ପୁରୁଣା ଗଛ ଶୁନ୍ୟ ହେବ ରାଜଧାନୀ ଭୁବନେଶ୍ୱର : ୫ ବ‌ର୍ଷରେ କାଟିଲେଣି ୧୦ ହଜାର ପୁରୁଣା ଗଛ

‌ରାଜଧାନୀରୁ ହଜେଇ‌ଦେବେ ପୁରୁଣା ଗଛ

ଭୁବନେଶ୍ୱର: ଖୁବ୍‌ ଶୀଘ୍ର ରାଜଧାନୀରୁ ହଜିଯିବ ପୁରୁଣା ଗଛ। ସହରର କଳେବର ବୃଦ୍ଧି ଓ ବିଭିନ୍ନ ସମ୍ପ୍ରସାରଣ କାର୍ଯ୍ୟ ବାହାନାରେ ୫୦/୬୦ ବର୍ଷ ତଳର ବଡ଼ବଡ଼ ଗଛକୁ ବଳି ପକାଇଦିଆଯାଉଛି। ଗତ ୫ ବର୍ଷ ଭିତରେ ୧୦ ହଜାରରୁ ଅଧିକ ବଡ଼ ଗଛ କାଟିଦିଆଗଲାଣି। କ୍ୟାପିଟାଲ୍‌ ହସ୍ପିଟାଲ୍‌, ବିଧାୟକ କଲୋନି, ଖଣ୍ଡଗିରି, ସିଆର୍‌ପିଏଫ୍ ଭିଆଇପି କଲୋନିରୁ କଳିଙ୍ଗଷ୍ଟୁଡିଓ ଛକ ପର୍ଯ୍ୟନ୍ତ ଆଦି ଅଞ୍ଚଳରୁ ଶହଶହ ପୁରୁଣା ବଡ଼ବଡ଼ ଗଛ କଟାସରିଛି। ସେହିଭଳି ସହର ଭିତରେ ମାଷ୍ଟରକ୍ୟାଣ୍ଟିନ୍‌, ଗଙ୍ଗନଗର, ବମିଖାଲ, କଳ୍ପନା ଭଳି ପ୍ରମୁଖ ଛକରୁ ବି ପୁରୁଣା ବଡ଼ଗଛ ସବୁ କଟାଯାଇଛି। ଏବେ ନିକଟରେ କୋର୍ଟ ପରିସରରୁ ପ୍ରାୟ ୧୦ରୁ ଅଧିକ ବଡ଼ବଡ଼ ଗଛକୁ କାଟି ଦିଆଯାଇଛି। ଭୂତଳ ପାର୍କିଂ ନିର୍ମାଣ ପାଇଁ ୫୦/୬୦ ବର୍ଷ ତଳର ବର, ଅଶ୍ୱତ୍‌ଥ, ପଣସ ଭଳି ଗଛକୁ କାଟି ପକାଇଛନ୍ତି। ଦେଶର ଅନ୍ୟାନ୍ୟ ସହରରେ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ର‌ୟୋଗ କରି ବଡ଼ ଗଛ ସବୁକୁ କାଟିଦେବା ବଦଳରେ ଅନ୍ୟତ୍ର ସ୍ଥାନାନ୍ତରଣ କରାଯାଉଛି। କିନ୍ତୁ ଭୁବନେଶ୍ୱରରେ ଏଭଳି ହୋଇପାରୁନି। ତେଣୁ ପରିବେଶବିତ୍‌ମାନେ ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି।
ଭୁବନେଶ୍ୱର କୋର୍ଟ ପରିସରରେ ରହିଛି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଖଣ୍ଡଗିରି ଓ ଭୁବନେଶ୍ୱର ଦୁଇ ସବ୍‌ରେଜିଷ୍ଟାର କାର୍ଯ୍ୟାଳୟ ଏବଂ ଭୁବନେଶ୍ୱର ତହସିଲ କାର୍ଯ୍ୟାଳୟ। ନିକଟରେ ଦେବୋତ୍ତର କମିସନର କାର୍ଯ୍ୟାଳୟ ଓ ଭୁବନେଶ୍ୱର ବ୍ଲକ କାର୍ଯ୍ୟାଳୟ ବି ରହିଛି। ତେଣୁ ଏଠାକୁ ପ୍ରତିଦିନ ବିଭିନ୍ନ କାର୍ଯ୍ୟ‌ରେ ହଜାର ହଜାର ଲୋକ ଆସିଥାଆନ୍ତି। ଖରା, ବର୍ଷାରୁ ରକ୍ଷା ପାଇବାକୁ ଲୋକମାନେ ଏଠାରେ ଥିବା ୫୦/୬୦ ବର୍ଷର ଗଛ ତଳେ ଆଶ୍ରୟ ନେଇଥାଆନ୍ତି। ବିଭିନ୍ନ କାର୍ଯ୍ୟାଳୟକୁ ଆସୁଥିବା ଲୋକଙ୍କ ସହ କାର୍ଯ୍ୟରତ ଆଇନଜୀବୀ, ନୋଟାରିଙ୍କଠାରୁ ଆରମ୍ଭ କରି ମୋହରିର, ଷ୍ଟାମ୍ପ୍‌ଭେଣ୍ଡରମାନେ ଏହି ଗଛ ତଳେ ସକାଳୁ ରାତି ଯାଏ ନିଜ ନିଜ କାମରେ ବ୍ୟସ୍ତ ରହୁଥିଲେ। ଅନେକଗୁଡ଼ିଏ ଉଠା‌ ଦୋକାନୀ ମଧ୍ୟ ନିଜର ଗୁଜୁରାଣ ମେଣ୍ଟାଉଥିଲେ।

କିନ୍ତୁ ନୂତନ କୋର୍ଟ ବିଲଡିଂ ଓ ଭୂତଳ ପାର୍କିଂ ପାଇଁ ସବୁ ବଡ଼ବଡ଼ ଗଛକୁ କାଟି ଦିଆଯାଇଛି। ରାଜଧାନୀରେ ଏପରି ଗଛ କଟାଯିବା କିଛି ନୂଆ କଥା ନୁହେଁ। କିଛି ଦିନ ତଳେ କ୍ୟାପିଟାଲ୍‌ ହସ୍ପିଟାଲ୍‌ର ସଂପ୍ରସାରଣ ଓ ନୂତନ ପିଜି ଇନ୍‌ଷ୍ଟିଚ୍ୟୁଟ୍‌ ବିଲଡିଂ ନିର୍ମାଣ ପାଇଁ ବହୁ ପୁରୁଣା ଗଛକୁ ବଳି ପକାଇ ଦିଆଯାଇଥିଲା। ସେହିଭଳି ବିଧାୟକ କଲୋନିରେ ବି ଶତାଧିକ ବଡ଼ବଡ଼ ପୁରୁଣା ଗଛ କଟା ଯାଇଥିଲା। ଏବେ କଳ୍ପନାରୁ ବଡ଼ବଡ଼ ଦେଇ ଜଗନ୍ନାଥ ଆଶ୍ରମ ପର୍ଯ୍ୟନ୍ତ ରାସ୍ତା ଚଉଡ଼ା କରାଯିବା ପାଇଁ ମଧ୍ୟ ଗଛ କଟା ଚାଲିଛି। ତଥ୍ୟ ଅନୁସାରେ ଭୁବନେଶ୍ୱର ସିଟି ଫରେଷ୍ଟ ଡିଭିଜନ୍‌ ଅଧୀନରେ ଗତ ୫ ବର୍ଷ ଭିତରେ ରାଜଧାନୀର ରାସ୍ତାଘାଟ, କୋଠାବାଡ଼ି, ଓଭରବ୍ରିଜ୍‌ ଆଦି ବିଭିନ୍ନ ପ୍ରକଳ୍ପର ନିର୍ମାଣ ପାଇଁ ଛୋଟ ବଡ଼ ଗଛ ମିଶାଇ ମୋଟ୍‌ ୧୦ ହଜାର ୮୧ ଗଛ କଟାଯାଇଛି। ଗୋଟିଏ ଗଛ କାଟିବା ପରେ ବଦଳରେ ୧୦ଟି ଗଛ ଲଗାଇବା ପାଇଁ ସୁପ୍ରିମ୍‌କୋର୍ଟ ନିୟମ କରିଛନ୍ତି। ସେହି ଅନୁଯାୟୀ ୧ ଲକ୍ଷରୁ ଊର୍ଦ୍ଧ୍ବ ଗଛ ଲଗାଯିବା କଥା। କିନ୍ତୁ ଏଯାଏ ପାଖାପାଖି ୬୨ ହଜାର ଗଛ ଲଗାଯାଇଛି। ଉଦ୍‌ବେଗର କଥା ହେଉଛି ରାଜଧାନୀ ଭିତରୁ ଗଛ କଟାଯାଉଥିବା ବେଳେ ହେଁ ନୂଆ ଗଛସବୁ ରାଜଧାନୀ ବାହାରେ ବହୁ ଦୂରରେ ଲଗାଯାଉଛି। ସେହିପରି କୌଣସି ବିଲଡିଂ ନିର୍ମାଣର ଏକ ତୃତୀୟାଶଂ ଅଂଶରେ ଗଛ ଲଗାଯିବା ନିୟମ ରହିଥିଲେ ହେଁ ତାହା ମଧ୍ୟ କଡ଼ାକଡ଼ି ଭାବେ ପାଳନ କରାଯାଉନାହିଁ। ପରିବେଶବିତ୍‌ମାନଙ୍କ କହିବା କଥା ମହାରାଷ୍ଟ୍ରରେ ରତ୍ନଗିରି-ନାଗପୁର ୧୬୬ ନମ୍ବର ଜାତୀୟ ରାଜପଥ ନିର୍ମାଣ ବେଳେ ସାଙ୍ଗଲି ଜିଲ୍ଲାର ଭୋସ୍ ଗ୍ରାମ ନିକଟରେ ୪ ଶହ ବର୍ଷର ଏକ ବରଗଛକୁ କଟା ନଯାଇ ଜାତୀୟ ରାଜପଥର ଦିଗ ପରିବର୍ତ୍ତନ କରାଯାଇଥିଲା। ହାଇଦ୍ରାବାଦ୍‌ ଓ ବେଙ୍ଗାଲୁରୁ ଭଳି ସହରରେ ମେସିନ୍‌ ଯୋଗେ ଗଛକୁ ନ କାଟି ସ୍ଥାନାନ୍ତରଣ କରାଯାଇପାରୁଛି। ଏମିତିକି ଗଛକୁ ନ କାଟି ବିଲ୍‌ଡିଂର ଡିଜାଇନ୍‌ କରାଯାଉଛି। କିନ୍ତୁ ଓଡ଼ିଶାରେ ସେଭଳି ହୋଇପାରୁନାହିଁ। ପରିବେଶବିତ୍‌ ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି ଯେ ରାଜଧାନୀରେ ଏମିତି ବେଧଡ଼କ ଗଛ କଟାଯାଉଥିବାରୁ ଗତ କିଛି ବର୍ଷ ହେଲା ଭୁବନେଶ୍ୱର ଓଡ଼ିଶାର ଅନ୍ୟତମ ଉତ୍ତପ୍ତ ସହର ହୋଇଯାଇଛି। ରାଜଧାନୀର ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି।
ବଡ଼ଗଡ଼ ମଇଁଷାଖାଲ ପଡ଼ିଆରେ ମାଟିରେ ଲୋଟିଛି ବରଗଛ
ନିୟମାନୁସାରେ ଗଛ କାଟିବା ଓ ନୂଆ ଗଛ ଲଗାଇବା ଦ୍ୱାରା ହିଁ ଭୁବନେଶ୍ୱରର ତାପମାତ୍ରା ବୃଦ୍ଧିରେ ରୋକ୍‌ ଲଗାଯାଇ ପାରିବ। କିନ୍ତୁ ପରିତାପର କଥା ତାହା କରାଯାଉନାହିଁ। ପ୍ରତିବର୍ଷ ବହୁ ପୁରୁଣା ଗଛଗୁଡ଼ିକୁ ମନଇଚ୍ଛା କଟାଯାଉଛି। ଅଥଚ ଧାର୍ଯ୍ୟ ପରିମାଣର ଗଛ ସହର ଭିତରେ ଲଗାଯାଉନାହିଁ। ଏବେ ବିଭିନ୍ନ ଜ୍ଞାନକୌଶଳ ବ୍ୟବହାର କରି ଗଛକୁ ସ୍ଥାନାନ୍ତରଣ କରାଯାଇ ପାରୁଛି। କିନ୍ତୁ ଭୁବନେଶ୍ୱରରେ ସେମିତି କରାଯାଉନାହିଁ। ସହର ଭିତରୁ ବିଶାଳ ଦ୍ରୁମ୍‌ କାଟି ୪୦/୫୦ କିମି ଦୂରରେ ଛୋଟଛୋଟ ଗଛ ଲଗାଯିବାର କୌଣସି ଅର୍ଥ ନାହିଁ ବୋଲି ସେ କ୍ଷୋଭର ସହ କହିଛନ୍ତି। ତେଣୁ ସହର ଯେମିତି ବଢ଼ୁଛି, ଆଗକୁ ଭୁବନେଶ୍ୱର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହେବ ବୋଲି ସେ ଚେତାବନୀ ଦେଇଛନ୍ତି। ଏନେଇ ସିଟି ଫରେଷ୍ଟ ଡିଏଫ୍‌ଓ ଅଜିତ୍‌ ଶତପଥୀ କହିଛନ୍ତି କୋର୍ଟ ପରିସରରୁ କଟା ଯାଇଥିବା ଗଛ ବଦଳରେ ଦଶ ଗୁଣା ଗଛ ଲଗାଯିବ। ଗଛର ସ୍ଥାନାନ୍ତରଣ ଉପରେ ସେ କହିଛନ୍ତି ଯେ କୌଣସି ଗଛର ଗୋଲେଇ ୧୨୦ ସେମି ଭିତରେ ରହିଲେ ଏବଂ ନିକଟରେ ଜାଗା ଥିଲେ, ତାହାକୁ ସ୍ଥାନାନ୍ତରଣ କରାଯାଇ ପାରୁଛି। ବଡ଼ବଡ଼ ଗଛକୁ ଦୂରରେ ନେଇ ପୁନଃରୋପଣ କରିବା ବହୁ ବ୍ୟୟବହୁଳ। ତେଣୁ ଏହା ସମ୍ଭବ ନୁହେଁ। ତେବେ ସହର ଭିତରେ କିଭଳି ଅଧିକରୁ ଅଧିକ ଗଛ ଲଗାଯାଇ ପାରିବ, ସେ ଦିଗରେ ଦୃଷ୍ଟି ଦିଆଯାଉଛି ବୋଲି ସେ କହିଛନ୍ତି।

Share Now:

Kalinga News Beuro

Next Post

ବ୍ଲାକ୍‌ମେଲିଂ ଓ ଗଣଦୁଷ୍କର୍ମର ଶିକାର ହେଲେ ଡାକ୍ତର ଦମ୍ପତିଙ୍କ ଝିଅ

Mon Mar 6 , 2023
କାନପୁର: ଉତ୍ତରପ୍ରଦେଶର କାନପୁରରୁ ଆସିଛି ଏକ ‌ଲୋମଟାଙ୍କୁରା ଘଟଣା। ୟୁପିର ଜଣେ ଯୁବକ ଇନ୍‌ଷ୍ଟାଗ୍ରାମ୍‌ରେ ଜଣେ ଯୁବତୀଙ୍କ ସହ ପ୍ରଥମେ ବନ୍ଧୁତ୍ୱ କରି ପରେ ତାଙ୍କୁ ବ୍ଲାକ୍‌ମେଲ୍‌ ଓ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ, ଯୁବକ ଜଣକ ଦୁଷ୍କର୍ମ ପରେ ଯୁବତୀଙ୍କ ଶରୀରରେ ବ୍ଲେଡ୍‌ରେ ନିଜ ନାମ ବି ଲେଖିଛନ୍ତି। ଏହି କାଣ୍ଡରେ ଅଭିଯୁକ୍ତ ସମେତ ଆହୁରି ୭ ଜଣ ବି ସାମିଲ୍‌ ଅଛନ୍ତି। ସମସ୍ତଙ୍କ […]
ଇନ୍‌ଷ୍ଟାଗ୍ରାମରେ ପ୍ରେମ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial