ସୀମାରେ ଚୀନର ମୁକାବିଲା ପାଇଁ ଭାରତ କିଣିବ ଲଢୁଆ ଡ୍ରୋନ ଏମକ୍ୟୁ-୯ ରିପର

ଭାରତ କିଣିବ ପ୍ରିଡେଟର ଡ୍ରୋନ

ନୂଆଦିଲ୍ଲୀ : ଖୁବଶୀଘ୍ର ଭାରତ ପାଖକୁ ଆସିବ ବିଶ୍ବର ସବୁଠାରୁ ଶକ୍ତିଶାଳୀ ଲଢୁଆ ଡ୍ରୋନ ଏମକ୍ୟୁ-୯ ରିପର ବା ପ୍ରିଡେଟର ଡ୍ରୋନ। ଏଥିପାଇଁ ଭାରତ ଓ ଆମେରିକା ମଧ୍ୟରେ ଆଲୋଚନା ଚୂଡ଼ାନ୍ତ ସ୍ତରରେ ପହଞ୍ଚିଛି। ମିଳିଥିବା ସୂଚନା ଅନୁସାରେ ଭାରତ ମୋଟ ୩ ବିଲିୟନ ଡଲାର ବା ୨୪ ହଜାର କୋଟି ଟଙ୍କା ମୂଲ୍ୟର ୩୦ଟି ପ୍ରେଡେଟର ଡ୍ରୋନ କିଣିବ। ସେନା, ବାୟୁସେନା ଓ ନୌସେନାକୁ ୧୦ଟି ଲେଖାଏଁ ଡ୍ରୋନ ମିଳିବ। ୨୦୧୯ ଏପ୍ରିଲ ମାସରେ ଟ୍ରମ୍ପ ପ୍ରଶାସନ ଆମେରିକାର ନିଜର ସାମରିକ ରପ୍ତାନି ନୀତିରେ ସଂଶୋଧନ କରି ଭାରତକୁ ଡ୍ରୋନ ରପ୍ତାନି ପାଇଁ ପଥ ପରିଷ୍କାର କରିଥିଲା। ଭାରତକୁ ପ୍ରାୟ ୩ ବିଲିୟନ ଡଲାର ବିନିମୟରେ ୩୦ଟି ଏମକ୍ୟୁ-୯ ରିପର ଡ୍ରୋନ ବିକ୍ରି ପାଇଁ ଆମେରିକା ପ୍ରସ୍ତାବ ଦେଇଥିଲା। ଜେନେରାଲ ଆଟମିକ୍ସ କମ୍ପାନି ଏସବୁ ଡ୍ରୋନଗୁଡ଼ିକର ନିର୍ମାଣ କରିଥାଏ। ଭାରତ ମଧ୍ୟ ଏହି ପ୍ରସ୍ତାବରେ ରାଜି ହୋଇଥିଲା। କିନ୍ତୁ ପରେ ଏହି ଯୋଜନା ଟିକିଏ ଶିଥିଳ ହୋଇଯାଇଥିଲା। ଦର ନିର୍ଦ୍ଧାରଣକୁ ନେଇ ଦୁଇ ଦେଶ ମଧ୍ୟରେ କେତେକ ମତଭେଦ ଯୋଗୁଁ ଏହି କ୍ରୟ ପ୍ରକ୍ରିୟା ଶିଥିଳ ହୋଇଯାଇଥିଲା। ଏହାଛଡ଼ା ଭାରତ ସ୍ବଦେଶୀ ଜ୍ଞାନକୌଶଳରେ ଲଢୁଆ ଡ୍ରୋନ ନିର୍ମାଣ ଉପରେ ଗୁରୁତ୍ବ ଦେଉଥିବାରୁ ବିଦେଶୀ ଡ୍ରୋନ ଉପରେ ପ୍ରାଥମିକତା କମିଯାଇଥିଲା। କିନ୍ତୁ ସୀମାରେ ଚୀନ ସେନାର ଉତ୍ପାତ ବଢିଚାଲିଥିବାରୁ ଭାରତ ତୁରନ୍ତ ଏହି ଡ୍ରୋନ କିଣିବାକୁ ନିଷ୍ପତ୍ତି ନେଇଛି। ଲଦାଖ ଓ ଅନ୍ୟ ଅଞ୍ଚଳରେ ଚୀନ ସେନା ଉପରେ ନଜର ରଖିବା ପାଇଁ ଏହା ବେଶ ଉପଯୋଗୀ ହୋଇପାରିବ।

Share Now:

Kalinga News Beuro

Next Post

ଚଳିତ ସପ୍ତାହରେ ବଙ୍ଗୋପସାଗରରେ ଦୁଇଟି ଲଘୁଚାପ : ସ୍କାଏମେଟ୍

Mon Aug 22 , 2022
ଭୁବନେଶ୍ବର : ଚଳିତ ଅଗଷ୍ଟ ମାସରେ ବଙ୍ଗୋପସାଗର ବେଶ ଚଳଚଞ୍ଚଳ ରହିଛି। ଗୋଟିକ ପରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାରେ ଲାଗିଛି। ଚଳିତ ସପ୍ତାହରେ ବଙ୍ଗୋପସାଗରରେ ପଛକୁ ପଛ ଦୁଇଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ କହିଛି। ସ୍କାଏମେଟ ରିପୋର୍ଟ ଅନୁସାରେ ପ୍ରଥମ ଲଘୁଚାପଟି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ ଅଗଷ୍ଟ ୨୩ ତାରିଖ ସୁଦ୍ଧା ସୃଷ୍ଟି ହେବ। […]
ବଙ୍ଗୋପସାଗରରେ ଦୁଇଟି ଲଘୁଚାପ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial