ତୀର୍ଥଯାତ୍ରା ହେଲା ଶେଷଯାତ୍ରା ବସ୍‌ ଓଲଟି ୫୭ ମୃତ

ଜଗତିୟାଲ୍‌: ତେଲେଙ୍ଗାନାର ଜଗତିଆଲ୍‌ ଜିଲ୍ଲାରେ ଆଜି ୮୦ରୁ ଊର୍ଦ୍ଧ୍ୱ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍‌ ଖାଇ ମଧ୍ୟକୁ ଖସିପଡ଼ିଛି। ଫଳରେ ୫୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୫ ଜଣ ଛୋଟ ପିଲା, ୩୬ ଜଣ ମହିଳା ଥିବା ଜଣାପଡ଼ିଛି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଦୁଃଖପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାକୁ ଘୋଷଣା କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ରାଜନାଥ ସିଂହ ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ତେଲେଙ୍ଗାନା ରାଜ୍ୟ ସଡ଼କ ପରିବହନ ନିଗମ (ଟିଏସ୍‌ଆର୍‌ଟିସି) ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାକୁ ଘୋଷଣା କରିଛି। ଟିଏସ୍‌ଆର୍‌ଟିସିର ଏହି ବସ୍‌ ଯୋଗେ ପ୍ରାୟ ୮୮ ଜଣ ଯାତ୍ରୀ ଆସୁଥିଲେ। ଅଧିକାଂଶ ଯାତ୍ରୀ ରାଜ୍ୟର କୋଣ୍ଡାଗାଟୁସ୍ଥିତ ପ୍ରସିଦ୍ଧ ଆଞ୍ଜନେୟ ସ୍ୱାମୀ ମନ୍ଦିର (ହନୁମାନ ମନ୍ଦିର) ଦର୍ଶନ ସାରି ଫେରୁଥିଲେ। କିନ୍ତୁ କେହି ଜାଣିନଥିଲେ ଯେ ସେମାନଙ୍କର ଏହି ତୀର୍ଥଯାତ୍ରା ଶେଷଯାତ୍ରାରେ ପରିଣତ ହେବ। ପାହାଡ଼ିଆ ଅଞ୍ଚଳରେ ବସ୍‌ଟି ଅଙ୍କାବଙ୍କା ରାସ୍ତା ଦେଇ ଯାଉଥିବା ବେଳେ ହଠାତ୍‌ ଏକ ମୋଡ଼ ଆସିବାରୁ ଚାଳକ ବ୍ରେକ୍‌ ଉପରୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ବସ୍‌ଟି ୩୦ ଫୁଟ୍‌ ଖାଇ ମଧ୍ୟକୁ ଖସିପଡ଼ିଥିଲା। ଦେଖଣାହାରୀଙ୍କ କହିବାନୁସାରେ, ବସ୍‌ଟି ଖସିବା ବେଳେ ୪ଥର ପଲଟି ପାହାଡ଼ରେ ପିଟି ହୋଇଥିଲା। ଏହି ସମୟରେ ଯାତ୍ରୀମାନେ ଖୁବ୍‌ ଜୋରରେ ଚିତ୍କାର କରିଥିଲେ। ତେବେ ଅଧିକାଂଶ ଯାତ୍ରୀ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିବା ପୁଲିସ ଦର୍ଶାଇଛି। ଘଟଣାସ୍ଥଳରେ ବସ୍‌ ଚାଳକ ଶ୍ରୀନିବାସଙ୍କ ସମେତ ୪୫ ଜଣ ପ୍ରାଣ ହରାଇଥିଲେ। ଅନ୍ୟ ସଂକଟାପନ୍ନ ଆହତମାନଙ୍କୁ ଜଗତିୟାଲ୍‌ ଚିକିତ୍ସାଳୟକୁ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଉ ୧୨ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଅନ୍ୟ ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ରାଓ ନିର୍ଦ୍ଦେଶ ଦେଇଛନ୍ତି।

Share Now:

Kalinga News Beuro

Leave a Reply

Next Post

ଦେଶ ଛାଡ଼ିବା ପୂର୍ବରୁ ଅର୍ଥମନ୍ତ୍ରୀଙ୍କୁ ଭେଟିଥିଲି:ମାଲ୍ୟା

Thu Sep 13 , 2018
ମିଛ କହୁଛନ୍ତି ମାଲ୍ୟା: ଜେଟ୍‌ଲି ନୂଆଦିଲ୍ଲୀ : ବ୍ୟାଙ୍କଗୁଡ଼ିକର ୯ ହଜାର କୋଟି ଟଙ୍କା ଠକି ବ୍ରିଟେନ୍‌ ପଳାଇଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟା ଆଜି ଏକ ବିସ୍ଫୋରକ ବୟାନ ଦେଇଛନ୍ତି। କହିଛନ୍ତି ଯେ ଭାରତ ଛାଡ଼ିବା ପୂର୍ବରୁ ସେ ଅର୍ଥ ମନ୍ତ୍ରୀ ଜେଟଲୀଙ୍କୁ ଭେଟିଥିଲେ ଏବଂ ସବୁ ବକେୟାର ସମାଧାନ ପାଇଁ ପ୍ରସ୍ତାବ ଦେଇଥିଲେ। ତାଙ୍କର ଏହି ବୟାନ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରିଛି। ମନ୍ତ୍ରୀ ଅରୁଣ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial