ଭୁବନେଶ୍ୱର: ହକିକୁ ନେଇ ଭୁବନେଶ୍ୱର ଉଠୁଛିପଡ଼ୁଛି। ସବୁଆଡ଼େ ଉତ୍ସବର ମାହୋଲ୍। ସବୁ କେମିତି ଶୃଙ୍ଖଳାରେ ହେବ, ସେଥିପାଇଁ ସରକାରଙ୍କ ସବୁ ବିଭାଗ ଏକ ହୋଇଯାଇଛନ୍ତି। ବିଶ୍ୱକପ୍ ହକିକୁ ସଫଳ ଆୟୋଜନ କରିବାରେ ସମସ୍ତେ ଯେମିତି ବ୍ୟଗ୍ର। ସମସ୍ତେ ନିଜନିଜ ସ୍ତରରେ ଉଦ୍ୟମ ଜାରି ରଖିଛନ୍ତି। ଏଭଳି ସ୍ଥିତିରେ ଆଜି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଜାନୁଆରି ୨୯ ତାରିଖରେ ହେବାକୁ ଥିବା ଫାଇନାଲ୍ ମ୍ୟାଚ୍ ପାଇଁ ଅନ୍ଲାଇନ୍ରେ ଟିକେଟ୍ କାଟିଥିବା ଜଣେ ଯୁବକ ଟିକେଟ୍ ସଂଗ୍ରହ କରିବାକୁ ଆସି ହତାଶ ହୋଇଛନ୍ତି। ରିଜର୍ଭ ପୁଲିସ ପଡ଼ିଆରେ ଥିବା ସ୍ୱତନ୍ତ୍ର ଟିକେଟ୍ କାଉଣ୍ଟରରେ ଧାଡ଼ି ବାନ୍ଧି ଛିଡ଼ା ହେବା ପରେ ଟିକେଟ୍ ମିଳିନାହିଁ। ଟିକେଟ୍ ଆଉ ଜଣେ କିଏ ନେଇଯାଇଛି ବୋଲି ଉତ୍ତର ମିଳିଛି। ନଭେମ୍ବର ୨୫ ତାରିଖ ୩ଟା ୪୦ ମିନିଟ୍ରେ ତାଙ୍କର ଟିକେଟ୍ ସ୍କାନ ହେବା ସହ ହାର୍ଡ କପି ଆଉ କିଏ ନେଇ ଯାଇଥିବା ଜଣାପଡ଼ିଥିଲା। ଟିକେଟ୍ର ରସିଦ୍ ତାଙ୍କ ପାଖରେ ରହିଛି, ହେଲେ ଟିକେଟ୍ ଆଉ କିଏ ନେଇଯିବ କେମିତି? କିଏ ନେଲା ତାହାର ପ୍ରମାଣ ଅଛି କି? ଯିଏ ନେଲା ତା’ ଠାରୁ ଏହି ଅନ୍ଲାଇନ୍ ରସିଦ୍ ରଖାଯାଇଥିଲା କି? ଏଭଳି ଅନେକ ପ୍ରଶ୍ନ ସେ ସମ୍ପୃକ୍ତ କର୍ମଚାରୀଙ୍କୁ ପଚାରିଥିଲେ। ହେଲେ ଆଗରୁ ହଟନ୍ତୁ, ଯେଉଁଠି ଅଭିଯୋଗ କରିବେ କରନ୍ତୁ ବୋଲି କର୍ମଚାରୀ କହି ସେଠାରୁ ତାଙ୍କୁ ହଟାଇ ଦେଇଥିଲେ। ସେଠାରୁ ହତାଶ ହେବା ପରେ ସେ ନୂଆପଲ୍ଲୀ ଥାନରେ ପହଞ୍ଚିଥିଲେ। କିନ୍ତୁ ସେଠାରେ ମଧ୍ୟ ତାଙ୍କ ଅଭିଯୋଗପତ୍ର ରଖା ଯାଇନଥିଲା। ଏଭଳି ହତାଶ ହୋଇ ସେ ଫେରି ଯାଇଥିଲେ। ହକି ଇଣ୍ଡିଆକୁ ଚିଠି ଲେଖିବେ ବୋଲି ସେ କହିଛନ୍ତି।
ଏଭଳି ହତାଶ ହୋଇଥିବା ଯୁବକ ହେଉଛନ୍ତି ଭୁବନେଶ୍ୱରର ବଳଭଦ୍ର ପଣ୍ଡା। ସେ ଗତ ସେପ୍ଟେମ୍ବର ମାସରେ ଫାଇନାଲ ମ୍ୟାଚ୍ ପାଇଁ ଅନ୍ଲାଇନ୍ରେ ଟିକେଟ୍ କାଟିଥିଲେ। ଏଥିପାଇଁ ତାଙ୍କୁ ୪୨୮ଟଙ୍କା ଦେବାକୁ ପଡ଼ିଥିଲା ଏବଂ ନିର୍ଦ୍ଦେଶ ରହିଥିଲା କି ଆଜି(୧୪ ତାରିଖରେ) ରିଜର୍ଭ ପୁଲିସ ପଡ଼ିଆରେ ଥିବା ସ୍ୱତନ୍ତ୍ର କାଉଣ୍ଟର୍ରୁ ହାର୍ଡ କପି ସଂଗ୍ରହ କରିବେ। ସେହି ନିର୍ଦ୍ଦେଶକୁ ଆଧାର କରି ସେ ଆଜି ପୂର୍ବାହ୍ନ ୧୦ଟା ବେଳେ କାଉଣ୍ଟରରେ ପହଞ୍ଚିଥିଲେ। ଧାଡ଼ିରେ ପ୍ରାୟ ୪୦ ମିନିଟ୍ ଛିଡ଼ା ହେବା ପରେ ସେ ଇ-ଟିକେଟ୍ କାଉଣ୍ଟରରେ ଦେଖାଇବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ସେ କେବଳ ଏକୁଟିଆ ନୁହନ୍ତି, ଆଉ ଦୁଇଜଣଙ୍କର ଏଭଳି ହୋଇଥିବା ଅଭିଯୋଗ ହୋଇଛି। ପଡ଼ିଆ ମଝିରେ ସ୍ୱତନ୍ତ୍ର କାଉଣ୍ଟର୍ ହୋଇଛି। ସେଠାରେ ସିସିଟିଭି କ୍ୟାମେରା ମଧ୍ୟ ନାହିଁ। ଏଣୁ ସେଠାରେ ସୁରକ୍ଷା ପାଇଁ ସିସିଟିଭି କ୍ୟାମେରା ଲଗାଇବାକୁ ଦାବି ହୋଇଛି।
ଆଉ କିଏ ନେଇଗଲା ଅନ୍ଲାଇନ୍ ହକି ବିଶ୍ୱକପ ଟିକେଟ୍

Share Now: