ସ୍ମାର୍ଟ ସିଟିରେ ୨୫ କୋଟିର ୩ ପ୍ରକଳ୍ପ ଲୋକାର୍ପିତ

ଭୁବନେଶ୍ୱର: ସ୍ମାର୍ଟ ସିଟିର ତିନିଟି ପ୍ରକଳ୍ପକୁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି। ଏହାସହ ଦୁଇଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଭୁବନେଶ୍ୱରକୁ ସ୍ମାର୍ଟ ସିଟିରେ ପରିଣତ କରିବା ପାଇଁ ଘୋଷଣା ହେବା ପରେ ଏହା ସବୁଠୁ ବଡ଼ ଉଦ୍‌ଘାଟନୀ କାର୍ଯ୍ୟକ୍ରମ। ମୁଖ୍ୟମନ୍ତ୍ରୀ ପ୍ରାୟ ୨୫କୋଟି ଟଙ୍କାର ପ୍ରକଳ୍ପ ଲୋକାର୍ପିତ କରିବାକୁ ଥିବା ବେଳେ ଏଥିରେ ସାରା ସହରରେ ଲାଗିଥିବା ଆଡାପ୍ଟିଭ୍‌ ଟ୍ରାଫିକ ସିଗନାଲ୍‌ ସିଷ୍ଟମ୍‌, ବିଏମ୍‌ସି-ଭବାନି ମଲ୍‌ରେ ନିର୍ମାଣ ହୋଇଥିବା ଭୁବନେଶ୍ୱର ଅପରେସନ୍‌ସ ସେଣ୍ଟର, ସହିଦନଗର ପାର୍କ ଅଛି। ଏହାସହ ମୁଖ୍ୟମନ୍ତ୍ରୀ ବାପୁଜୀ ନଗରରେ ଇଣ୍ଟିଗ୍ରେଟେଡ୍‌ ପବ୍ଲିକ ସର୍ଭିସ୍‌ ସେଣ୍ଟର ଏବଂ ସହିଦ ନଗରରେ ସେନସୋରି ପାର୍କର ଶିଳାନ୍ୟାସ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ପୂର୍ବରୁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ର ସିଇଓ ଆର୍‌. ଭିନିଲ୍‌ କ୍ରିଷ୍ଣା, ପୁଲିସ କମିସନର ଓ୍ଵାଇ.ବି ଖୁରାନିଆ, ଡିସିପି ଅନୁପ ସାହୁ ଭୁବନେଶ୍ୱର ଅପରେସନ ସେଣ୍ଟର ଯାଇ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ।

ରାଜଧାନୀରେ ପ୍ରାୟ ୧୫ କୋଟି ବ୍ୟୟରେ ଆଡାପ୍ଟିଭ୍‌ ଟ୍ରାଫିକ୍‌ ସିଗନାଲ୍‌ ବ୍ୟବସ୍ଥା ହୋଇଥିବା ବେଳେ ଏହାଦ୍ୱାରା ଟ୍ରାଫିକ୍‌ ପରିଚାଳନା ସୁବ୍ୟବସ୍ଥିତ ହେବ ବୋଲି କୁହାଯାଇଛି। ମୁଖ୍ୟମନ୍ତ୍ରୀ ଏଜି ଛକରେ ଏହାକୁ ଉଦ୍‌ଘାଟନ କରିଥିଲେ। ସେହିପରି ସାରା ଭୁବନେଶ୍ୱର ଉପରେ ନଜର ରଖିବା ଏବଂ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଭୁବନେଶ୍ୱର ଅପରେସନ୍‌ ସେଣ୍ଟର ନିର୍ମାଣ ହୋଇଛି। ପ୍ରାୟ ୮ କୋଟି ଟଙ୍କାରେ ନିର୍ମାଣ ହୋଇଥିବା ଏହି କେନ୍ଦ୍ରରେ ଟ୍ରାଫିକ ପୁଲିସ ସମେତ ସ୍ମାର୍ଟ ସିଟି ଭୁବନେଶ୍ୱରର କର୍ମଚାରୀମାନେ ଭୁବନେଶ୍ୱରକୁ ନିୟନ୍ତ୍ରଣ କରିବେ। ରାଜଧାନୀର ୫୦ଟି ଛକରେ ଅତ୍ୟାଧୁନି ଟ୍ରାଫିକ୍‌ ସିଗନାଲ୍‌ ଲାଗିଥିବା ବେଳେ ୮ଟି ଜାଗାରେ ପେଲିକାନ୍‌ ଏବଂ ୫ଟି ଜାଗାରେ ବ୍ଲିଙ୍କର ଲାଗିଛି। ଟ୍ରାଫିକ୍‌ ସିଗନାଲ୍‌ ସ୍ୱୟଂଚାଳିତ ହେବାକୁ ଥିବାରୁ ଏଣିକି ରାଜଧାନୀରେ ଗାଡ଼ି ଚଳାଉଥିବା ଲୋକଙ୍କୁ ଅଧିକ ସମୟ ଟ୍ରାଫିକ୍‌ ପୋଷ୍ଟରେ ଛିଡ଼ା ହେବାକୁ ପଡ଼ିବନି। ସେହିପରି ସହିଦନଗରରେ ନିର୍ମାଣ ହୋଇଥିବା ସ୍ମାର୍ଟ ପାର୍କ ପିଲାଙ୍କୁ ମନୋରଞ୍ଜନର ଖୋରାକ୍‌ ଯୋଗାଇବା ସହ ଯୁବପିଢ଼ିଙ୍କ ପାଇଁ ସେଲ୍‌ଫି ପଏଣ୍ଟ ହେବ। ମର୍ଣ୍ଣିଂଓ୍ଵାକ୍‌ର ବ୍ୟବସ୍ଥା ସହ ମ୍ୟୁଜିକାଲ୍‌ ଫାଉଣ୍ଟେନ୍‌ ମଧ୍ୟ ଏଠାରେ ରହିଛି। ଏଥିପାଇଁ ପ୍ରାୟ ୨କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସେହିପରି ବାପୁଜୀନଗର ଏବଂ ଏହା ନିକଟବର୍ତ୍ତୀ ଅଞ୍ଚଳବାସୀଙ୍କୁ ହାତପାଆନ୍ତାରେ ସମସ୍ତ ସୁବିଧା ମିଳିବ। ସମସ୍ତ ପ୍ରକାର ବିଲ୍‌ ପେମେଣ୍ଟ କରିବାର ବ୍ୟବସ୍ଥା ବି ରହିବ। ସେନସୋରି ପାର୍କକୁ ଭିନ୍ନକ୍ଷମ ପିଲା ଏବଂ ସାଧାରଣ ପିଲାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ନିର୍ମାଣ ହେବ।

ପୁଲିସ କମିସନର୍‌ଙ୍କ ଅସନ୍ତୋଷ


ସୋମବାର ଅତ୍ୟାଧୁନିକ ଟ୍ରାଫିକ ସିଗନାଲ୍‌ ବ୍ୟବସ୍ଥା ଏବଂ ଭୁବନେଶ୍ୱର ଅପରେସନ୍‌ ସେଣ୍ଟର (ବିଓସି) ଉଦ୍‌ଘାଟନ ହେବା ପୂର୍ବରୁ ପୁଲିସ କମିସନର ଓ୍ଵାଇ.ବି ଖୁରାନିଆ ଆଜି ଏହାର ସମୀକ୍ଷା କରିଛନ୍ତିି। ଏବେ ଯେଉଁ ବ୍ୟବସ୍ଥାରେ ଟ୍ରାଫିକ ପରିଚାଳନା ହେବ ଏବଂ ପୂରା ଭୁବନେଶ୍ୱର ଉପରେ ନଜର ରଖାଯିବ, ସେନେଇ କମିସନର ଅସନ୍ତୋଷ ଜାହିର୍‌ କରିଛନ୍ତି। ବିଓସିରୁ ଟ୍ରାଫିକ୍‌ ପରିଚାଳନା ତଦାରଖ କରିବାକୁ ଥିବା ବେଳେ ଏଠାରୁ ଟ୍ରାଫିକ୍‌ ପୋଷ୍ଟକୁ ଯୋଗାଯୋଗ କରିବାକୁ କିଛି ବ୍ୟବସ୍ଥା ନାହିଁ। ଏପରିକି ଟ୍ରାଫିକ୍‌ ପୋଷ୍ଟରେ ଥିବା ପୁଲିସକୁ ସେମାନଙ୍କ ମୋବାଇଲ୍‌ରେ ଯୋଗାଯୋଗ କରିବାର ବ୍ୟବସ୍ଥା ଥିବାରୁ କମିସନର୍‌ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଖୁବ୍‌ଶୀଘ୍ର ଭିଏଚ୍‌ଏଫ୍‌ ବ୍ୟବସ୍ଥା କରିବାକୁ ଟ୍ରାଫିକ୍‌ ଏସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଟ୍ରାଫିକ୍‌ ଛକରେ ବାମ ପାର୍ଶ୍ୱକୁ ଯିବାକୁ କୌଣସି ସିଗନାଲ୍‌ ନଥିବାରୁ ଲୋକ ରହିବେ କି ଯିବେ ଜାଣି ପାରୁନାହାନ୍ତି। କେବଳ ଏଜି ଛକରେ ଏହି ବ୍ୟବସ୍ଥା ହୋଇଛି। ତେଣୁ ସମସ୍ତ ଟ୍ରାଫିକ୍‌ ଜଙ୍କସନ୍‌ରେ ସମାନ ସିଗନାଲ୍‌ ବ୍ୟବସ୍ଥା କରିବାକୁ କୁହାଯାଇଛି। ପଥଚାରୀମାନେ ଯେପରି ସହଜରେ ରାସ୍ତା ଅତିକ୍ରମ କରିପାରିବେ ଏବଂ ଟ୍ରାଫିକ୍‌ ପୋଷ୍ଟ ନିକଟରେ ଛିଡ଼ା ହୋଇପାରିବେ ସେଥିପାଇଁ ସ୍ଥାନ ଚିହ୍ନଟ କରିବାକୁ କୁହାଯାଇଛି। ପ୍ରତ୍ୟେକ ପୋଷ୍ଟରେ ଜେବ୍ରା କ୍ରସିଂ ଟଣାଯିବ। ବିଓସିର ଟୋଲ୍‌ ଫ୍ରି ନମ୍ବର ୧୧ଟିକିଆ ନମ୍ବର ହୋଇଥିବାରୁ ଏହାକୁ ତିନି ଅଙ୍କ ବା ଚାରି ଅଙ୍କ ବିଶିଷ୍ଟ କରିବାକୁ କହିଛନ୍ତି। ସେହିପରି ବିଓସିରେ ସ୍ମାର୍ଟ ଏଲ୍‌ଇଡି ଲଗାଇବାକୁ କମିସନର କହିଛନ୍ତି।

Share Now:

Kalinga News Beuro

Leave a Reply

Next Post

୨୫ ବର୍ଷ ପରେ ୨୦୨୦ ନଭେମ୍ବରରେ ନାଗାର୍ଜୁନ ବେଶ

Tue Jul 10 , 2018
ପୁରୀ : ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପାଇଁ ଗଣନା ହୋଇଛି। ଦୀର୍ଘ ୨୫ ବର୍ଷ ପରେ ମହାପ୍ରଭୁଙ୍କ ଏହି ବିରଳ ବେଶ ଆସନ୍ତା ୨୦୨୦ ନଭେମ୍ବର ମାସ ୨୭ ତାରିଖ ଶୁକ୍ରବାର ପବିତ୍ର କାର୍ତ୍ତିକ ଦ୍ଵାଦଶୀ ତିଥିରେ ଅନୁଷ୍ଠିତ ହେବ। ଏ ସଂପର୍କରେ ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକାର ମୁଖ୍ୟ ଗଣକ ଜ୍ୟେର୍ତିବିଦ୍ୟା ବାଚସ୍ପତି ବୈକୁଣ୍ଠନାଥ ନାୟକ ସୂଚନା ଦେଇଛନ୍ତି। ସେହି ବର୍ଷ କାର୍ତ୍ତିକ ମାସରେ ପଞ୍ଚୁକ ଅଧିକ ୬ ଦିନ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial