ମୁମ୍ବାଇ: ମୁମ୍ବାଇର ଜେଜେ ହସ୍ପିଟାଲରେ ୧୩୨ ବର୍ଷର ପୁରୁଣା ଓ ୧୨ ମିଟର ଲମ୍ବା ଓ ଚଉଡ଼ା ବିଶିଷ୍ଟ ଏକ ଭୂତଳ ସୁଡ଼ଙ୍ଗ ଏବଂ କୋଠରି ଠାବ କରାଯାଇଛି। ପଥର କାନ୍ଥ ଓ ଇଟାର ସ୍ତମ୍ଭ ଥିବା ଏହି କୋଠରିର ଉପରେ ରହିଛି ନର୍ସିଂ କଲେଜ, ଯେଉଁଠି ପୂର୍ବରୁ ମହିଳା ଓ ଶିଶୁ ଚିକିତ୍ସାଳୟ ଥିଲା। ଏକ ଲିକେଜର ତନଖି କଲାବେଳେ ଜନୈକ ରେସିଡେଣ୍ଟ ମେଡିକାଲ ଅଫିସର ଡ. ଅରୁଣ ରାଠୋଡ଼ ଏହି ସୁଡ଼ଙ୍ଗଟି ଠାବ କରିଛନ୍ତି। ରାଠୋଡ଼ କହିଛନ୍ତି ଯେ ଜେଜେ ହସ୍ପିଟାଲ ତଳେ ଭୂତଳ ସୁଡ଼ଙ୍ଗ ଓ କୋଠରି ଥିବାର ପୁରୁଷାନୁକ୍ରମେ ଆଲୋଚନା ହୋଇ ଆସୁଛି। କିନ୍ତୁ ଏହାର ସତ୍ୟତା ଥିବା ଏବେ ଜଣାପଡ଼ିଲା। ପୂର୍ବରୁ ହସ୍ପିଟାଲର ନାଁ ଥିଲା ସାର୍ ଦିନସା ମାନେକଜି ପେଟିଟ୍ ହସ୍ପିଟାଲ।
ଏହାର ଡାହାଣପଟ କୋଣରେ ଗୋଟିଏ ସରୁ ବାଟ ଥିବାର ରାଠୋଡ଼ ଦେଖିବାକୁ ପାଇଲେ। ଏହା ଭିତରେ ପଶିବା ପରେ ସେ ସୁଡ଼ଙ୍ଗ ଓ ଭୂତଳ କୋଠରି ଥିବାର ଦେଖିବାକୁ ପାଇଲେ। ୧୮୯୨ ମସିହାରେ ହସ୍ପିଟାଲଟିର ନିର୍ମାଣ ଶେଷ ହୋଇଥିଲା। ସେହି ସମୟରୁ ସୁଡ଼ଙ୍ଗ ଓ ଭୂତଳ କୋଠରି ନିର୍ମାଣ ହୋଇଥିବା ବିଶ୍ବାସ କରାଯାଏ। ଜେଜେ ଓ ପିଡବ୍ଲୁଡି କର୍ମଚାରୀଙ୍କ ସହାୟତାରେ ରାଠୋଡ଼ ସୁଡ଼ଙ୍ଗ ମୁହଁରେ ଥିବା କାଠ କବାଟ ଓ ଲୁହା ଗ୍ରିଲକୁ ଅପସାରିତ କରି ବୁଧବାର ଭିତରେ ପ୍ରବେଶ କରିଥିଲେ। ସୁଡ଼ଙ୍ଗ ପଥରେ କିଛିବାଟ ଗୁରୁଣ୍ଡି ଗୁରୁଣ୍ଡି ଗଲାପରେ ବିରାଟ ଭୂତଳ କୋଠରି ଦେଖିଥିଲେ। କୋଠରିର ଲମ୍ବା ୪୦ ଫୁଟ, ଚଉଡ଼ା ୪୦ ଫୁଟ ଓ ଉଚ୍ଚତା ୪ରୁ ସାଢ଼େ ୪ ଫୁଟ ଥିଲା। ଫଳରେ ଜଣେ ବୟସ୍କ ଲୋକ ଭିତରେ ସିଧା ଠିଆ ହେବା କଷ୍ଟକର। ତେବେ ଏଠାରୁ ବାହାରକୁ ଯିବା ପାଇଁ ଅନ୍ୟ କୌଣସି ବାଟ ନ ଥିବା ଦେଖିବାକୁ ମିଳିଥିଲା।
ମୁମ୍ବାଇ ଜେଜେ ହସ୍ପିଟାଲରେ ଭୂତଳ ସୁଡ଼ଙ୍ଗ ଓ କୋଠରି ଠାବ

Share Now: