କଲମ୍ବୋ : ଶ୍ରଲଙ୍କାରେ ଗୃହଯୁଦ୍ଧ ପରିସ୍ଥିତି ଉପୁଜିଥିବାବେଳେ ସ୍ଥିତି ଉପରେ ତୀକ୍ଷଣ ନଜର ରଖିଛି ଭାରତ। ତେବେ ଏହି ପଡ଼ୋଶୀ ଦେଶକୁ ସୈନ୍ୟ ପଠାଇବାର କୌଣସି ପ୍ରସ୍ତାବ ବିଚାରାଧୀନ ନାହିଁ ବୋଲି ଭାରତ ସ୍ପଷ୍ଟ କରିଦେଇଛି। ଶ୍ରୀଲଙ୍କାରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ଏପରି ଖବର ଭିତ୍ତିହୀନ ଓ ମିଛ। ଗଣମାଧ୍ୟମ ଏପରି ଦାୟିତ୍ବହୀନ ଖବର ପ୍ରସାରଣରୁ ବିରତ ରହୁ। ଏପରି ରିପୋର୍ଟ ଭାରତର ଆଭିମୁଖ୍ୟକୁ ପ୍ରକାଶ କରୁନାହିଁ। ଗତ ଏପ୍ରିଲ ମାସରେ ବି ଏପରି ଏକ ଗୁଜବକୁ ଭାରତ ଖଣ୍ଡନ କରିଥିଲା। ଏହା ପୂର୍ବରୁ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ଯେ, ଭାରତ ଶ୍ରୀଲଙ୍କାର ଜନସାଧାରଣଙ୍କ ପଛରେ ରହିଛି। ଶ୍ରୀଲଙ୍କାର ସମ୍ବିଧାନ ପରିସରରେ ରହି ଗଣତାନ୍ତ୍ରିକ ପଦ୍ଧତିରେ ନିଜର ସ୍ବପ୍ନ ହାସଲ ପାଇଁ ଶ୍ରୀଲଙ୍କା ଲୋକେ ଯେଉଁ ଉଦ୍ୟମ ଚଳାଉଛନ୍ତି ଭାରତ ତାହାର ସପକ୍ଷରେ ରହିଛି।
ସୂଚନାଯୋଗ୍ୟ ଯେ, ଶ୍ରୀଲଙ୍କାରେ ଆର୍ଥିକ ସଂକଟ ଯୋଗୁଁ ଏହି ଦେଶର ଶାସନ ବ୍ୟବସ୍ଥା ଭୁସୁଡ଼ି ପଡ଼ିଛି। ଖାଦ୍ୟ, ଔଷଧ, ପେଟ୍ରୋଲିୟମ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଏହି ଦେଶର ଲୋକମାନେ ସଂଘର୍ଷ କରୁଛନ୍ତି। କୋଇଲା ଆମଦାନୀ ପାଇଁ ବୈଦେଶିକ ମୁଦ୍ରା ନଥିବାରୁ ଦିନକୁ ୧୩ ଘଣ୍ଟା ବିଜୁଳି କାଟ ହେଉଛି। ଏହାଫଳରେ ଦେଶରେ ଗୃହଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଲୋକମାନେ ସରକାରଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇ ହିଂସାକାଣ୍ଡ କରୁଛନ୍ତି। ଗତ ସପ୍ତାହରେ ଉଗ୍ର ଜନତା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ବାସଭବନରେ ପଶି ଭଙ୍ଗାରୁଜା କରିଥିଲେ। ଏହା ପୂର୍ବରୁ ଗୋଟାବାୟା ଫେରାର ହୋଇଯାଇଥିଲେ। ବିକ୍ଷୋଭକାରୀମାନେ ପ୍ରଧାନମନ୍ତ୍ରୀ ରାନିଲ ଓ୍ବିକ୍ରମସିଂଘେଙ୍କ ସରକାର ବାସଭବନରେ ନିଆଁ ଲଗାଇଦେଇଥିଲେ।
ଶ୍ରୀଲଙ୍କାକୁ ସୈନ୍ୟ ପଠାଇବ ନାହିଁ ଭାରତ

Share Now: