ଜବରଦଖଲମୁକ୍ତ ହେଲା ରାଜମହଲ-ଏଜି ରାସ୍ତା: ପୁଣି ଜବରଦଖଲ କଲେ ୧୦ହଜାର ଜରିମାନା

ଭୁବନେଶ୍ୱର: ୟୁନିଟ-୧ ହାଟ ଏବଂ ୟୁନିଟ-୨ ମାର୍କେଟ୍‌ ବିଲଡିଂରେ ଦେଖା ଦେଉଥିବା ଭିଡ଼, ପାର୍କିଂ ସମସ୍ୟା ଦୂର କରିବା ଏବଂ ରାଜମହଲ ଛକରୁ ଏଜି ଏବଂ ଏଜି ଛକରୁ ରାଜମହଲ ମଧ୍ୟରେ ଯେମିତି ଗାଡ଼ି ଚଳାଚଳ ସ୍ଵଭାବିକ ହେବ ସେଥିପାଇଁ ଏହି ଦୁଇ ରାସ୍ତାରୁ ଆଜି ଜବରଦଖଲ ଉଚ୍ଛେଦ ହୋଇଛି। ରାଜମହଲରୁ ଏଜି ଏବଂ ଏଜିରୁ ରାଜମହଲ ଛକ ପର୍ଯ୍ୟନ୍ତ ରାସ୍ତାରେ ଫୁଟପାଥ୍‌କୁ ଜବରଦଖଲମୁକ୍ତ କରିବା ସହ ବ୍ୟବସ୍ଥିତ ପାର୍କିଂ କରିବା, ‌ଶୌଚାଳୟଗୁଡ଼ିକର ପୁନରୁଦ୍ଧାର କରିବା ପାଇଁ କାମ ଆରମ୍ଭ ହୋଇଛି। ବିଏମ୍‌ସି ଓ କମିସନରେଟ୍ ପୁଲିସ ସହାୟତାରେ ଆଜି ଜବରଦଖଲ ଉଚ୍ଛେଦ ହୋଇଥିବାବେଳେ ଏଥିରେ ୨୬ଟି ଫଳ ଦୋକାନ, ୩ଟି ଟ୍ରଲି ଦୋକାନ, ଗୋଟିଏ ଫୁଲ ଦୋକାନ ଏବଂ ୪ଟି ଫାଷ୍ଟଫୁଡ୍‌ ଦୋକାନକୁ ଉଠାଯାଇଛି। ଏହାସହ ଏହି ରାସ୍ତାରେ ଉଠା ଦୋକାନ ପକାଇଲେ କିମ୍ବା କୌଣସି ପ୍ରକାରର ଜବରଦଖଲ କଲେ ୧୦ହଜାର ଟଙ୍କା ଜରିମାନା କରାଯିବ ବୋଲି ନିଷ୍ପତ୍ତି ହୋଇଛି। ବିଏମ୍‌ସିର ନିଷ୍ପତ୍ତି ଅନୁଯାୟୀ, ଏଣିକି ରାଜମହଲରୁ ଏଜି ଛକ ପର୍ଯ୍ୟନ୍ତ ରାସ୍ତାରେ ୟୁନିଟ-୧ ହାଟ ସମ୍ମୁଖରେ ଆଉ ବାଇକ୍ ପାର୍କିଂ ହେବନି। ଏଠାରେ ଗୋଟିଏ ଲେନ୍‌ରେ କେବଳ ଚାରିଚକିଆ ଯାନ ପାର୍କିଂ ହେବ। ସେହିପରି ହାଟ ଭିତରେ ଗଣେଶ ମନ୍ଦିର ନିକଟରେ ଯେଉଁଠି ବାଇକ୍ ପାର୍କିଂ ହେଉଛି ସେହିଠାରେ ହିଁ ସମସ୍ତ ବାଇକ୍ ପାର୍କିଂ ହେବ। ଏଠାରେ ପ୍ରାୟ ୨୫୦ ବାଇକ୍ ପାର୍କିଂ ବ୍ୟବସ୍ଥା ହୋଇଛି। ସେହିପରି ହାଟ ସମ୍ମୁଖ ରାସ୍ତାକୁ ବ୍ୟାରିକେଡ୍‌ କରି ଏଠାରେ ପ୍ରାୟ ୫୦ଟି କାର୍‌ ପାର୍କିଂ ବ୍ୟବସ୍ଥା କରାଯିବ। ଗୋଟିଏ ଲେନ୍ ଭିତରେ ସବୁ କାର୍ ପାର୍କିଂ ହେବ। ଲେନ୍ ବାହାରେ ଯଦି କେହି ପାର୍କିଂ କରିବେ ତେବେ ପୁଲିସ ସେମାନଙ୍କଠାରୁ ଜରିମାନା ଆଦାୟ କରିବ। ବର୍ତ୍ତମାନ ହାଟ ସମ୍ମୁଖ ରାସ୍ତାରେ ଦୁଇ ଲେନ୍‌ରେ ବାଇକ୍ ଓ କାର୍ ପାର୍କିଂ ହେଉଥିବାବେଳେ ଏହାକୁ ହଟାଯିବ। କେବଳ ଏତିକି ନୁହେଁ ୟୁନିଟ-୧ ଏବଂ ୟୁନିଟ-୨ ହାଟ ପାର୍ଶ୍ଵରେ ଥିବା ଫୁଟପାଥ୍‌କୁ ସଂପୂର୍ଣ୍ଣ ଜବରଦଖଲ ମୁକ୍ତ କରାଯାଇଛି। ଏଥିପାଇଁ ସମସ୍ତ ଫଳ ବ୍ୟବସାୟୀଙ୍କୁ ଉଠାଯାଇଛି। ସେମାନଙ୍କୁ ବିଏମ୍‌ସିର ଫଳ ମାର୍କେଟକୁ ସ୍ଥାନାନ୍ତର କରାଯାଇଥିବା ବେଳେ ବଳି ପଡ଼ିଥିବା କିଛି ବ୍ୟବସାୟୀଙ୍କୁ ଖୁବ୍‌ ଶୀଘ୍ର ଭେଣ୍ଡିଂ ଜୋନ୍ କିମ୍ବା ହାଟ ଭିତରେ ବସାଯିବ। କିନ୍ତୁ କେହି ଫୁଟପାଥ୍ ଜବରଦଖଲ କରିବେନି। ସମସ୍ତ ସରକାରୀ କ୍ଵର୍ଟର୍ସ ସମ୍ମୁଖ, ରାସ୍ତା ଓ ଫୁଟପାଥ୍‌ ଜବରଦଖଲମୁକ୍ତ ରହିବ।

Share Now:

Kalinga News Beuro

Leave a Reply

Next Post

କଂଗ୍ରେସରେ ଭାଇରାଲ ଚିଠି...

Wed Jan 22 , 2020
ଭୁବନେଶ୍ୱର: ଏକ ଚିଠିକୁ ନେଇ ରାଜ୍ୟ କଂଗ୍ରେସରେ ହେବାକୁ ଥିବା ପରିବର୍ତ୍ତନର ଆଭାସ ମିଳିଛି । ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିବା ଏହି ଚିଠି ଓଡ଼ିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂଙ୍କୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଲେଖିଥିବା ଦେଖାଯାଇଛି | ଏହି ଚିଠିରେ କଂଗ୍ରେସର ମିଡ଼ିଆ କମିଟିର ପୁର୍ନଗଠନ ପାଇଁ ଲେଖାଯାଇଛି | ଏଥିରେ ମିଡ଼ିଆ କମିଟିର ସାଙ୍ଗଠନିକ ସ୍ତରରେ ପରିବର୍ତ୍ତନ ପାଇଁ ପିସିସି ସଭାପତି କିଛି ନାମ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial