ପ୍ଲାନେଟାରିୟମ୍‌‌‌ରେ ସୋ’ ବନ୍ଦ : ନିରାଶରେ ଫେରୁଛନ୍ତି ଦର୍ଶକ

ପ୍ଲାନେଟାରିୟମ୍‌‌‌ରେ ସୋ’ ବନ୍ଦ

ଭୁବନେଶ୍ବର: ବିନା ସୂଚନାରେ ଗତ ଶୁକ୍ରବାରଠାରୁ ପଠାଣି ସାମନ୍ତ ପ୍ଲାନେଟାରିୟମ୍‌‌‌ରେ ସୋ’ ବନ୍ଦ ରହିଛି। ଫଳ‌ରେ ପ୍ରତିଦିନ ରାଜଧାନୀ ସମେତ ବିଭିନ୍ନ ସ୍ଥାନରୁ ଆସୁଥିବା ଶହଶହ ଦର୍ଶକ ନିରାଶ ହୋଇ ଫେରୁଛନ୍ତି। ବର୍ତ୍ତମାନ ସମୟରେ କାଳୀପୂଜା ତଥା ଦୀପାବଳି ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡ଼ିକ ଛୁଟି ରହୁଥିବାରୁ ବହୁ ମାତ୍ରାରେ ଛାତ୍ରଛାତ୍ରୀ ସୋ’ ଦେଖିବା ପାଇଁ ଆସୁଛନ୍ତି। ହେଲେ ପ୍ରବେଶ ପଥ ପାଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସୋ’ ବନ୍ଦ ଥିବା ସୂଚନା ଫଳକ ଦେଖି ସେମାନଙ୍କ ମନ ମରିଯାଉଛି। ଅଧିକାରୀମାନଙ୍କ ଏଭଳି ଖାମଖିଆଲି ପାଇଁ ବିଭିନ୍ନ ସ୍ଥାନରୁ ଆସୁଥିବା ଲୋକେ ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ସୂଚନା ଅନୁସାରେ, ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ରେ ଦୈନିକ ଦିନ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାରିଟି ସୋ’ ହୋଇଥାଏ। ଦୁଇଟି ଓଡ଼ିଆ ଓ ଗୋଟିଏ ଲେଖାଁଏ ହିନ୍ଦୀ, ଇଂରାଜୀ ମିଶି ସର୍ବମୋଟ ଚାରିଟି ସୋ’ ହୋଇଥାଏ। ରାଜଧାନୀ ସମେତ ରାଜ୍ୟର କୋଣଅନୁକୋଣରୁ ସ୍କୁଲ୍‌ କଲେଜ ଛାତ୍ରଛାତ୍ରୀମାନେ ଏଠାକୁ ଆସି ଗ୍ରହ ନକ୍ଷତ୍ର, ସୌରମଣ୍ଡଳ ସଂପର୍କରେ ଜାଣିବାର ସୁଯୋଗ ପାଇଥା’ନ୍ତି। ହେଲେ ବିନା କୌଣସି ସାର୍ବଜନୀନ ସୂଚନା ନ ଦେଇ କେବଳ ପ୍ରବେଶ ପଥରେ ବନ୍ଦ ଥିବା ନୋଟିସ୍‌ ଲଗାଇ କର୍ତ୍ତୃପକ୍ଷ ଚୁପ୍‌ ବସିଛନ୍ତି। ଫଳରେ ପ୍ରତିଦିନ ବହୁ ଲୋକ ନିରାଶ ହୋଇ ଫେରୁଛନ୍ତି। ସେମାନଙ୍କ ଅଭିଯୋଗ ଅନୁସାରେ, ଯଦି ଯନ୍ତ୍ରାଂଶରେ କୌଣସି ତ୍ରୁଟି ଅଛି, ତେବେ କର୍ତ୍ତୃପକ୍ଷ ତାହା ଗଣମାଧ୍ୟମ ଜରିଆରେ ଜନସାଧାରଣଙ୍କୁ ସୂଚନା ଦେବା ଆବଶ୍ୟକ। ଫଳରେ ଲୋକେ ସେଠାକୁ ଯାଇ ଅଯଥା ଖର୍ଚ୍ଚାନ୍ତରୁ ବର୍ତ୍ତି ଯାଆନ୍ତେ। ତେବେ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୨୬, ୨୭ ତାରିଖ ସୁଦ୍ଧା ଯାନ୍ତ୍ରିକ ତ୍ରୁଟିର ସମାଧାନ କରାଯାଇ ପୂର୍ବଭଳି ସୋ’ ଚାଲିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ସୂର୍ଯ୍ୟୋପରାଗ ପାଇଁ କୌଣସି ବ୍ୟବସ୍ଥା ନାହିଁ
ସୂର୍ଯ୍ୟୋପରାଗ ସମୟରେ ସବୁବେଳେ ପ୍ଲା‌ନେଟାରିୟମ୍‌ ପକ୍ଷରୁ ଲୋକମାନେ ପରାଗ ଦେଖିବା ପାଇଁ ବ୍ୟବସ୍ଥା କରାଯାଇଥାଏ। ହେଲେ ଚଳିତଥର ପରାଗ ସନ୍ଧ୍ୟାବେଳେ ହେଉଥିବା ସହ ମାତ୍ର ୨୦ ମିନିଟ୍‌ ପାଇଁ ହେଉଛି। ଏଥିସହ ସୂର୍ଯ୍ୟ ପଶ୍ଚିମ ଦିଗ୍‌ବଳୟରେ ରହିବା ସହ ପାଗ ମେଘୁଆ ରହୁଥିବାରୁ ବାହାରକୁ କିଛି ଜଣାପଡ଼ିବନି। ତେଣୁ ଏହାକୁ ଦୃଷ୍ଟିରେ ରଖି ଚଳିତଥର କୌଣସି ବ୍ୟବସ୍ଥା କରାଯାଇନଥିବା ପ୍ଲା‌ନେଟାରିୟମ୍‌ ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି।

Share Now:

Kalinga News Beuro

Next Post

ଦୀପାବଳିରେ ଜୀବନ ନେଇଗଲା ମହମବତୀ ନିଆଁ : ଡ୍ରାଇଭର ଓ ହେଲପରଙ୍କ ମୃତ୍ୟୁ

Tue Oct 25 , 2022
ରାଞ୍ଚି: ଜୀବନ ନେଇଗଲା ମହମବତୀ ନିଆଁ। ଦୀପାବଳି ପାଳିବାକୁ ବସରେ ଲଗାଇଥିଲେ ମହମବତୀ। ଆଉ ଏହି ମହମବତୀ ହିଁ ଜୀବନ ନେଇଯାଇଛି। ଝାଡଖଣ୍ଡର ରାଜଧାନୀ ରାଞ୍ଚିରେ ଗତକାଲି ଏକ ବସରେ ନିଆଁ ଲାଗିବା ପରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମଙ୍ଗଳବାର ଦିନ ଏ ସମ୍ପର୍କରେ ସୂଚନା ଦେଇ ପୁଲିସ କହିଛି ଯେ ଏହି ଘଟଣା ରାଜ୍ୟର ସବୁଠାରୁ ବ୍ୟସ୍ତବହୁଳ ବସ୍ ଟର୍ମିନାଲ ଖଡଗଡ଼ାରେ ଘଟିଛି। ପୁଲିସ କହିଛି ଯେ […]
ବସରେ ଅଗ୍ନିକାଣ୍ଡ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial