ମୁମ୍ବାଇ: ‘ଆଇସିଆଇସିଆଇ’ ବ୍ୟାଙ୍କ୍-ଭିଡିଓକନ୍ ଋଣ ମାମଲାରେ ଆଜି ବମ୍ବେ ହାଇକୋର୍ଟ ‘ଭିଡିଓକନ୍ ଗ୍ରୁପ୍’ର ଅଧ୍ୟକ୍ଷ ବେଣୁଗୋପାଳ ଧୂତଙ୍କୁ ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି। ନଗଦ ୧ ଲକ୍ଷ ଟଙ୍କା ମୁଚାଲିକା ଦାଖଲ କରିବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତରୁ ମୁକ୍ତ କରାଯିବ। ଧୂତଙ୍କୁ ଜାମିନ ଦେବା ବିରୋଧରେ ମଧ୍ୟ ଅଦାଲତରେ ଓକିଲମାନଙ୍କଦ୍ୱାରା ‘ଇଣ୍ଟର୍ଭେନ୍ସନ୍ ପିଟିସନ୍’ ଦାଖଲ କରାଯାଇଥିଲା। ସେମାନଙ୍କ ଉପରେ ଅଦାଲତ ୨୫,୦୦୦ ଟଙ୍କା ଜରିମାନା କରିବାକୁ ଆଦେଶ ଦେଇଛନ୍ତି। ଜରିମାନା ବାବଦ ଆଦାୟ ଅର୍ଥ ମହାରାଷ୍ଟ୍ର ଲିଗାଲ୍ ଏଡ୍ ସର୍ଭିସେସ୍ରେ ପୈଠ କରାଯିବ। ସେମାନଙ୍କ ‘ଇଣ୍ଟର୍ଭେନ୍ସନ୍ ପିଟିସନ୍’ ଫାଇଲ୍ ଓ ତାଲିକାଭୁକ୍ତ ହୋଇଛି ବୋଲି ଦାବି କରିଥିବା ଓକିଲମାନଙ୍କୁ ଅଦାଲତ ଭର୍ତ୍ସନା କରି କହିଛନ୍ତି। ଆମେ ଆପଣମାନଙ୍କ କଥାକୁ ବିଶ୍ୱାସ କରିଥିଲୁ। ଭର୍ତ୍ସନା କରିବାର କାରଣ ହେଲା, ଅଦାଲତ ସେଭଳି କୌଣସି ‘ଇଣ୍ଟର୍ଭେନ୍ସନ୍ ପିଟିସନ୍’ ପାଇ ନ ଥିଲେ।
ଉଲ୍ଲେଖଯୋଗ୍ୟ, ୨୦୨୨ ଡିସେମ୍ବର ୨୬ ତାରିଖରେ ‘ସିବିଆଇ’ ‘ଭିଡିଓକନ୍ ଗ୍ରୁପ୍’ର ଅଧ୍ୟକ୍ଷ ବେଣୁଗୋପାଳ ଧୂତଙ୍କୁ ‘ଆଇସିଆଇସିଆଇ’ ବ୍ୟାଙ୍କ୍ ଋଣ ଠକେଇ ମାମଲାରେ ଗିରଫ କରିଥିଲା। ଏହି ମାମଲାରେ ‘ଆଇସିଆଇସିଆଇ’ ବ୍ୟାଙ୍କ୍ର ପୂର୍ବତନ ‘ସିଇଓ’ ଚନ୍ଦା କୋଚ୍ଚର୍ ଏବଂ ତାଙ୍କ ସ୍ୱାମୀ ଦୀପକ କୋଚ୍ଚର୍ଙ୍କୁ ମଧ୍ୟ ‘ସିବିଆଇ’ ଗିରଫ କରିଛି। ଚନ୍ଦା କୋଚ୍ଚର୍ ଏବଂ ତାଙ୍କ ସ୍ୱାମୀ ଦୀପକ କୋଚ୍ଚର୍ଙ୍କ ସହାୟତାରେ ହୋଇଥିବା ‘ଆଇସିଆଇସିଆଇ’ ବ୍ୟାଙ୍କ୍ ଠକେଇରେ ସମ୍ପୃକ୍ତ ଥିବା ଅଭିଯୋଗରେ ଧୂତଙ୍କୁ ‘ସିବିଆଇ’ ତଦନ୍ତ ପରିସରକୁ ନେଇଛି। ‘ଭିଡିଓକନ୍ ଗ୍ରୁପ୍’କୁ ଋଣ ମଞ୍ଜୁର କରାଯିବାରେ ଜାଲିଆତି ଓ ଅନିୟମିତତା ହୋଇଥିବା ଅଭିଯୋଗ ସହିତ ଏହି ‘ସିବିଆଇ’ମାମଲା ଜଡ଼ିତ। ରିଜର୍ଭ ବ୍ୟାଙ୍କ୍ ରେଗୁଲେସନ୍ ଆକ୍ଟ୍, ଗାଇଡ୍ଲାଇନ୍ ଓ ବ୍ୟାଙ୍କ୍ର କ୍ରେଡିଟ୍ ପଲିସି ଉଲ୍ଲଂଘନ କରି ‘ଆଇସିଆଇସିଆଇ’ ବ୍ୟାଙ୍କ୍ ‘ଭିଡିଓକନ୍ ଗ୍ରୁପ୍’କୁ ୩,୩୫୦ କୋଟି ଟଙ୍କା ପର୍ଯ୍ୟନ୍ତ ‘କ୍ରେଡିଟ୍’ ସୁବିଧା ମଞ୍ଜୁର କରିଥିବା ଅଭିଯୋଗ ହୋଇଥିଲା।
‘ଆଇସିଆଇସିଆଇ’ ବ୍ୟାଙ୍କ୍-ଭିଡିଓକନ୍ ଋଣ ମାମଲା: ବେଣୁଗୋପାଳ ଧୂତଙ୍କୁ ଅନ୍ତରୀଣ ଜାମିନ

Share Now: