ବ୍ରହ୍ମଗିରି : ରବିବାର ସକାଳୁ ପୁଣି ଥରେ ଚିଲିକା ଅଶାନ୍ତ ହୋଇଛି। ଲଘୁଚାପ ପ୍ରଭାବରେ ସମୁଦ୍ରରେ ପ୍ରବଳ ଜୁଆର ଆସି ଚିଲିକା ଭିତରେ ପଶିଛି। ଏହି ଜୁଆର ଜନବସତି ଭିତରେ ପଶିଛି। ଗାଁ ଭିତରେ ଜୁଆର ପାଣି ଲହଡି ମାରିଛି। ଦୁଇରୁ ତିନି ଫୁଟ ଜୁଆର ପାଣି ଗାଁ ଦାଣ୍ତରେ ଚାଲିଛି। ପରିସ୍ଥିତି ଏମିତି ଯେ ଗାଁ ରାସ୍ତାରେ ଡଙ୍ଗାଚାଲିଛି। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ଅରଖକୁଦା ଗାଁରେ ଜୁଆର ଆଜି ଏମିତି ସମସ୍ୟ ସୃଷ୍ଟି କରିଛି। ଚିଲିକାରେ ପ୍ରାକୃତିକ ମୁହାଣ ଭୟଙ୍କର ହୋଇଛି। ଲଘୁଚାପ ଓ ପୂର୍ଣ୍ଣିମା ପ୍ରଭାବରେ ରବିବାର ଦିନ ସମୁଦ୍ରରେ ବଡ଼ବଡ଼ ଜୁଆର ଆସିଛି। ଏହି ଜୁଆର ଚିଲିକା ଭିତରେ ପଶିଛି। ସୁରକ୍ଷା ପ୍ରାଚୀର ଅଧପନ୍ତରିଆ ହେବା ସହିତ ମୁହାଣ ସାମନାରେ ଥିବା ଅରଖକୁଦା ଗାଁରେ ଅନେକ ସ୍ଥାନରେ ପ୍ରାଚୀର ହୋଇନଥିବାରୁ ଜୁଆର ସିଧାସଳଖ ଗାଁ ଭିତରେ ପଶିଛି।

ଅରଖକୁଦାର ହରଚଣ୍ତୀସାହି, ଲକ୍ଷ୍ମୀନାରାୟଣସାହି, ଭାଗବତସାହି ପ୍ରଭୃତି ୪ଟି ସାହିରେ ଜୁଆର ପାଣି ଲହଡ଼ି ମାରିଛି। ଅରଖକୁଦା ମେରାଇନ ଥାନା ଚାରିପଟେ ଜୁଆର ପାଣି ଭର୍ତ୍ତି ହୋଇରହିଛି। ଲୋକଙ୍କ ଘର ଭିତରେ ଜୁଆର ପଶିଛି। ଝାଟିାମଟି ଘର ସବୁ ଜୁଆର ପାଣିରେ ଭାଙ୍ଗି ଯାଇଛି। ୧୦ରୁ ଅଧିକ କଚ୍ଚା ଘର ଭାଙ୍ଗିଛି। ଲୋକେ ରୋଷେଇ କରି ଘରେ ଖାଇ ପାରିନାହାନ୍ତି। ରାତିରେ ପୁଣି ଥରେ ଜୁଆର ଆସିବାର ଆଶଙ୍କା ରହିଥିବା ସ୍ଥାନୀୟ ଲୋକେ କହିଛନ୍ତି। ବାରମ୍ବାର ଜୁଆର ଆସି ଗାଁ ଭିତରେ ପଶୁଛି। ବ୍ୟାପକ କ୍ଷୟକ୍ଷତି ମଧ୍ୟ କରୁଛି। ତୁରନ୍ତ ସୁରକ୍ଷା ପ୍ରାଚୀର ନିର୍ମାଣ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ସଂଧ୍ୟା ସୁଦ୍ଧା ଗାଁ ଭିତରେ ଜୁଆର ପାଣି ଥିବା ବେଳେ ପ୍ରଶାସନର ଦେଖା ନ ଥିବା ଲୋକେ ଅଭିଯୋଗ କରିଛନ୍ତି।