ସ୍କୁଲ ଉପରେ ବଜ୍ରପାତ : ୭ ଛାତ୍ରଛାତ୍ରୀ ଗୁରୁତର, ପୋଡ଼ିଲା ବିଦ୍ୟୁତ୍‌ ବଲ୍‌ବ, ଫାଟିଲା ଚଟାଣ

ସ୍କୁଲ ଉପରେ ବଜ୍ରପାତ

ଦେବଗଡ଼/ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଅପରାହ୍ନରେ ବଜ୍ରପାତ ହୋଇଥିବା ସୂଚନା ମିଳିଛି। ଦେବଗଡ଼ ଜିଲ୍ଲା ତିଲେଇବଣି ଅଞ୍ଚଳରେ ଏକ ସ୍କୁଲରେ ପାଠପଢ଼ା ଚାଲିଥିବା ‌ବେଳେ ବଜ୍ରପାତ ହେବାରୁ ୭ ଜଣ ପିଲା ଆହତ ହୋଇଛନ୍ତି। ଗୁରୁତର ପିଲାମାନଙ୍କୁ ଦେବଗଡ଼ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତିଲେଇବଣି ବ୍ଲକ ଅନ୍ତର୍ଗତ କୁଟୁରାପଶି ପ୍ରାଥମିକ ବିଦ୍ୟାଳୟରେ ବଜ୍ରପାତ ହେବାରୁ ୬ ଜଣ ଛାତ୍ରୀ ଓ ଜଣେ ଛାତ୍ର ଗୁରୁତର ହୋଇଛନ୍ତି। ଗୁରୁତର ଛାତ୍ରଛାତ୍ରୀମାନେ ହେଲେ କୁଟୁରାପଶି ଗ୍ରାମର ଲିକି ପେଣ୍ଠେଇ, ଭବାନୀ ଦେହୁରୀ, ପପିନା ସାହୁ, ଧରିତ୍ରୀ ସାହୁ, ସାଲିନୀ ସାହୁ, ସାଲିନୀ ଦେହୁରୀ ଓ ଶ୍ରୀନିବାସ ଦେହୁରୀ। ଏମାନେ ସମସ୍ତେ ତୃତୀୟ ଓ ପଞ୍ଚମ ଶ୍ରେଣୀରେ ପଢୁଛନ୍ତି। ବିଦ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପାଠପଢା ଚାଲିଥିବାବେଳେ ଦିନ ୧ଟା ସମୟରେ ବଜ୍ରପାତ ହୋଇଥିଲା। ବଜ୍ରପାତ ‌ଯୋଗୁଁ ଗୁରୁତର ହୋଇଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଆମ୍ବୁଲାନ୍ସ ଯୋଗେ ନେଇ ଦେବଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବରପାଇ ଦେବଗଡ ଜିଲ୍ଲା ମୁଖ୍ୟ ଶିକ୍ଷାଅଧିକାରୀ ସଚ୍ଚିଦାନନ୍ଦ ବେହେରା ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଥିବା ସ୍ବାସ୍ଥ୍ୟବସ୍ଥା ସଂପର୍କରେ ବୁଝାସୁଝା କରିଛନ୍ତି। ବଜ୍ରପାତ ଯୋଗୁଁ ଶ୍ରେଣୀ କୋଠରୀର ବିଦ୍ୟୁତ ବଲ୍‌ବ ପୋଡି ଯିବା ସହିତ ଶ୍ରେଣୀ କୋଠରୀ ଚଟାଣ ଫାଟି ଯାଇଛି।
ସୂଚନାଯୋଗ୍ୟ, କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ମାଧବ (ପ୍ରଧାନସାହି) ଗ୍ରାମରେ ଜଣେ ଚାଷୀ ବିଲରେ କାମ କରୁଥିବା ‌ବେଳେ ବଜ୍ରପାତ‌ ହୋଇଥିଲା। ଏହି ବଜ୍ରପାତର ଶିକାର ହୋଇଥିଲେ ସୁରେନ୍ଦ୍ର ବସ୍ତିଆ (୫୫) ନାଁରେ ଜଣେ ଚାଷୀ। ସେ ସଂଜ୍ଞାହୀନ ହୋଇପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଚିକିତ୍ସା ପାଇଁ ପୁରୀ ଜିଲ୍ଲା ନିମାପଡ଼ା ଥାନା ଅନ୍ତର୍ଗତ ଚାରିଛକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଚାରିଛକ ଫାଣ୍ଡି ପୁଲିସ ପହଞ୍ଚି ଶବ ଜବତ ସହ ବ୍ୟବଛେଦ ପାଇଁ ପଠାଇଛି।

Share Now:

Kalinga News Beuro

Next Post

ହୀରାକୁଦ ଡ୍ୟାମ୍‌ର ୮ଟି ଗେଟ୍‌ ବନ୍ଦ : ୨୦ଟି ଗେଟ୍‌ ମାଧ୍ୟମରେ ବନ୍ୟାଜଳ ନିଷ୍କାସନ ଜାରି

Fri Aug 19 , 2022
ସମ୍ବଲପୁର: ଉପରମୁଣ୍ଡରୁ ବନ୍ୟାଜଳ ପ୍ରବେଶ ହ୍ରାସ ପାଇଥିବାରୁ ହୀରାକୁଦ ଜଳଭଣ୍ଡାରରୁ ଅଜି ଏପର୍ଯ୍ୟନ୍ତ ୨ଟି ପର୍ଯ୍ୟାୟରେ ୮ଟି ଗେଟ୍‌ ବନ୍ଦ କରାଯାଇଛି। ଜଳଭଣ୍ଡାରରୁ ଏହି ୮ଟି ଗେଟ୍‌ ବନ୍ଦ କରିଦିଆଯିବା ପରେ ଅପରାହ୍ନ ୩ଟାରେ ୨୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି। ଏଥିରେ ବାମ ପାର୍ଶ୍ବରୁ ୧୪ଟି ଥିବା ବେଳେ ଦକ୍ଷିଣ ପାର୍ଶ୍ବରୁ ୬ଟି ରହିଛି। ହୀରାକୁଦ ଜଳଭଣ୍ଡାରର କଣ୍ଟ୍ରୋଲ ରୁମ୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି। […]
ହୀରାକୁଦ ଡ୍ୟାମ୍‌ର ୮ଟି ଗେଟ୍‌ ବନ୍ଦ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial