ଆବର୍ଜନାକୁ ନେଇ ଫିଟୁନି ବାଟ : ସହରର ବହୁ ସ୍ଥାନରୁ ଉଠିପାରୁନି ଅଳିଆ, ବଢ଼ୁଛି ଜନଅସନ୍ତୋଷ

ଆବର୍ଜନାକୁ ନେଇ ଫିଟୁନି ବାଟ

ଭୁବନେଶ୍ବର : ଆବର୍ଜନାକୁ ନେଇ ସମାଧାନର ବାଟ ବାହାର କରିପାରୁନି ବିଏମ୍‌ସି। ତିନିଟି ଜୋନ୍‌କୁ ଗାଡ଼ି ଯୋଗାଇ ସବୁ ଅଳିଆ ସଫା କରିବାକୁ ଯୋଜନା କରିଥିଲେ ମଧ୍ୟ ଆଜି ତାହା ସଫଳ ହୋଇ ନାହିଁ। ନୂଆ ଗାଡ଼ି ଲଗାଇ ୬୦ ଟ୍ରିପ୍‌ ଆବର୍ଜନା ଉଠାଇଥିବା ବିଏମ୍‌ସି କହିଛି। ହେଲେ ଆବର୍ଜନା କୁଆଡ଼େ ଯାଇଛି? ଏଣେ ଦାରୁଠେଙ୍ଗବାସୀଙ୍କ ବିଏମ୍‌ସିକୁ ଚିଠି ଲେଖି ତାଙ୍କର ଚରମ ନିଷ୍ପତ୍ତି ଶୁଣାଇଛନ୍ତି ଯେ, କୌଣସି ପରିସ୍ଥିତି‌ରେ ଆବର୍ଜନା ଭୁଆସୁଣିକୁ ଆସିବ ନାହିଁ। ଗତ ୧୮ ତାରିଖ ବୈଠକରେ ସେମାନେ ତାଙ୍କ ନିଷ୍ପତ୍ତି ପରେ ଲେଖିକି ଜଣାଇବେ ବୋଲି କହିଥିଲେ। ସେହି ଆଧାରରେ ସେମାନେ ଚିଠି ଲେଖି ପୂର୍ବ ନିଷ୍ପତ୍ତିରେ ଅଟଳ ଥିବା ସ୍ପଷ୍ଟ କରିଛନ୍ତି। ଦାରୁଠେଙ୍ଗ ପଞ୍ଚାୟତବାସୀଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଥିବା ବିଏମ୍‌ସି ଏହି ଚିଠି ପାଇବା ପରେ ଚିନ୍ତାରେ ପଡ଼ିଛି। ଆବର୍ଜନା ଉଠାଇବା ପାଇଁ ସମସ୍ତ ପ୍ରସ୍ତୁତି କରି ସାରିଥିବା ବେ‌ଳେ ପକାଇବା ପାଇଁ ବିକଳ୍ପ ନଥିବାରୁ ଅଧିକାରୀମାନେ ଅଥୟ ହୋଇ ପଡ଼ିଛନ୍ତି। ଆସନ୍ତାକାଲି ‌ଆଉ ଥରେ ଆଲୋଚନା କରିବା ପାଇଁ ଦାରୁଠେଙ୍ଗବାସୀଙ୍କୁ ବିଏମ୍‌ସି ଅଫିସ୍‌ ଡକାଯାଇଛି। ଏହି ବୈଠକରେ ବିଏମ୍‌ସି ଭୁଆସୁଣି ଡମ୍ପିଂୟାର୍ଡକୁ ଆବର୍ଜନା ନେବା ପାଇଁ ଶେଷ ପ୍ରୟାସ କରିବ ବୋଲି ଜଣାପଡ଼ିଛି। ‘କୋପେ ବର କି ତପେ ବର’ ନ୍ୟାୟରେ ଦାରୁଠେଙ୍ଗବାସୀଙ୍କ ଉପରେ ଚାପ ପକାଇବାକୁ ଯୋଜନା ହୋଇଛି। ଭଲରେ ଭଲରେ ନ ମାନିଲେ ପୁଲିସ ଭୟ ଦେଖାଇ ଆବର୍ଜନା ଜବରଦସ୍ତ ପକାଇବାକୁ ଯୋଜନା ହୋଇଥିବା ଜଣାପଡ଼ିଛି। କିନ୍ତୁ କୌଣସି ପରିସ୍ଥିତିରେ ନିଷ୍ପତ୍ତି ବଦଳିବ ନାହିଁ ବୋଲି ଦାରୁଠେଙ୍ଗ ସରପଞ୍ଚ ତପନ ଚକ୍ରବର୍ତ୍ତୀ କହିଛନ୍ତି। ଏଣୁ ସରପଞ୍ଚଙ୍କ ନିଷ୍ପତ୍ତି କାଏମ୍‌ ରହିଲେ ଭୁବନେଶ୍ବରରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେବ।
ଏଣେ ପୁଲିସ ଚାପ ପ୍ରୟୋଗ କରି କିମ୍ବା ଜୋର୍‌ଜବରଦସ୍ତ ବିଏମ୍‌ସି ଆବର୍ଜନା ପକାଇପାରିବ ନାହିଁ ବୋଲି ଆଇନ୍‌ଜୀବୀ ଦେବାଶିଷ ଦାସ କହିଛନ୍ତି। କାରଣ ପୂର୍ବରୁ ଉଭୟ ଜାତୀୟ ଗ୍ରିନ୍‌ ଟ୍ରିବ୍ୟୁନାଲ ଓ କୋର୍ଟ ବିଏମ୍‌ସିକୁ ତାଗିଦ୍‌ କରିଛନ୍ତି। ପରିବେଶ ସୁରକ୍ଷା ପାଇଁ ତୁରନ୍ତ ଏଠାରୁ ଆବର୍ଜନା ହଟାଇବାକୁ ଆଦେଶ ରହିଛି। ଏବେ ବିଏମ୍‌ସି ଜବରଦସ୍ତ କଲେ ମାମଲା ପୁଣି କୋର୍ଟକୁ ଯିବ ଓ ବିଏମ୍‌ସିର ସବୁ ବାଟ ବନ୍ଦ ହୋଇଯିବ। ଏଣୁ କେବଳ ଆପୋସ ବୁଝାମଣାରେ ସମାଧାନ କରିବା ଛଡ଼ା ବିଏମ୍‌ସିର ଦ୍ବିତୀୟ ବାଟ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଦାରୁଠେଙ୍ଗବାସୀଙ୍କ ସହ ଆଲୋଚନା ଜାରି ରହିଛି।

Share Now:

Kalinga News Beuro

Next Post

୯ସେକେଣ୍ଡରେ ମାଟିରେ ମିଶିଲା ନଏଡାର ଟ୍ବିନ ଟାୱାର୍ସ

Sun Aug 28 , 2022
ନୂଆଦିଲ୍ଲୀ: ନଏଡାର ସେକ୍ଟର ୯୩ଏରେ ଅବସ୍ଥିତ ସୁପରଟେକ୍ ଟ୍ୱିନ୍ ଟାୱାର୍ସକୁ ଭାଙ୍ଗି ଦିଆଯାଇଛି। ୩୭୦୦କିଲୋଗ୍ରାମ ବିସ୍ଫୋରକ ବ୍ୟବହାର କରି ନଏଡାର ସେକ୍ଟର ୯୩ଏରେ ଥିବା ଟ୍ୱିନ୍ ଟାୱାର୍ସକୁ ଭଙ୍ଗାଯାଇଛି। ଏହାର ନିର୍ମାଣ ପାଇଁ ୯ବର୍ଷ ସମୟ ଲାଗିଥିବା ବେଳେ ଭାଙ୍ଗିବା ପାଇଁ ୯ସେକେଣ୍ଡ ଲାଗିଛି। ଏତେ ବଡ଼ ଅଟ୍ଟାଳିକା କିଭଳି ଭାବେ କିଛି ସେକେ‌ଣ୍ଡରେ ମାଟିରେ ମିଶିଗଲା, ତାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ତେବେ ଟ୍ୱିନ୍ ଟାୱାର୍ସକୁ […]
ନଏଡାର ଟ୍ବିନ ଟାୱାର୍ସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial