ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ବିଦ୍ୟାଶ୍ରୀଙ୍କ ପଲିଗ୍ରାଫ୍‌ ଟେଷ୍ଟ, ୪ ଘଣ୍ଟାରେ ୧୨୬ ପ୍ରଶ୍ନ

ଆଦିତ୍ୟ ଦାସଙ୍କ ମୃତ୍ୟୁ ରହସ୍ୟ

କେବେ ଜେରା ହେବେ ଓଏଏସ୍‌ ଅଫିସର ବିକାଶ ମହାପାତ୍ର…?

ଭୁବନେଶ୍ବର: ଜୁଲାଇ ୬ତାରିଖ ରାତିରେ ପତି-ପତ୍ନୀଙ୍କ ମଧ୍ୟରେ କ’ଣ ଘଟିଥିଲା? ଏମିତି କିଛି ଘଟିଥିଲା କି ଯାହାକୁ ନେଇ ଆଦିତ୍ୟ ଆତ୍ମହତ୍ୟା କରିବେ? ନା ଆଦିତ୍ୟଙ୍କୁ କେହି ମାରି ଦେଇଥିବା ସନ୍ଦେହ ହେଉଛି? ଏମିତି କ’ଣ ହେଇଥିଲା ଯେ ଦୀର୍ଘ ଦିନ ଧରି ପୁଅ-ବୋହୂଙ୍କ ପାଖରେ ରହି ଆସୁଥିବା ବାପା ମା’ ଗାଁକୁ ଚାଲି ଯାଇଥିଲେ? ମାନବପ୍ରେମୀ ଆଦିତ୍ୟ ସୁନ୍ଦର ଦାଶଙ୍କ ମୃତ୍ୟୁ ମାମଲା‌‌ରେ ଆଜି ଏଭଳି ୧୨୬ ପ୍ରଶ୍ନର ସାମ୍ନା କରିଛନ୍ତି ପତ୍ନୀ ବିଦ୍ୟାଶ୍ରୀ। ବିଦ୍ୟାଶ୍ରୀଙ୍କର ଆଜି ପଲିଗ୍ରାଫ୍‌ ଟେଷ୍ଟ ହୋଇଥିଲା। ରସୁଲଗଡ଼ସ୍ଥିତ ରାଜ୍ୟ ଫରେନ୍‌ସିକ୍‌ ଲ୍ୟାବ୍‌ରେ ଦୀର୍ଘ ୪ ଘଣ୍ଟା ୧୫ମିନିଟ୍‌ ଧରି ତାଙ୍କର ଏହି ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଛି।
ପୂର୍ବାହ୍ନ ୧୧ଟା ବେଳେ ତାଙ୍କୁ ଲ୍ୟାବ୍‌ ଭିତରକୁ ନିଆଯାଇଥିଲା। କ୍ରାଇ୍‌ବ୍ରାଞ୍ଚର ଅଧିକାରୀମାନଙ୍କୁ ବାହାର କରିଦିଆଯିବା ପରେ ଲ୍ୟାବ୍‌ ଟେକ୍ନିସିଆନ୍‌ ପ୍ରଶ୍ନ ପଚାରିଥିଲେ। ଅପରାହ୍‌ଣ ପ୍ରାୟ ୩ଟା ୧୫ରେ ତାଙ୍କୁ ଛଡ଼ା ଯାଇଥିଲା। ତେବେ ବିଦ୍ୟାଶ୍ରୀ କେତେ ସତ/ମିଛ କହିଲେ, ସେ ସଂପର୍କରେ କ୍ରାଇମ୍‌ବ୍ରାଞ୍ଚ ଗଣମାଧ୍ୟମକୁ କିଛି କହିନାହିଁ। ଏପରିକି ବିଦ୍ୟାଶ୍ରୀଙ୍କୁ ମଧ୍ୟ କହିବା ପାଇଁ ସୁଯୋଗ ଦେଇନଥିଲା। ଯେଉଁ ଗାଡ଼ିରେ ବିଦ୍ୟାଶ୍ରୀଙ୍କୁ ଅଣା ଯାଇଥିଲା ସେ ଗାଡ଼ି ମୁଖ୍ୟ ଫାଟକ ସାମ୍ନାରେ ରହିଥିବା ବେଳେ ଲ୍ୟାବ୍‌ର ପଛପଟ ଫାଟକ ଦେଇ ଅନ୍ୟ ଏକ ଗାଡ଼ିରେ ବିଦ୍ୟାଶ୍ରୀଙ୍କୁ ନେଇ ଘରେ ଛାଡ଼ିଥିଲେ କ୍ରାଇମ୍‌ବ୍ରାଞ୍ଚର ଅଧିକାରୀ। ୪ଘଣ୍ଟା ପାଇଁ ୪୩ପ୍ରଶ୍ନ ପ୍ରସ୍ତୁତ ହୋଇଥିଲା। ତେବେ ବିଦ୍ୟାଶ୍ରୀଙ୍କ ଉତ୍ତରରୁ ବାହାରିଥିଲା ଆଉ ୮୩ ପ୍ରଶ୍ନ। ଅର୍ଥାତ୍‌ ୪ ଘଣ୍ଟାରେ ବିଦ୍ୟାଶ୍ରୀ ୧୨୬ ପ୍ରଶ୍ନର ସାମ୍ନା କରିଥିଲେ। ଆଗକୁ ପପୁ, ବିକାଶ ଓ ପ୍ରୀତମ୍‌ଙ୍କୁ ମଧ୍ୟ ଏଭଳି ପଲିଗ୍ରାଫ୍‌ ଟେଷ୍ଟ କରାଯିବ ବୋଲି ଜଣାପଡ଼ିଛି। ତେବେ ଆଦିତ୍ୟଙ୍କ ଶବ ଉଦ୍ଧାର ହେବାଠାରୁ ଆଜି ପର୍ଯ୍ୟନ୍ତ ବିଦ୍ୟାଶ୍ରୀ ଗଣମାଧ୍ୟମକୁ ଲଗାତାର ସାମ୍ନା କରି ଆସୁଥିଲେ ମଧ୍ୟ ଆଜି ସମ୍ପୂର୍ଣ୍ଣ ନିରବତା ଅବଲମ୍ବନ କରିଥିଲେ। ପ୍ରତି କଥା ସେ ଫେସ୍‌ବୁକ୍‌ରେ ସୂଚନା ଦେଉଥିଲେ ମଧ୍ୟ ଆଜିର ଘଟଣାରେ ସେ ପଦୁଟିଏ ଲେଖିନାହାନ୍ତି। ବିଦ୍ୟାଶ୍ରୀଙ୍କର ଏହି ନିରବତାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ଅପରପକ୍ଷେ ଏହି ଘଟଣାରେ ପିପୁଲ ଫର୍‌ ସେବାର ଓକିଲ ନିହାର ରଞ୍ଜନ ଓଝା କହିଛନ୍ତି, ପଲିଗ୍ରାଫ୍ ଟେଷ୍ଟ କୋର୍ଟରେ ଗ୍ରହଣୀୟ ନ ହେଲେ ମଧ୍ୟ କ୍ରାଇମ୍‌ବ୍ରାଞ୍ଚକୁ ମାମଲାର ତଦନ୍ତରେ ଅନେକ ସହାୟତା କରିବ। ତେବେ ପଲିଗ୍ରାଫ୍‌ ଟେଷ୍ଟ ସହ ମାଜିଷ୍ଟ୍ରେଟଙ୍କ ନିକଟରେ ଧାରା ୧୬୪ ଅନୁଯାୟୀ ବୟାନ ମଧ୍ୟ ରେକର୍ଡ କରାଯାଉ। ଏହି ବୟାନ ମଧ୍ୟ ତଦନ୍ତରେ ବେଶ୍ ସହାୟକ ହେବ। ପୂର୍ବରୁ ସିଆରପିସି ଧାରା ୧୬୧ଅନୁସାରେ ବୟାନ ରେକର୍ଡ କରାଯାଇଛି। ୧୬୪ ଧାରାରେ ହେଲେ ବୟାନରେ ତାଳମେଳ ରହୁଛି କି ନାହିଁ ତାହା ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।
କେବେ ଜେରା ହେବେ ଓଏଏସ୍‌ ଅଫିସର…?
ଆଦିତ୍ୟଙ୍କ ମୃତ୍ୟୁ ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଏବେ ବିଦ୍ୟାଶ୍ରୀ, ପପୁ, ବିକାଶ ଓ ପ୍ରୀତମ୍‌ଙ୍କ ପଲିଗ୍ରାଫ୍‌ ବା ଲାଏ-ଡିଟେକ୍ସନ ଟେଷ୍ଟ ଆରମ୍ଭ କରିଛି। କିନ୍ତୁ ଆଦିତ୍ୟ ଓ ବିଦ୍ୟାଶ୍ରୀଙ୍କ ସହ ଏକଦା ଘନିଷ୍ଠ ଥିବା ଓଏଏସ୍‌ ଅଫିସର୍‌ ବିକାଶ ମହାପାତ୍ରଙ୍କୁ ପଦୁଟିଏ ପଚରାଉଚରା କରିନାହିଁ। ନା ଜିଆରପି ନା କ୍ରାଇମ୍‌ବ୍ରାଞ୍ଚ, କେହି ତାଙ୍କ ପାଖ ମାଡ଼ି ନାହାନ୍ତି। ଏହାକୁ ନେଇ ସାଧାରଣରେ ଭିନ୍ନ ଆଲୋଚନା ହେଉଛି। ସଂପୃକ୍ତ ଓଏଏସ୍‌ ଅଫିସର୍‌ଙ୍କୁ ଜେରା ନ କରିବା ପାଇଁ କ୍ରାଇମ୍‌ବ୍ରାଞ୍ଚ ଉପରେ ଚାପ ପଡ଼ୁଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଶ୍ରୀ ମହାପାତ୍ର ବୟନିକାର ପରିଚାଳନା ନିର୍ଦ୍ଦେଶକ ଭାବେ ଦୀର୍ଘ ଦିନ କାମ କରିବା ପରେ କେନ୍ଦ୍ରାପଡ଼ା ଡିଆରଡିଏ ପିଡି ଭାବରେ କାମ କରିଥିଲେ। ପରେ କଟକ ମହାନଗର ନିଗମ କମିସନର୍‌ ଓ ଏବେ ଉଚ୍ଚଶିକ୍ଷା ବିଭାଗରେ କାର୍ଯ୍ୟରତ ଅଛନ୍ତି। ସୂଚନାନୁଯାୟୀ, ୨୦୧୮ ମସିହାରେ ସେ ବୟନିକାରେ ଥିବା ବେଳେ ବିଦ୍ୟାଶ୍ରୀ ସେଠାରେ ମାର୍କେଟିଂ ଏକ୍‌ଜିକ୍ୟୁଟିଭ୍‌ ଚାକିରି କରୁଥିଲେ। ତାଙ୍କରି ଦୟାରୁ ବିଦ୍ୟାଶ୍ରୀଙ୍କୁ ଚାକିରି ମିଳିଥିବା ନେଇ ସେତେବେଳେ ଚର୍ଚ୍ଚା ହୋଇଥିଲା। ଅନେକ ଦିନ ବିଦ୍ୟାଶ୍ରୀ ସେଠାରେ କାମ କରିଥିଲେ। ଏହା ପରେ ସମ୍ପୃକ୍ତ ଓଏଏସ୍‌ ଅଫିସର କେନ୍ଦ୍ରପଡ଼ା, କଟକ ଓ ପରେ ଭୁବନେଶ୍ବରରେ ପହଞ୍ଚିଥିଲେ। ଇତିମଧ୍ୟରେ ବିଦ୍ୟାଶ୍ରୀ ଚାକିରି ଛାଡ଼ି ଅଭିନୟ ଜଗତରେ ପାଦ ଦେଇଥିଲେ। ବିଭିନ୍ନ ଧାରାବାହିକ ସହ ୨୦୧୯ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ‘ନିମ୍‌କି’ରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ। ଏହା ପରେ ଆଦିତ୍ୟଙ୍କ ସହ ତାଙ୍କର ଦେଖା ହୋଇଥିଲା। ତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ସେ ଆଦିତ୍ୟଙ୍କ ସଂଗଠନରେ କାମ ଆରମ୍ଭ କରିଥିଲେ। କାମ କରିବାର ମାତ୍ର ଅଳ୍ପ ଦିନର ପ୍ରେମ ଓ ପରେ ସେମାନେ ଜୁନ୍‌ ୯ ତାରିଖ (ଲକ୍‌ଡାଉନ୍‌ କଟକଣା)ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବଡ଼ କଥା ହେଉଛି, ବିଦ୍ୟାଶ୍ରୀଙ୍କ ଘର କଟକରେ ହୋଇଥିବା ବେଳେ ଆଦିତ୍ୟ ଭୁବନେଶ୍ବରରେ ରହୁଥିଲେ। କିନ୍ତୁ ଉଭୟଙ୍କ ବାହାଘର କେନ୍ଦ୍ରପଡ଼ାର ପାଟକୁରା ଧାନମଣ୍ଡଳ ଭଗବାନପୁର ଗ୍ରାମର ସିଦ୍ଧେଶ୍ବର ମନ୍ଦିରରେ ହୋଇଥିଲା। ଲକ୍‌ଡାଉନ୍‌ ପାଇଁ ମଣ୍ଡପ, ହୋଟେଲ, ମନ୍ଦିର ଓ ବାହାରେ ବିବାହ ପାଇଁ ସ୍ବୀକୃତି ନଥିଲା। ହେଲେ ସଂପୃକ୍ତ ଓଏଏସ୍‌ ଅଫିସର୍‌ ଶ୍ରୀ ମହପାତ୍ରଙ୍କ କୃପାରୁ ଏହି ମନ୍ଦିରରେ ଅତି ସହଜରେ ସେମାନଙ୍କ ବାହାଘର ହୋଇଥିଲା। କାରଣ କେନ୍ଦ୍ରପଡ଼ାରେ ଥିବା ବେଳେ ସମ୍ପୃକ୍ତ ବରିଷ୍ଠ ଓଏଏସ୍‌ ଅଫିସର୍‌ ଏହି ମନ୍ଦିରକୁ ଉଦ୍‌ଘାଟନ କରିଥିଲେ। ମନ୍ଦିର ନିର୍ମାଣରେ ସିଂହଭାଗ ଅର୍ଥ ସେ ଦେଇଥିବାରୁ ସେହି ଗାଁରେ ତାଙ୍କର ବେଶ୍‌ ସମ୍ମାନ ରହିଛି। ସେଥିପାଇଁ କଡ଼ା କଟକଣା ଭିତରେ ସେ ଏଠାରେ ବାହାଘର କରାଇବାକୁ ସକ୍ଷମ ହୋଇଥିଲେ। ତେବେ ଅଳ୍ପଦିନର ଚିହ୍ନା ପରିଚୟରୁ ହଠାତ୍‌ କେମିତି ଦୁହିଁଙ୍କ ବାହାଘର ହୋଇଗଲା, ଲକ୍ଷଲକ୍ଷ ପ୍ରଶଂସକ ଆଦିତ୍ୟଙ୍କ ବାହାଘରକୁ ଅପେକ୍ଷା କରିଥିବା ବେଳେ ହାତଗଣତି କିଛି ଲୋକଙ୍କୁ ନେଇ କାହିଁକି ବାହାଘର ହେଲା? ବାହାଘର ପାଇଁ କିଏ ଚାପ ପକାଇଥିଲା କି ? ଆଦି ବିଭିନ୍ନ ପ୍ରଶ୍ନର ଉତ୍ତର ଏ ପର୍ଯ୍ୟନ୍ତ ମିଳି ନାହିଁ। ଏଥିରୁ ତଦନ୍ତରେ ସହଯୋଗ କରିବା ଭଳି କ୍ରାଇମ୍‌ବ୍ରାଞ୍ଚକୁ କିଛି ତଥ୍ୟ ମିଳିପାରେ। କିନ୍ତୁ କାହିଁକି ଏପର୍ଯ୍ୟନ୍ତ କ୍ରାଇମ୍‌ବ୍ରାଞ୍ଚ ତାଙ୍କୁ ପଚରାଉଚରା କରିନାହିଁ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସଂପର୍କ‌‌ରେ ସମ୍ପୃକ୍ତ ଓଏଏସ୍‌ ଅଫିସର୍‌ ଶ୍ରୀ ମହାପାତ୍ର କହିଛନ୍ତି, ଆଇନ ତା’ ବାଟରେ ଯିବ। ତଦନ୍ତକାରୀ ସଂସ୍ଥାକୁ ସହଯୋଗ କରିବା ପାଇଁ ମୁଁ ପ୍ରସ୍ତୁତ ଅଛି। ଜେରା ହେଉ ବା ଲାଏ ଡିଟେକ୍ସନ ଟେଷ୍ଟ ପାଇଁ କୌଣସି ସମସ୍ୟା ନାହିଁ। ତଦନ୍ତ ଚାଲୁଥିବାରୁ ଏହା ଉପରେ ମତାମତ ଦେବା ଉଚିତ୍‌ ମଣୁନାହିଁ।

Share Now:

Kalinga News Beuro

Next Post

ହୀରାକୁଦରୁ ଖୋଲିଲା ୪୪ଟି ଗେଟ: ମହାନଦୀରେ ବଡ଼ ବନ୍ୟା ଆଶଙ୍କା ବଢିଲା

Sat Aug 29 , 2020
ଭୁବନେଶ୍ୱର : ମହାନଦୀରେ ଏକ ବ଼ଡ଼ ବନ୍ୟା ହେବାର ଆଶଙ୍କା ଦିନକୁ ଦିନ ବଢିବାରେ ଲାଗିଛି। ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ହୀରାକୁଦ ନଦୀବନ୍ଧର ଜଳସ୍ତର ଚିନ୍ତାଜନକଭାବେ ବଢିଚାଲିଛି। ଗତ ମଧ୍ୟରାତ୍ରିରେ ନଦୀବନ୍ଧର ଆଉ ଦୁଇଟି ଓ ସକାଳେ ଆଉ ଦୁଇଟି ସ୍ଲୁଇସ ଗେଟ୍‌ ଖୋଲିବାକୁ ନିର୍ଦ୍ଦେଶ ଦିଆଯିବା ପରେ ଖୋଲିଥିବା ଗେଟ୍‌ ସଂଖ୍ୟା ୪୪କୁ ବୃଦ୍ଧି ପାଇଛି। ଏହି ୪୪ଟି ଗେଟ ଦେଇ ଏବେ ୮ […]
ହୀରାକୁଦର ୪୪ଟି ଗେଟ ଖୋଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial