ନୂଆଦିଲ୍ଲୀ: ମୁକୁଲ ରୋହତଗୀ ହେବେ ଦେଶର ପରବର୍ତ୍ତୀ ଆଟର୍ଣ୍ଣି ଜେନେରାଲ (ଏଜି)। ଆସନ୍ତା ଅକ୍ଟୋବର ମାସରୁ ସେ ନିଜର କାର୍ୟ୍ୟକାଳ ଆରମ୍ଭ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରରେ ଗତ ୨୦୧୪ରୁ ୨୦୧୭ ମଧ୍ୟରେ ୩ ବର୍ଷ ପାଇଁ ମୁକୁଲ ଏଜି ପଦରେ ରହିଥିଲେ। କେକେ ବେଣୁଗୋପାଳଙ୍କ ସ୍ଥାନରେ ମୁକୁଲ ଅବସ୍ଥାପିତ ହେବେ। ୯୦ ବର୍ଷୀୟ ବେଣୁଗୋପାଳଙ୍କ କାର୍ୟ୍ୟକାଳ ବୃଦ୍ଧି ନେଇ ସରକାରଙ୍କ ତରଫରୁ କୁହାଯାଇଥିଲେ ହେଁ ବୟସାଧିକ୍ୟ ଓ ସ୍ୱାସ୍ଥ୍ୟଗତ କାରଣରୁ ସେ ଏହାକୁ ଗ୍ରହଣ କରିନଥିଲେ। ଆସନ୍ତା ୩୦ ତାରିଖରେ ବେଣୁଗୋପାଳଙ୍କର କାର୍ଯ୍ୟକାଳ ସମାପ୍ତ ହେବାକୁ ଯାଉଛି। ବେଣୁଗୋପାଳଙ୍କ ପରେ ଏଜି ଦାୟିତ୍ୱ ସମ୍ଭାଳିବେ ମୁକୁଲ।
ଗତ ୨୦୧୪ରେ ପ୍ରଥମ ଥର ପାଇଁ ୩ ବର୍ଷ ପାଇଁ ମୁକୁଲଙ୍କୁ ନିଯୁକ୍ତି ଦିଆଯାଇଥିଲା। ୨୦୧୭ ଜୁନ ମାସରେ ମୁକୁଲି ନିଜ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ବେଣୁଗୋପାଳଙ୍କୁ ୩ ବର୍ଷ ପାଇଁ ନିଯୁକ୍ତି ଦିଆଯାଇଥିଲା। ୨୦୨୦ରେ ତାଙ୍କର କାର୍ୟ୍ୟକାଳ ସମାପ୍ତ ହୋଇଥିଲେ ହେଁ ତାହାକୁ ଏକ ଏକ ବର୍ଷ ଦୁଇ ଥର ବୃଦ୍ଧି କରାଯାଇଥିଲା। ଚଳିତ ବର୍ଷ ଜୁନରେ ପୁଣି ଥରେ ତାଙ୍କର କାର୍ୟ୍ୟକାଳ ୩ ମାସ ପାଇଁ ବୃଦ୍ଧି କରାଯାଇଥିଲା। ମୁକୁଲଙ୍କ ନିଯୁକ୍ତି ଉପରେ ଆଲୋଚନା କରିବା ପାଇଁ ଗତ ସପ୍ତାହରେ ବୈଠକ ବସିଥିବା ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି।
ପୁଣିଥରେ ମୁକୁଲ ରୋହତଗୀ ହେବେ ଦେଶର ପରବର୍ତ୍ତୀ ଆଟର୍ଣ୍ଣି ଜେନେରାଲ

Share Now: