ମହାନଦୀ ଉପରେ ନିର୍ମିତ ଟି-ସେତୁରେ ଦଳାଚକଟା : ୨୦ ଶ୍ରଦ୍ଧାଳୁ ଗୁରୁତର, ୫ ଜଣଙ୍କ ଅବସ୍ଥା ସଂକଟାପନ୍ନ

ମହାନଦୀ ଉପରେ ନିର୍ମିତ ଟି-ସେତୁରେ ଦଳାଚକଟା

ବଡମ୍ବା : ମହାନଦୀ ଉପରେ ନିର୍ମିତ ଟି-ସେତୁ ଉପରେ ଆଜି ଅଘଟଣ ଘଟିଛି। କଟକ ଜିଲ୍ଲା ବଡ଼ମ୍ବା-ଗୋପୀନାଥପୁର ଟି-ସେତୁରେ ଦଳାଚକଟା ‌ଯୋଗୁଁ ୨୦ ଜଣ ଶ୍ରଦ୍ଧାଳୁ ଗୁରୁତର ହୋଇଥିବା ସୂଚନା ମିଳିଛି। ଏଥିରୁ ୫ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଗୁରୁତରମାନଙ୍କ ମଧ୍ୟରେ ମହିଳା ଓ ଛୋଟ ପିଲା ଥିବା ଜଣାପଡ଼ିଛି। ଗୁରୁତରମାନଙ୍କୁ ଡାକ୍ତରଖାନା ନିଆଯାଉଛି। ଶୋଚନୀୟ ଅବସ୍ଥା ଥିବା ୩ ଜଣ ଲୋକଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଉଛି। ସୂଚନା ଅନୁସାରେ ମହାନଦୀ ଭିତରେ ଥିବା ସିଂହନାଥ ପୀଠରେ ପ୍ରତିବର୍ଷ ଭଳି ଚଳିତ ଥର ମଧ୍ୟ ମକରମେଳାର ଆୟୋଜନ କରାଯାଇଛି। ଏହି ମେଳାରେ କଟକ, ଭୁବନେଶ୍ୱର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ ଓ ନୟାଗଡ଼ ଜିଲ୍ଲାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଯୋଗ ଦେଇଛନ୍ତି। ଭିଡ଼ ଯୋଗୁଁ ଆଜି ଦଳାଚକଟା ହୋଇଥିବା କୁହାଯାଉଛି। କିଛି ଲୋକ ଜୀବନ ବଞ୍ଚାଇବା ପାଇଁ ବ୍ରିଜ୍‌ ଉପରୁ ତଳକୁ ଡେଇଁପଡ଼ିଥିବା କୁହାଯାଉଛି। ଶଦ୍ଧାଳୁଙ୍କ ସମାଗମ ଯୋଗୁଁ ଦଳାଚକଟା ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ତେବେ ଏଠାରେ ହୋଇଥିବା ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇ ନଥିବାରୁ ଦଳଚକଟା ପରିସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି।

ଅନ୍ୟପଟରେ ମହାନଦୀ ଉପରେ କିଛି ମାସ ପୂର୍ବରୁ ଲୋକାର୍ପିତ ହୋଇଥିବା ଟି-ସେତୁ ଉପରେ ଅଚାନକ ଲକ୍ଷାଧିକ ଲୋକଙ୍କର ଭିଡ଼ ହୋଇଥିବାରୁ ସେମାନଙ୍କୁ ନିୟନ୍ତ୍ରିତ କରିବାରେ ଅସୁବିଧା ହୋଇଛି। ରିପୋର୍ଟ ଲେଖାଯିବା ବେଳକୁ ସିଂହନାଥ ପୀଠରେ ଦର୍ଶନ ବନ୍ଦ ରଖାଯାଇଛି। ପରିସ୍ଥିତିରେ ସ୍ୱାଭାବିକ ଅବସ୍ଥା ଆଣିବା ପାଇଁ ୩ ପ୍ଲାଟୁନ୍‌ ପୁଲିସ ମୁତୟନ ଅଛନ୍ତି।

Share Now:

Kalinga News Beuro

Next Post

ଦର୍ଶକ ନିରାଶ : ଖୋଲିପାରିଲାନି ‘ଶିଶିର ସରସ’

Sat Jan 14 , 2023
ଖଣ୍ଡଗିରି: ଶେଷ ମୂହୁର୍ତ୍ତରେ ଶିଶିର ସରସ ମେଳା ଉଦ୍‌ଘାଟନକୁ ସ୍ଥଗିତ ରଖାଯାଇଛି। ଗତକାଲି ଅର୍ଥାତ୍ ୧୩ ତାରିଖରେ ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଆରମ୍ଭ ହେବାକୁ ଥିବା ଏହି ମେଳା ଆଜି ଉଦ୍‌ଘାଟିତ ହେବ ବୋଲି ଜଣାପଡ଼ିଛି। ପ୍ରସ୍ତୁତି ସରି ନଥିବାରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ବନ୍ଦ ହୋଇଯାଇଥିବା କୁହାଯାଇଛି। ତେବେ ଗତକାଲିଠାରୁ ମେଳା ଆରମ୍ଭ ହେବ ବୋଲି ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିବା ବେଳେ ରାଜଧାନୀ […]
‌ଖୋଲିପାରିଲାନି ‘ଶିଶିର ସରସ’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial