ବଲାଙ୍ଗୀର: ଦାଦନ ନେବାକୁ ଆସିଥିବା ଇଟାଭାଟିମାଲିକଙ୍କୁ ଜୁଆଡ଼ି ସଜାଇଥିଲା କଣ୍ଟାବାଞ୍ଜି ପୁଲିସ। ଆଉ ଏସବୁର ମାଷ୍ଟରମାଇଣ୍ଡ ଥିଲେ ତତ୍କାଳୀନ ଏସ୍ଡିପିଓ ହୃଷୀକେଶ ମେହେର। ଏସ୍ଡିପିଓ ରାତି ଉଜାଗର ରହି ଜବତ ଟଙ୍କାରୁ ଲକ୍ଷ ଲକ୍ଷ ହଡ଼ପ କରିଥିଲେ। ଆଉ ଏବେ ଏବେ ଟଙ୍କା ହଡ଼ପ କରି ବିବାଦରେ ଥିବା ତତ୍କାଳୀନ ଏସ୍ଡିପିଓଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର। ନିଲମ୍ବନ ସମୟରେ ସେ ନୟାଗଡ଼ ଏସ୍ପିଙ୍କୁ ରିପୋର୍ଟ କରିବେ। ଗତ ସେପ୍ଟେମ୍ବର ୧୫ ତାରିଖ ବିଳମ୍ବିତ ରାତିରେ କଣ୍ଟାବାଞ୍ଜିର ଅନ୍ନପୂର୍ଣ୍ଣା ଲଜରେ ଚଢ଼ଉ କରିଥିଲା ପୁଲିସ। ସେଠାରେ ଦାଦନ ଚାଲାଣ ପାଇଁ ତେଲେଙ୍ଗାନାରୁ ଆସିଥିବା ୭ ଜଣ ଇଟାଭାଟି ମାଲିକଙ୍କୁ ଜୁଆଡ଼ି ସଜାଇ ପୁଲିସ ଗିରଫ କରିଥିଲା। ସେମାନଙ୍କଠାରୁ ୫୮ ଲକ୍ଷ ୫୨ ହଜାର ୨୫୦ ଟଙ୍କା ଜବତ ହୋଇଥିବା ଏସ୍ଡିପିଓ ସାମ୍ବାଦିକ ସମ୍ମିଳନୀରେ କହିଥିଲେ। କିନ୍ତୁ ପରେ ଅଧିକ ଟଙ୍କା ଜବତ ହୋଇଥିବା ଓ ବାକିତକ ଟଙ୍କା ପୁଲିସ ଲୁଚାଇଥିବା ଜଣାପଡ଼ିଥିଲା। ଗଣମାଧ୍ୟମରେ ଖବର ପ୍ରକାଶନ ପରେ ତୁରନ୍ତ ଏସ୍ପି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।
ଅତିରିକ୍ତ ଏସ୍ପି ତଦନ୍ତ କରି ଏସ୍ଡିପିଓ ଥାନା ଭିତରେ ଲୁଚାଇଥିବା ବଳକା ଲକ୍ଷ ଲକ୍ଷ ଟଙ୍କା ବାହାର କରିଥିଲେ। ପାଖାପାଖି ୨୦ ଲକ୍ଷ ଟଙ୍କା ତାଙ୍କ ପାଖରୁ ବାହାରିଥିଲା। ଆଉ କିଛି ଟଙ୍କା ଅତିରିକ୍ତ ଏସ୍ପି ବି ବାହାର କରିପାରି ନଥିଲେ। ପୂରା ତଦନ୍ତ ରିପୋର୍ଟ ଏସ୍ପି ପାଇବା ପରେ ଉପରିସ୍ଥ ଅଧିକାରୀ ଓ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଥିଲେ। ଏହାସହ କଣ୍ଟାବାଞ୍ଜିରୁ ପ୍ରଥମେ ଜିଲ୍ଲା ମୁଖ୍ୟାଳୟକୁ ଏସ୍ଡିପିଓଙ୍କ ବଦଳି ହୋଇଥିଲା। କିଛି ଦିନ ପରେ ଏବେ ରାଜ୍ୟ ସରକାର ହୃଷୀକେଶ ମେହେରଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ଆଗକୁ ଆଉ କଣ କାର୍ଯ୍ୟାନୁଷ୍ଠାନ ହେବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି।
ଟଙ୍କା ହଡ଼ପ ମହଙ୍ଗା ପଡ଼ିଲା : ବିବାଦୀୟ ଏସ୍ଡିପିଓ ହୃଷୀକେଶ ମେହେର ନିଲମ୍ବିତ

Share Now: