ରାଜଧାନୀରେ ଲାଗିଲା କଟକଣା‌ : ରାସ୍ତାକଡ଼ରେ ହେବନି ମାଂସ କଟା

ରାସ୍ତାକଡ଼ରେ ହେବନି ମାଂସ କଟା

ଭୁବନେଶ୍ୱର: ଏଣିକି ଆଉ ରାଜଧାନୀର ରାସ୍ତା କଡ଼ରେ ମାଂସ କଟା ହେବ ନାହିଁ। କେହି ଏହି କଟକଣାକୁ ଅମାନ୍ୟ କଲେ‌, ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ବିଏମ୍‌ସି ପକ୍ଷରୁ ଏଭଳି ଘୋଷଣା ହେବା ପରେ ଆଜି ‘ଭୁବନେଶ୍ୱର ନନ୍‌ଭେଜ୍ ଟ୍ରେଡର୍ସ ଫେଡେରେସନ୍‌’ ବିଏମ୍‌ସି ଅଫିସ ଘେରିଥିଲା। ତେବେ ମେୟର ସୁଲୋଚନା ଦାସଙ୍କ ସହ ଆଲୋଚନା କରିବା ପ‌ରେ ଫେଡେରେସନ ବିଏମ୍‌ସିର ଏହି ନିଷ୍ପତ୍ତିକୁ ମାନିଥିବା ଜଣାପଡ଼ିଛି।
ଆଜି ବିଏମ୍‌ସି କନ୍‌ଫରେନ୍ସ ହଲ୍‌ରେ ଫେଡେରେସନ୍‌ ସହ ହୋଇଥିବା ବୈଠକରେ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ଭିତ୍ତିଭୂମି ପ୍ରସ୍ତୁତ ନ କରି ହଠାତ୍‌ ଏଭଳି ନିଷ୍ପତ୍ତିକୁ ମାଂସ ବ୍ୟବସାୟୀମାନେ ବିରୋଧ କରିଥିଲେ। ବାରମ୍ବାର ରାସ୍ତାକଡ଼ରୁ ବ୍ୟବସାୟୀଙ୍କୁ ଉଚ୍ଛେଦ କରିବା ଦ୍ୱାରା ସେମାନେ ବିପୁଳ ଆର୍ଥିକ କ୍ଷତି ସହୁଛନ୍ତି ବୋଲି ଅଭିଯୋଗ କରିଥିଲେ। ଘାଟିକିଆ ଭଳି ପ୍ରତ୍ୟେକ ୱାର୍ଡରେ ଗୋଟିଏ ଗୋଟିଏ ଅତ୍ୟାଧୁନିକ ମାଂସ ମାର୍କେଟ୍‌ ‌ଖୋଲିବା ପାଇଁ ସେମାନେ ଦାବି କରିଥିଲେ। ଦୁଇ ବର୍ଷ ମଧ୍ୟରେ ଏଭଳି ମାର୍କେଟ୍‌ ନିର୍ମାଣ କରିବାକୁ ବୈଠକରେ ପ୍ରତିଶ୍ରୁତି ଦିଆଯାଇଥିଲା ଏବଂ ଦୁଇ ମାସ ଅନ୍ତରରେ ମାଂସ ବ୍ୟବସାୟୀଙ୍କ ସହ ଆଲୋଚନା ହେବ ବୋଲି କୁହାଯାଇଥିଲା। କିନ୍ତୁ ତା’ ପୂର୍ବରୁ ଆଉ ଏଣିକି ରାସ୍ତା କଡ଼ରେ ମାଂସ କଟା ହୋଇପାରିବନାହିଁ ବୋଲି ସେମାନଙ୍କୁ କୁହାଯାଇଛି। ରାଜଧାନୀରେ ପ୍ରାୟ ସାଢ଼େ ୩ ଶହ ମାଂସ ବ୍ୟବସାୟୀ ଥିବା ସଂଘ କହିଛି। ୱାର୍ଡ ଅନୁଯାୟୀ ଏମାନଙ୍କର ତାଲିକା ପ୍ରସ୍ତୁତ କରି ସଂଘ ବିଏମ୍‌ସିରେ ଦାଖଲ କରିବ। କେହି ନୂଆ କରି ମାଂସ ଦୋକାନ ଖୋଲିଲେ କାର୍ଯ୍ୟାନୁଷ୍ଠାନ ନେବାକୁ ସଂଘ ବିଏମ୍‌ସିକୁ ଅନୁରୋଧ କରିଛି। ଏହି ବୈଠକରେ ଅତିରିକ୍ତ କମିସନର ସୂର୍ଯ୍ୟବଂଶୀ ମୟୂର ବିକାଶ, ମାର୍କେଟ୍‌ ଦାୟିତ୍ୱରେ ଥିବା ଡେପୁଟି କମିସନର ରମେଶ ଚନ୍ଦ୍ର ଜେନା, ଜେଡ୍‌ଡିସି (ଦକ୍ଷିଣ ପଶ୍ଚିମ ଜୋନ୍‌) ରବିନାରାୟଣ ଜେଠି, ୱାର୍ଡ ନଂ ୨୩ କର୍ପୋରେଟର କିରଣବାଳା ମାଝୀ, ପୂର୍ବତନ କର୍ପୋରେଟର ମୁଜାହିଦ୍ ହୁସେନ୍, ଏଓଏନ୍‌ଭିଟିଏଫ୍‌ ରାଜ୍ୟ ସଭାପତି ଶେଖ ମୁନ୍ତାକିମ୍ ବକ୍ସ, ଭୁବନେଶ୍ୱର ନନ୍‌ଭେଜ ଟ୍ରେଡର୍ସ ଫେଡେରେସନ ସଭାପତି ସେକ୍‌ ଅୟୁବ, ସାଧାରଣ ସମ୍ପାଦକ ସେକ୍‌ ସାର୍ଜନ, ଉପସଭାପତି ମୀର ଉମର୍ ଅଲ୍ଲି, ମୀର ନିଜାମୁଦ୍ଦିନ୍‌, ମୀର ତାଜ୍‌ଉଦ୍ଦିନ, ସେକ୍‌ କୟୁମୁଦ୍ଦିନ, ଅମୀର ଖାନ୍‌, ଫକିରା ଶାହା, ସମ୍ପାଦକ ସେକ୍‌ ବିନ୍‌ ମହମ୍ମଦ, କୋଷାଧ୍ୟକ୍ଷ ସେକ୍‌ ଅବଜାନ୍ ବାବୁ , ସହ ସମ୍ପାଦକ ମୀର୍ଜା ସମସାଦ ବେଗଙ୍କ ସମେତ ୩୫ରୁ ଉର୍ଦ୍ଧ୍ୱ ସଦସ୍ୟ ଭାଗ ନେଇଥିଲେ।

Share Now:

Kalinga News Beuro

Next Post

ପ୍ରବଳ ବର୍ଷା ପାଇଁ ତାମିଲନାଡୁର ୧୩ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ : ୬ଟି ଏନଡିଆରଏଫ ଟିମ ମୁତୟନ

Tue Dec 6 , 2022
ନୂଆଦିଲ୍ଲୀ: ପ୍ରବଳ ବର୍ଷା ପାଇଁ ତାମିଲନାଡୁର ୧୩ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ। ମୁତୟନ ହେଲା ୬ଟି ଏନଡିଆରଏଫ ଟିମ। ଡିସେମ୍ବର ୮ ପାଇଁ ତାମିଲନାଡୁର ୧୩ଟି ଜିଲ୍ଲାକୁ ଭାରତୀୟ ପାଣିପାଗ ବିଭାଗ ରେଡ ୱାର୍ଣ୍ଣିଂ ଜାରି କରିଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଲଘୁଚାପ ପାଇଁ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରି ଭାରତୀୟ ପାଣିପାଗ ବିଭାଗ ରେଡ ୱାର୍ଣ୍ଣିଂ ଜାରି କରିଛି। ପ୍ରବଳ ବର୍ଷା ସହ ପବନର […]
ପ୍ରବଳ ବର୍ଷା ପାଇଁ ତାମିଲନାଡୁର ୧୩ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ

ଆହୁରି ପଢ଼ନ୍ତୁ