ଅସ୍ତବ୍ୟସ୍ତ କଲାଣି ଫେବୃଆରୀ : ଆଗକୁ ଆହୁରି ବଢ଼ିବ ଖରା

ଅସ୍ତବ୍ୟସ୍ତ କଲାଣି ଫେବ୍ରୁଆରି ଖରା

ଭୁବନେଶ୍ୱର: ବସନ୍ତ ଚାଲିଛି, କିନ୍ତୁ ରାଜ୍ୟର କୌଣସି ସ୍ଥାନରେ ଏହାର ଚିହ୍ନବର୍ଣ୍ଣ ନାହିଁ। ମାଘ ସରୁ ସରୁ, ଅଳ୍ପ କିଛି ସ୍ଥାନକୁ ଛାଡ଼ି ଦେଲେ, ଡହଡହ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କଲାଣି। ଗତ ୪ ଦିନ ହେଲା ରାଜଧାନୀର ଖରା‌ବେଳିଆ ଗରମ ଲୋକଙ୍କୁ ଡରାଇଲାଣି। ବୁଧବାର ଓ ଗୁରୁବାର ଭୁବନେଶ୍ବରର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ଡେଇଁଥିବା ବେଳେ ଗତକାଲି ଏହା ଆହୁରି ଦେଢ଼ ଡିଗ୍ରି ବଢ଼ି ୩୭.୪ ଡିଗ୍ରିକୁ ଛୁଇଁଥିଲା। ଆଜି ସହରର ସର୍ବୋଚ୍ଚ ତାପମାତ୍ରା ୩୬.୬ ଥିଲା, ଯାହାକି ସ୍ବାଭାବିକଠାରୁ ୪.୫ ଡିଗ୍ରି ଅଧିକ। ଏମିତିକି, ଏପ୍ରିଲ-ମେ’ ଭଳି ଏବେ ସକାଳ ୮ଟାରୁ ଖରା ଟାଣ ହୋଇଯାଉଛି। ସାଧାରଣତଃ ଏହି ସମୟରେ ରାଜଧାନୀର ସର୍ବୋଚ୍ଚ ତାପମାତ୍ରା ୩୨ଡିଗ୍ରି ଭିତରେ ରହିବା କଥା। କିନ୍ତୁ ଏବେ ଏହା ଅଧିକ ୫.୫ ଡିଗ୍ରି ରହିଛି। ଏହାକୁ ନେଇ ପାଣିପାଗ ବିଶେଷଜ୍ଞମାନେ ଚିନ୍ତାବ୍ୟକ୍ତ କରିଥିବା ବେଳେ ମାର୍ଚ୍ଚରେ ପାରଦ ୪୨ରୁ ୪୩ଡିଗ୍ରି ଛୁଇଁବ ବୋଲି ପୂର୍ବାନୁମାନ କଲେଣି। ତେଣୁ ଏଥର ତାତିରୁ ଓଡ଼ିଶାବାସୀଙ୍କୁ ନିସ୍ତାର ମିଳିବ ନାହିଁ ବୋଲି ଏବେଠୁ ଜଳଜଳ ଦିଶିଲାଣି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଫେବ୍ରୁଆରିରେ ଏଭଳି ଗ୍ରୀଷ୍ମ ପ୍ରକୋପ କିଛି ନୂଆ ନୁହେଁ। ଗତ ୧୦ ବର୍ଷ ଭିତରେ ଅନେକଥର ଏପରି ଘଟିଛି। ୨୦୧୬ ଫେବୃଆରୀ ୨୦ ତାରିଖରେ ଭୁବନେଶ୍ବରର ସର୍ବାଧିକ ତାପମାତ୍ରା ୪୦.୯ଡିଗ୍ରି ରେକର୍ଡ ହୋଇଥିଲା। ୨୦୨୧ ମସିହା ୨୫ ଓ ୨୬ ଫେବୃଆରୀରେ ଦେଶର ଉତ୍ତପ୍ତ ସହର ପାଲଟିଥିଲା ଭୁବନେଶ୍ୱର। ୨୫ ଫେବୃଆରୀରେ ସର୍ବୋଚ୍ଚ ଦିନ ତାପମାତ୍ରା ୩୯.୪ ଡିଗ୍ରି ରେକର୍ଡ ହୋଇଥିଲା ବେଳେ ୨୬ ତାରିଖରେ ଏହା ୪୦ଡିଗ୍ରି ଅତିକ୍ରମ କରି ଦେଶର ଉତ୍ତପ୍ତ ସହର ପାଲଟିଥିଲା। ଆଉ ପଛକୁ ଗଲେ, ୧୯୬୩ ଫେବୃଆରୀ ୨୩ ତାରିଖରେ ଭୁବନେଶ୍ୱରର ସର୍ବାଧିକ ତାପମାତ୍ରା ୪୨.୭ ଡିଗ୍ରି ରେକର୍ଡ ହୋଇଥିଲା। ତାହାକୁ ସର୍ବକାଳୀନ ରେକର୍ଡ ବୋଲି କୁହାଯାଇପାରେ। ତେବେ ରାଜଧାନୀର ତାପମାତ୍ରା ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ଏହିଭଳି ରହିବ। ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ପାଖାପାଖି ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି। ଅନ୍ୟପଟେ ଚଳିତ ବର୍ଷ ଲା-ନିନା ନିଷ୍କ୍ରିୟ ହୋଇ ଏଲ୍‌-ନିନୋ ସକ୍ରିୟ ହେଉଥିବାରୁ ଦେଶର ପାଗ ଏଥର ଉଷ୍ମ ରହିବ। ବର୍ଷା କମ୍‌ ଓ ଗରମ ଅଧିକ ହେବ ବୋଲି ପୂର୍ବରୁ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ସୂଚନା ଦେଇଥିଲା।
ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି, ଏବେ ଆକାଶ ମେଘମୁକ୍ତ ରହୁଥିବା ବେଳେ ପବନର ଗତି ମଧ୍ୟ କମ୍‌ ରହିଛି। ଅନ୍ୟପଟେ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଯୋଗୁ ଦିନରେ ସୂର୍ଯ୍ୟକିରଣ ପ୍ରଖର ରହୁଛି ଓ ତାପମାତ୍ରା ବଢ଼ୁଛି। ତେବେ ଏସବୁ କାରଣ ସବୁବର୍ଷ ରହୁଥିଲେ ସୁଦ୍ଧା ଚଳିତବର୍ଷ ବର୍ଷା କମ୍‌ ଓ ମାଟିର ଆର୍ଦ୍ରତା କମ୍‌ ତଥା ମାଟି ଶୁଖିଲା ଯୋଗୁଁ ତାପମାତ୍ରା ଖୁବ୍‌ ଅଧିକ ରହୁଛି। ମାଟି ଶୁଖିଲା ରହିବା ଫଳରେ ସୂର୍ଯ୍ୟକିରଣ ମାଟି‌ରେ ପଡ଼ି ଅବଶୋଷିତ ନ ହୋଇ ପୁଣି ବିକିରିତ ହେଉଛି। ଫଳରେ ବାୟୁମଣ୍ଡଳ ଉତ୍ତପ୍ତ ହୋଇ ତାପମାତ୍ରା ବଢ଼ିବାରେ ଲାଗିଛି। ସହରୀକରଣ ଭଳି ପ୍ରସଙ୍ଗ ରାଜଧାନୀ ତାପମାତ୍ରା ବୃଦ୍ଧିର ଅନ୍ୟତମ କାରଣ ବୋଲି ସେ କହିଛନ୍ତି। ସବୁଆଡ଼େ କଂକ୍ରିଟ୍‌ ଜଙ୍ଗଲ ହୋଇଯାଇଥିବାରୁ ଆର୍ଦ୍ର ମାଟିରେ ସୂର୍ଯ୍ୟକିରଣ ପଡ଼ି ବାଷ୍ପୀକରଣ ପ୍ରକ୍ରିୟା ଏବେ ବାଧାପ୍ରାପ୍ତ ହୋଇଛି। ବାୟୁମଣ୍ଡଳର ଆର୍ଦ୍ରତା କମ୍‌ ଯୋଗୁ ତାତି ବଢ଼ୁଛି। ଗତବର୍ଷ ଫେବୃଆରୀରେ ବର୍ଷା ଥିବାରୁ ଓ ମାଟି ଆର୍ଦ୍ର ଥିବାରୁ ଏହି ସମୟରେ ରାଜଧାନୀର ତାପମାତ୍ରା ୨୮ରୁ ୨୯ ଡିଗ୍ରି ମଧ୍ୟରେ ରହିଥିଲା। କିନ୍ତୁ ଏଥର ଗତ ନଭେମ୍ବରଠାରୁ ବର୍ଷା ନ ଥିବାରୁ ତାପମାତ୍ରା ବଢ଼ିବାରେ ଲାଗିଛି। ଏପରିକି ଚଳିତ ଶୀତ ଋତୁରେ ଡିସେମ୍ବର ଉଷ୍ମ ମାସ ପାଲଟିଥିଲା। ଶ୍ରୀ ସାହୁ ଆହୁରି କହିଛନ୍ତି, ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଯେ ଏବେ ରାଜ୍ୟ କିମ୍ବା ରାଜଧାନୀରେ ବର୍ଷାର କୌଣସି ସମ୍ଭାବନା ନାହିଁ। ଫଳରେ ୧୯ ଓ ୨୦ ତାରିଖ ପରଠାରୁ ରାଜଧାନୀର ତାପମାତ୍ରା ଆହୁରି ବଢ଼ିବା ଆରମ୍ଭ ହୋଇଯିବ। ଏହି ସମୟରେ ରାଜ୍ୟକୁ ପଶ୍ଚିମ ଦିଗରୁ ପବନ ବଢ଼ିବ। ମହାରାଷ୍ଟ୍ର ଆଦି ରାଜ୍ୟରେ ତାତି ଏବେ ବଢ଼ୁଛି ଓ ତାପମାତ୍ରା ୩୮ ଉପରେ ରହିଛି। ‌ରାଜ୍ୟକୁ ସେ ଦିଗରୁ ପବନ ବହିବା ଫଳରେ ରାଜ୍ୟକୁ ଗରମ ହାୱା ଅଧିକ ପ୍ରବାହିତ ହେବ ଓ ତାତି ବଢ଼ିବ। କେନ୍ଦ୍ରୀୟ ଭାରତରେ ୧୯ ତାରିଖ ଆଡ଼କୁ ଗରମ ବଢ଼ିବ। କିନ୍ତୁ ଆମର ଏଠି ବର୍ଷା ନଥିବାରୁ ଏହି ତାତି ଏବେ ଜାରି ରହିବ ଓ ଫେବୃଆରୀ ଶେଷ ସୁଦ୍ଧା ତାପମାତ୍ରା ଆହୁରି ୧ରୁ ୨ ଡିଗ୍ରି ବଢ଼ିପାରେ ବୋଲି ସେ କହିଛନ୍ତି। ଏବେ ବର୍ଷାର ସମ୍ଭାବନା ନ ଥିବାରୁ କାଳବୈଶାଖୀ ବର୍ଷା ହିଁ ଆମକୁ ତାତିରୁ ମୁକ୍ତି ଦେଇପାରିବ ବୋଲି ଶ୍ରୀ ସାହୁ କହିଛନ୍ତି। ଅନ୍ୟପଟେ ରାଜ୍ୟରେ ଦିନର ସର୍ବୋଚ୍ଚ ତାପମାତ୍ରା ଅଧିକ ରହିଛି। ଆଜି ରାଜ୍ୟର ସର୍ବୋଚ୍ଚ ଦିନ ତାପମାତ୍ରା ମାଲକାନଗିରିଠାରେ ୩୭ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଅନୁଗୁଳରେ ଥିଲା ୩୬.୭ ଡିଗ୍ରି। ଭୁବନେଶ୍ୱରର ଗତକାଲି ସର୍ବୋଚ୍ଚ ତାପମାତ୍ରା ୩୭.୪ ଡିଗ୍ରି ଥିବା ବେଳେ ଆଜି ୧ ଡିଗ୍ରି କମି ୩୬.୬ ଡିଗ୍ରି ରହିଥିଲା। ଆସନ୍ତାକାଲି ମଧ୍ୟ ରାଜଧାନୀରେ ପ୍ରଚଣ୍ଡ ଖରା ଜାରି ରହିବ। ସର୍ବୋଚ୍ଚ ୩୬ ଡିଗ୍ରି ଓ ସର୍ବନିମ୍ନ ୧୫ ଡିଗ୍ରି ମଧ୍ୟରେ ରହିବ। ଅର୍ଥାତ କାଲି ରାଜଧାନୀ ଓ ଏହାର ସଂଲଗ୍ନ ଅଞ୍ଚଳଗୁଡ଼ିକରେ ଦିନରେ ପ୍ରଚଣ୍ଡ ତାତି ଓ ରାତିରେ ଶୀତ ଅନୁଭୂତ ହେବ।

Share Now:

Kalinga News Beuro

Next Post

କର୍ଣ୍ଣାଟକରେ ମଣିଷଖିଆ ବାଘ ଆତଙ୍କ: ଗୋଟିଏ ପରିବାରର ୨ ସଦସ୍ୟଙ୍କୁ ମାରିଦେଲା

Mon Feb 13 , 2023
ବେଙ୍ଗାଲୁରୁ : କର୍ଣ୍ଣାଟକର କୋଡାଗୁ ଜିଲ୍ଲାରେ ମଣିଷଖିଆ ବାଘ ଆତଙ୍କ ଦେଖାଦେଇଛି। ବାଘ ଆକ୍ରମଣରେ ଗୋଟିଏ ଦିନରେ ଗୋଟିଏ ପରିବାରର ୨ ସଦସ୍ୟ ମୃତ୍ୟୁବରଣ କରିବା ପରେ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି । ଏହା ସହିତ ଲୋକମାନେ ପ୍ରଶାସନ ବିରୋଧରେ ଅସନ୍ତୋଷ ଜାହିର କରି ରାସ୍ତାକୁ ଓହ୍ଲାଇଛନ୍ତି।ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ସୋମବାର ସକାଳେ କୋଡାଗୁ ଜିଲ୍ଲାର ପଲ୍ଲେରିଠାରେ ରାଜୁ ନାମକ ୭୫ ବର୍ଷୀୟ ବ୍ୟକ୍ତି ବାଘ […]
କର୍ଣ୍ଣାଟକରେ ମଣିଷଖିଆ ବାଘ ଆତଙ୍କ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial