ରାଜଧାନୀ‌ରେ ବୀଭତ୍ସ ହତ୍ୟାକାଣ୍ଡ: ସାମାନ୍ୟ ଘଟଣାରୁ ମାରିଦେଲେ

ରାଜଧାନୀ‌ରେ ବୀଭତ୍ସ ହତ୍ୟାକାଣ୍ଡ

ଦୁଇ ପରିବାରର ୬ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର୍‌

ଭୁବନେଶ୍ବର : ଗୋଟିଏ ପଟେ ରାଜଧାନୀରେ କମିସନରେଟ ପୁଲିସର ‘ବସ୍ତିକୁ ଚାଲ’ ଅଭିଯାନ ଜୋରଦାର ଚାଲିଛି। ନାଇଟ୍ କର୍ଫ୍ୟୁ, ସପ୍ତାହାନ୍ତ ସଟଡାଉନ୍ ବି ଜାରି ରହିଛି। କିନ୍ତୁ ବସ୍ତି ଅଞ୍ଚଳରେ ଅପରାଧ ଥମିବାରେ ନାଁ ଧରୁନି। ରବିବାର ରାତିରେ ଖଣ୍ଡଗିରି ଥାନା ଡୁମୁଡୁମା ରଘୁନାଥନଗର ବଜାରରେ ସାମାନ୍ୟ ଗୋଡ଼ ବାଜିଗଲା ବୋଲି ରାଗିଯାଇ ଦୁଇ ଜଣ ମହିଳା ଓ କିଛି ପୁରୁଷ ମିଶି ଜଣେ ଯୁବକଙ୍କୁ ବୀଭତ୍ସ ଭାବେ ହତ୍ୟା କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ମୃତ ଯୁବକ ହେଲେ ସ୍ଥାନୀୟ ଅଞ୍ଚଳର ସନାତନ ରାଉତରାୟ(୨୬)। ତାଙ୍କର ରଘୁନାଥନଗର ବଜାରରେ ଏକ ମୋବାଇଲ ଦୋକାନ ରହିଛି। ପୁଲିସ ହତ୍ୟାକାଣ୍ଡରେ ସଂପୃକ୍ତ ଦୁଇ ମହିଳାଙ୍କ ସମେତ ୬ ଜଣଙ୍କୁ ଗିରଫ କରିଛି। ତେବେ ମୁଖ୍ୟ ଅଭିଯୁକ୍ତ ରାଜା ଜୟସିଂ ଫେରାର ହୋଇଯାଇଛି। ଖଣ୍ଡଗିରି ଥାନା ପୁଲିସ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ରକ୍ତ ନମୁନା, ହତ୍ୟାକାଣ୍ଡରେ ବ୍ୟବହୃତ ଛୁରି, ଚପଲ ଆଦି ଜବତ କରିଛି। ଏହି ଘଟଣାକୁ ନେଇ ରଘୁନାଥନଗରରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିବାରୁ ପୁଲିସ ଫୋର୍ସ ମୁତୟନ ରହିଛନ୍ତି। ଏ ସମସ୍ତ ହତ୍ୟାକାଣ୍ଡ ସିସିଟିଭିରେ କଏଦ ହୋଇଥିବାରୁ ପୁଲିସ ପାଇଁ ଅଭିଯୁକ୍ତଙ୍କୁ ଚିହ୍ନିବା ସହଜ ହୋଇଛି।

ଘରୁ ଡାକି ନେଇ ପାନ ଦୋକାନରେ ହତ୍ୟା
ରବିବାର ସପ୍ତାହାନ୍ତ ସଟ୍‌ଡାଉନ୍ ଥିଲା। କିନ୍ତୁ ରଘୁନାଥନଗର ବଜାରର ଅଳ୍ପ ଦୂରରେ ଏକ ଗଳିରେ ଥିବା ଏକ ପାନ ଦୋକାନରେ ଅଭିଯୁକ୍ତମାନେ ଭୋଜି କରୁଥିଲେ। ସନାତନ ସେହି ରାସ୍ତା ଦେଇ ଘରକୁ ଫେରୁଥିବା ବେଳେ ରାଜାର ସ୍କୁଟି ସହ ତାଙ୍କ ବାଇକ୍‌ରେ ଧକ୍କା ହୋଇଥିଲା। ସେହି ସମୟରେ ସାନତନଙ୍କ ଗୋଡ଼ ରାଜା ଦେହରେ ବାଜି ଯାଇଥିଲା। ଏହାକୁ ନେଇ ସେମାନଙ୍କ ଭିତରେ ବଚସା ହୋଇଥିଲା। ଏହାପରେ ସନାତନ ନିଜ ଘରକୁ ଫେରି ଆସିଥିଲେ। କିନ୍ତୁ କିଛି ସମୟ ପରେ ରାଜା ଓ ତାର ଦୁଇ ଜଣ ସହଯୋଗୀ ଘରେ ପହଞ୍ଚି ସନାତନଙ୍କୁ ପାନ‌ ଦୋକାନ ନିକଟକୁ ଡାକି ନେଇଥିଲେ। ସେଠାରେ ଦୁଇ ମହିଳା ଓ ଅନ୍ୟ ସହଯୋଗୀମାନେ ସନାତନଙ୍କୁ ମାଡ଼ି ବସିଥିଲେ। ଆଉ ରାଜା ଗୋଟିଏ ଛୁରିରେ ସନାତନଙ୍କ ବେକ, ମୁହଁ, ହାତ, ଛାତିକୁ ବାରମ୍ବାର ଭୁସି ଚାଲିଥିଲା। ସନାତନଙ୍କ ଚିତ୍କାର ଶୁଣି ତାଙ୍କର ସମ୍ପର୍କୀୟ ଭାଇ ଘଟଣାସ୍ଥଳକୁ ଦୌଡ଼ି ଆସିବାରୁ ଅଭିଯୁକ୍ତମାନେ ଦୌଡ଼ି ପଳାଇଥିଲେ। ସନାତନଙ୍କୁ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ସମ୍ପର୍କୀୟ ଓ ପରିବାର ଲୋକ ଏମ୍ସ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାର ହୋଇଯିବା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତ ସନାତନଙ୍କ ବାପାଙ୍କ ଅଭିଯୋଗକୁ ଭିତ୍ତି କରି ଖଣ୍ଡଗିରି ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତେଦହ ହସ୍ତାନ୍ତର କରାଯାଇଛି। ଫେରାର ହୋଇ ଯାଇଥିବା ମୁଖ୍ୟ ଅଭିଯୁକ୍ତ ରାଜାକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି। ରାଜା ନିଜ ଘର ଜଙ୍କିଆକୁ ଚାଲି ଯାଇଥିବା ଖବର ପାଇ ପୁଲିସ୍ ଟିମ୍ ସେଠାରେ ପହଞ୍ଚିଥିଲା। କିନ୍ତୁ ରାଜା ସେଠାକୁ ଯାଇଥିଲେ ମଧ୍ୟ ପୁଲିସ ପହଞ୍ଚିବା ପୂର୍ବରୁ ଫେରାର ହୋଇ ଯାଇଥିବା ଜଣାପଡ଼ିଛି।
ଏହି ବୀଭତ୍ସ ହତ୍ୟାକାଣ୍ଡରେ ଦୁଇ ପରିବାରର ୬ ଜଣଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୁଲିସ। ସେମାନେ ହେଲେ ବାୟା ପ୍ରଧାନ(୪୦), ତାଙ୍କ ପତ୍ନୀ ବାଲା ପ୍ରଧାନ(୩୮) ଓ ପୁଅ ରାଜା ପ୍ରଧାନ(୧୯)। ସେହିପରି ସୁଭଦ୍ରା ସାହୁ(୫୦) ଓ ତାଙ୍କ ପୁଅ ମିଥୁନ ସାହୁ(୨୫) ମଧ୍ୟ ସମ୍ପୃକ୍ତ ରହିଛନ୍ତି। ଅନ୍ୟତମ ଅଭିଯୁକ୍ତ ସୀମାଞ୍ଚଳ ପ୍ରଧାନ ଓରଫ୍ ଜଟି(୨୯) ବାୟାଙ୍କର ସମ୍ପର୍କୀୟ ବୋଲି ପୁଲିସ କହିଛି। ମୁଖ୍ୟ ଅଭିଯୁକ୍ତ ରାଜା ଏମାନଙ୍କର କୌଣସି ସମ୍ପର୍କୀୟ ହୋଇ ନ ଥିଲେ ମଧ୍ୟ ତାଙ୍କ ଜରିଆରେ ସେ ନିଶା କାରବାର କରେ ବୋଲି ଜଣାପଡ଼ିଛି।

Share Now:

Kalinga News Beuro

Next Post

ଆସନ୍ତାକାଲିଠୁ ମୌସୁମୀ ଅଧିବେଶନ: ବିଧାନସଭା ପରିସରରେ ତ୍ରିସ୍ତରୀୟ ସୁରକ୍ଷା

Tue Aug 31 , 2021
ସୁରକ୍ଷା ଦାୟିତ୍ବରେ ୧୨୦ ଜଣ ଅଫିସର ଭୁବନେଶ୍ବର: ଆସନ୍ତାକାଲି ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେଉଛି। ଏଥର ଅଧିବେଶନ ବେଶ୍ ସରଗରମ ହେବା ସମ୍ଭାବନା ରହିଛି। ଅଧିବେଶନରେ ନୂଆ ନୂଆ ପ୍ରସଙ୍ଗ ଉଠିପାରେ। ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ ହେଉଛନ୍ତି। ସେହିପରି ବିରୋଧୀଙ୍କୁ ଜବାବ ଦେବା ପାଇଁ ସରକାର ମଧ୍ୟ ପ୍ରସ୍ତୁତ ହେଉଛନ୍ତି। ଅଧିବେଶନ ପୂର୍ବରୁ ଆଜି ବିଜେପି, କଂଗ୍ରେସ ଓ ବିଜେଡି ବିଧାୟକ ଦଳର ବୈଠକ […]
ଶେଷ ହେଲା ବିଧାନସଭା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial