ନୂଆଦିଲ୍ଲୀ : ଚୀନର ମୋବାଇଲ କମ୍ପାନିମାନଙ୍କ ଉପରେ କଟକଣା ଲାଗୁ ପାଇଁ ଭାରତ ସରକାର ବିଚାର କରୁଥିବା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ଚୀନ ସରକାର। ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି ଯେ ଭାରତ ଓ ଚୀନ ମଧ୍ୟରେ ଦ୍ପିପାକ୍ଷିକ ବାଣିଜ୍ୟ କାରବାର ପରସ୍ପର ପ୍ରତି ଲାଭଦାୟକ। ଚୀନ କମ୍ପାନିମାନଙ୍କ ପ୍ରତି ଭାରତ ସରକାର ମୁକ୍ତ, ନ୍ୟାୟସଂଗତ ଓ ନିରପେକ୍ଷ ବ୍ୟବସାୟିକ ଓ ପୁଞ୍ଜିନିବେଶଗତ ବାତାବରଣ ଯୋଗାଇବାକୁ ଆମେ ଭାରତ ସରକାରଙ୍କୁ ନିବେଦନ କରୁଛୁ। ଚୀନ କମ୍ପାନିଙ୍କ ନ୍ୟାୟସଂଗତ ଅଧିକାର ଓ ସ୍ବାର୍ଥ ରକ୍ଷା ପାଇଁ ଆମେ ସହାୟତା କରିବୁ। ଦୁଇ ଦିନ ତଳେ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଭାରତରେ ଚୀନ ମୋବାଇଲ କମ୍ପାନିଙ୍କ ଆଧିପତ୍ୟ ରୋକିବାକୁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି ଭାରତ ସରକାର। ସରକାରଙ୍କ ଯୋଜନା ଅନୁସାରେ ଚୀନ କମ୍ପାନିମାନେ ୧୨ ହଜାର ଟଙ୍କାରୁ କମ ମୂଲ୍ୟର ମୋବାଇଲ ଭାରତରେ ବିକି ପାରିବେ ନାହିଁ। ଏହା ଫଳରେ ଭାରତୀୟ ମୋବାଇଲ କମ୍ପାନିମାନେ ଏହି ସେଗମେଣ୍ଟରେ ପୁଣି ଥରେ ବ୍ୟବସାୟ କରିପାରିବେ। ଭାରତ ସରକାର ଯଦି ଏହି ନିଷ୍ପତ୍ତି ନିଅନ୍ତି ତେବେ ତାହା ଚୀନ କମ୍ପାନିମାନଙ୍କ ବ୍ୟବସାୟକୁ ଗୁରୁତରଭାବେ ପ୍ରଭାବିତ କରିବ। କାରଣ ଭାରତର ଅଧିକାଂଶ ସ୍ମାର୍ଟଫୋନ ବଜେଟ ସେଗମେଣ୍ଟ୍ ଅର୍ଥାତ ୧୨ ହଜାର ଟଙ୍କାରୁ କମ ମୂଲ୍ୟରେ ବିକ୍ରି ହୋଇଥାଏ। ଏହି ସେଗମେଣ୍ଟକୁ ଚୀନ କମ୍ପାନିମାନେ କବଜା କରିରଖିଛନ୍ତି ଓ ଏଥିରୁ ବିପୁଳ ରାଜସ୍ବ ଚୀନକୁ ଯାଉଛି। ଏଣୁ ଭାରତର ଏହି ଯୋଜନା ଚୀନକୁ ଚିନ୍ତାରେ ପକାଇଦେଇଛି।
ମୋବାଇଲ କମ୍ପାନିଙ୍କ ଉପରେ ଭାରତର କଟକଣାକୁ ଚୀନର ବିରୋଧ

Share Now: