଙ୍କୁ ଏହି କାର୍ୟ୍ୟକ୍ରମକୁ ଡକାଯାଇନଥିବାରୁ କଂଗ୍ରେସ ତାହାର ସମାଲୋଚନା କରିଛି। କଂଗ୍ରେସ ନେତା ସଂଦୀପ ଦିକ୍ଷିତ କହିଛନ୍ତି ଯେ ଏକ ନୂଆ ସଂସଦ ଭବନ ନିର୍ମାଣ ହେଉଛି ତାହା ଭଲ କଥା। କିନ୍ତୁ ସଂସଦ କୌଣସି ସରକାର, ରାଜନୈତିକ ଦଳ ବା ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଂପତ୍ତି ନୁହେଁ। ସଂସଦ ସଂପର୍କିତ ଯେକୌଣସି କାର୍ୟ୍ୟକ୍ରମକୁ ବିରୋଧୀ ଦଳ ନେତାମାନଙ୍କୁ ଡକାଯିବା ଉଚିତ। ପ୍ରାୟ ୯୭୧ କୋଟି ଟଙ୍କା ବିନିମୟରେ ନିର୍ମିତ ସଂସଦ ଭବନ ଚଳିତ ବର୍ଷ ସଂସଦର ଶୀତ ଅଧିବେଶନ ପୂର୍ବରୁ ସଂପୂର୍ଣ୍ଣ ହେବାର ସମ୍ଭାବନା ରହିଛି। ଏହାର ନିର୍ମାଣ କାର୍ୟ୍ୟ ୨୦୨୧ ଜାନୁଆରିରେ ଆରମ୍ଭ ହୋଇଥିଲା। ସେତେବେଳେ ଏହି ପ୍ରକଳ୍ପକୁ ନେଇ ବିରୋଧୀ ଦଳମାନେ ସରକାରଙ୍କୁ ସମାଲୋଚନା କରିଥିଲେ।
ନୂଆ ସଂସଦ ଭବନ ଉପରେ ଅଶୋକ ସ୍ତମ୍ଭର ଉଦଘାଟନ କଲେ ମୋଦୀ : କାର୍ଯ୍ୟକ୍ରମକୁ ଡକାଯାଇନଥିବାରୁ କଂଗ୍ରେସ ଖପ୍ପା

Share Now: