କେନ୍ଦୁଝରରେ ଉନ୍ନତମାନର ଚିକିତ୍ସା ସୁବିଧା ମିଳିପାରିବ, ଜିଲ୍ଲାବାସୀଙ୍କୁ ଆଉ କଟକ-ଭୁବନେଶ୍ୱର ଯିବାକୁ ପଡ଼ିବନି: ମୁଖ୍ୟମନ୍ତ୍ରୀ

କେନ୍ଦୁଝରରେ ଉନ୍ନତମାନର ଚିକିତ୍ସା

ଭୁବନେଶ୍ୱର: କେନ୍ଦୁଝରରେ ମେଡିକାଲ କଲେଜ ସହ ଏକ କ୍ୟାନସର ଚିକିତ୍ସା କେନ୍ଦ୍ର ଓ ନର୍ସିଂ କଲେଜ ପାଇଁ ଭିତ୍ତିଭୂମି ଦିଆଯାଇଛି ଏବଂ ଏହା ଖୁବଶୀଘ୍ର ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦୁଝର ଗସ୍ତ କରି ସେଠାରେ ନବନିର୍ମିତ ଧରଣୀଧର ମେଡିକାଲ କଲେଜ ଓ ହସ୍‌ପିଟାଲ ଲୋକାର୍ପଣ କରିବା ପରେ ଏହା କହିଛନ୍ତି। କେନ୍ଦୁଝରରେ ମେଡିକାଲ କଲେଜ ନିର୍ମାଣ ଦ୍ୱାରା ଡାକ୍ତର ଅଭାବ ଦୂର ହେବା ସହିତ ଜିଲ୍ଲାରେ ଉନ୍ନତମାନର ଚିକିତ୍ସା ସୁବିଧା ମିଳିପାରିବ ଏବଂ ଜିଲ୍ଲାବାସୀ ଆଉ କଟକ-ଭୁବନେଶ୍ୱର ଯାଇ ହଇରାଣ ହେବାକୁ ପଡିବ ନାହିଁ ବୋଲି ସେ କହିଥିଲେ।
ହଜାର ହଜାର ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କ ଆନନ୍ଦ ଉଲ୍ଲାସ ମଧ୍ୟରେ ମୁଖ୍ୟମନ୍ତ୍ରୀ ଏହା ଉଦ୍‌ଘାଟନ କରି ଯେତେବେଳେ ପଚାରିଲେ ‘ଆପଣମାନେ ଖୁସି ତ ?’ ସେତେବେଳେ ବହୁଗୁଣିତ ଉତ୍ସାହର ସହ ପ୍ରତିଧ୍ୱନି ହୋଇଥିଲା ‘ହଁ’। ତା ପରେ ମୁଖ୍ୟମନ୍ତ୍ରୀ କହିଥିଲେ ମୁଁ ବି ବହୁତ ଖୁସି। ଏହାପରେ ଧରଣୀଧର କଲେଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ସ୍ୱୟଂ ଏହି ମାନ୍ୟତା ପତ୍ର ପିଲାମାନଙ୍କୁ ଦେବାକୁ ଚାହାନ୍ତି ବୋଲି ଶ୍ରୀ ପାଣ୍ଡିଆନ ପ୍ରକାଶ କରିଥିଲେ। ଆନନ୍ଦ, ଉଲ୍ଲାସ ମଧ୍ୟରେ ଛାତ୍ରଛ୍ରତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଇଥିଲେ ଏବଂ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ବିଶ୍ୱବିଦ୍ୟାଳୟ ମାନ୍ୟତାର ନିର୍ଦ୍ଦେଶନାମା ଦେଖାଇଥିଲେ। ସବୁ ଜୀବନ ମୋ ପାଇଁ ମୂଲ୍ୟବାନ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ନୀତିରେ ରାଜ୍ୟର ସ୍ୱାସ୍ଥ୍ୟସେବାର ବିକାଶ କରାଯାଉଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାରା ରାଜ୍ୟରେ ୮ ଲକ୍ଷ ୩୦ ହଜାର ୭୭୩ ଲୋକ ଉପକୃତ ହୋଇଥିବା ବେଳେ ଏଥିପାଇଁ ୧୮୨୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି। କେବଳ କେନ୍ଦୁଝରରେ ୨୪ ହଜାର ଲୋକ ଉପକାର ପାଇଛନ୍ତି ଏବଂ ୪୭ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି ସେ କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ପାଇଁ ୪୭୦୩ କୋଟି ଟଙ୍କାର ୨୫୯ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିରେ ୧୧୦୩ କୋଟି ଟଙ୍କାର ୧୩୮ଟି ପ୍ରକଳ୍ପ ପାଇଁ ଭିତ୍ତିଭୂମି ଦିଆଯାଇଥିବା ବେଳେ, ୮୬୮ କୋଟି ଟଙ୍କାର ୯୮ଟି ପ୍ରକଳ୍ପ ଉଦ୍‌ଘାଟନ କରାଯାଇଥିଲା ଏବଂ ୨୭୩୧ କୋଟି ଟଙ୍କାର ୨୩ଟି ନୂଆ ପ୍ରକଳ୍ପ ପାଇଁ ଘୋଷଣା ରହିଛି। ଜିଲ୍ଲାରେ ୧୪,୩୭୨ ମିଶନ ଶକ୍ତି ଗୋଷ୍ଠୀ ଜରିଆରେ ୧.୬୦ ଲକ୍ଷ ମହିଳା ସ୍ୱାବଲମ୍ବୀ ହୋଇପାରିଛନ୍ତି। ସେମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୩୭୮ କୋଟି ଟଙ୍କାର ସୁଧବିହୀନ ଋଣ ପ୍ରଦାନ ବ୍ୟବସ୍ଥା କରାଯାଇଛି। ବାଂଶପାଳର ବଣପୁଷ୍ପ ସ୍ୱୟଂ ସହାୟକ ଗୋଷ୍ଠୀକୁ ମୁଖ୍ୟମନ୍ତ୍ରୀ ୨୦ ଲକ୍ଷ ଟଙ୍କାର ଋଣ ଚେକ୍‌ ଆକାରରେ ପ୍ରଦାନ କରିଥିଲେ ଏବଂ ଘଷିପୁରାର ବିଜୟା ସ୍ୱୟଂ ସହାୟକ ଗୋଷ୍ଠୀକୁ ୨୫,୭୫୭ ଟଙ୍କାର ସୁଧ ରିହାତି ପ୍ରଦାନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମିଶନ ଶକ୍ତିର ମା ମାନେ ରାଜ୍ୟର ସୁନାମ ବୃଦ୍ଧି କରିଛନ୍ତି। ସେମାନଙ୍କୁ ଉଦ୍ୟୋଗୀ କରିବା ମୋର ଲକ୍ଷ୍ୟ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ ଯେ ଏହି ଅର୍ଥରେ ସେମାନେ ଭଲ ବ୍ୟବସାୟ କରି ନିଜର, ନିଜ ପରିବାରର ଓ ନିଜ ଅଞ୍ଚଳର ଆର୍ଥିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀ, ମହିଳା ଓ ଯୁବସମାଜ ଆମ ରାଜ୍ୟର ତ୍ରିଶକ୍ତି । ଏମାନେ ହିଁ ଆମ ରାଜ୍ୟର ପ୍ରଗତିର ସାରଥୀ ଏବଂ ଏକ ବିକଶିତ ଓଡ଼ିଶାର ସ୍ୱପ୍ନକୁ ପୂରଣ କରିବାରେ ଏହି ତ୍ରିଶକ୍ତି ହିଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଥିଲେ। ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ନୂଆ ମେଡିକାଲ କଲେଜର ଅଡିଟୋରିଅମରେ ଛାତ୍ରଛାତ୍ରୀ ମାନଙ୍କ ସହ ଭାବ ଆଦାନପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅର୍ଥ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଚନ ପୂଜାରୀ, କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ଘଷିପୁରା ବିଧାୟକ ବଦ୍ରୀ ନାରାୟଣ ପାତ୍ର, କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ, ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ ଓ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାଏକ, ଚମ୍ପୁଆ ବିଧାୟକ ମିନାକ୍ଷୀ ମହନ୍ତ, କେନ୍ଦୁଝର ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଜଗନ୍ନାଥ ନାୟକ, ଜିଲ୍ଲାପରିଷଦ ଅଧ୍ୟକ୍ଷା ସାଗରିକା ସାହୁ ପ୍ରମୁଖ ଯୋଗ ଦେଇ ନିଜ ନିଜର ଅଭିଭାଷଣ ରଖିଥିଲେ।

Share Now:

Kalinga News Beuro

Next Post

ଅସ୍ତବ୍ୟସ୍ତ କଲାଣି ଫେବୃଆରୀ : ଆଗକୁ ଆହୁରି ବଢ଼ିବ ଖରା

Mon Feb 13 , 2023
ଭୁବନେଶ୍ୱର: ବସନ୍ତ ଚାଲିଛି, କିନ୍ତୁ ରାଜ୍ୟର କୌଣସି ସ୍ଥାନରେ ଏହାର ଚିହ୍ନବର୍ଣ୍ଣ ନାହିଁ। ମାଘ ସରୁ ସରୁ, ଅଳ୍ପ କିଛି ସ୍ଥାନକୁ ଛାଡ଼ି ଦେଲେ, ଡହଡହ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କଲାଣି। ଗତ ୪ ଦିନ ହେଲା ରାଜଧାନୀର ଖରା‌ବେଳିଆ ଗରମ ଲୋକଙ୍କୁ ଡରାଇଲାଣି। ବୁଧବାର ଓ ଗୁରୁବାର ଭୁବନେଶ୍ବରର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ଡେଇଁଥିବା ବେଳେ ଗତକାଲି ଏହା ଆହୁରି ଦେଢ଼ ଡିଗ୍ରି ବଢ଼ି ୩୭.୪ ଡିଗ୍ରିକୁ […]
ଅସ୍ତବ୍ୟସ୍ତ କଲାଣି ଫେବ୍ରୁଆରି ଖରା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial