ପ୍ରଶାସନିକ ଅବହେଳା : ଜବରଦଖଲକାରୀଙ୍କ କବ୍‌ଜାରେ ଐତିହାସିକ ଇଦ୍‌ଗା ପଡ଼ିଆ

ଐତିହାସିକ ଇଦ୍‌ଗା ପଡ଼ିଆ

କଟକ: ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ଗଠନର ମୂଳଦୁଆ ଯେଉଁଠି ପଡିଥିଲା, ତାହାକୁ ନିଶ୍ଚିହ୍ନ କରି ଦେବାର ପ୍ରୟାସ ଚାଲିଥିବା ବେଳେ ପ୍ରଶାସନ ନିରବ କାହିଁକି? ଏ ପ୍ରଶ୍ନ ଏବେ ଓଡ଼ିଆ ବିଶେଷକରି କଟକୀଆଙ୍କୁ ବ୍ୟଥିତ କରୁଛି। ସ୍ୱତନ୍ତ୍ର ରାଜ୍ୟ ଗଠନ ପାଇଁ ‘ଉତ୍କଳ ସମ୍ମିଳନୀ’ର ସମାବେଶ ଯେଉଁ ଇଦ୍‌ଗା ପଡିଆରେ ଆୟୋଜନ ହୋଇଥିଲା, ତାହା ଏବେ ସଂପୂର୍ଣ୍ଣ ଭାବେ ଜବରଦଖଲକାରୀଙ୍କ କବ୍‌ଜାରେ। ଏମିତିକି ପଡ଼ିଆରେ ନିର୍ମିତ ଶତବାର୍ଷିକୀ ସ୍ମୃତିସ୍ତମ୍ଭ ଭାଙ୍ଗିରୁଜି ଯାଇଥିବା ବେଳେ ତା’ ଉପରେ ଜବରଦଖଲକାରୀଙ୍କ ଲୁଗା ଶୁଖୁଛି। ଏଭଳି ବ୍ୟଥିତ କଲା ଭଳି ଦୃଶ୍ୟ ଦେଖି ବି କେଉଁ କାରଣରୁ ପ୍ରଶାସନ ହାତ ବାନ୍ଧି ବସିଛି, ତାହା ଏବେ ମୂଳ ପ୍ରଶ୍ନ ହୋଇଛି। କଟକ ସହରର ଗଳିକନ୍ଦିରେ ଉଚ୍ଛେଦ ଅଭିଯାନ ଜାରି ରଖିଥିବା ପ୍ରଶାସନର ଆଖି ବାରମ୍ବାର ଦାବି ପରେ ବି କେଉଁ କାରଣରୁ ଇଦ୍‌ଗା ଉପରେ ପଡୁନି, ତାହା ସନ୍ଦେହର କାରଣ ହୋଇଛି। ସ୍ୱତନ୍ତ୍ର ପ୍ରଦେଶ ଗଠନ ପାଇଁ ଆରମ୍ଭ ହୋଇଥିବା ଉତ୍କଳ ସମ୍ମିଳନୀର ସମାବେଶ ଏହି ଇଦ୍‌ଗା ପଡ଼ିଆରେ ୧୯୦୩, ଡିସେମ୍ବର ୩୦ ଓ ୩୧ ତାରିଖ, ଦୁଇଦିନ ଧରି ଅନୁଷ୍ଠିତ ହୋଇଥିଲା। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଭଳି ଜନନାୟକଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ୧୦ ହଜାରରୁ ଅଧିକ ଲୋକ ଯୋଗ ଦେଇଥିଲେ। ଏହି ସମାବେଶରୁ ମିଳିଥିବା ବଳ ଆନ୍ଦୋଳନକୁ ତ୍ୱରାନ୍ୱିତ କରିଥିଲା। ୧୯୩୬ରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହୋଇଥିଲା। କୁହାଯାଏ ୧୯୦୩ରେ ହୋଇଥିବା ଆୟୋଜନ ୫୦ ଏକରରୁ ଅଧିକ ପରୀସିମା ବିଶିଷ୍ଟ ଇଦ୍‌ଗା ପଡିଆରେ ଆୟୋଜନ ହୋଇଥିଲା। ୨୦୦୩ରେ ଏହାର ଶତବାର୍ଷିକୀ ପୂରଣ ପାଇଁ ଡିସେମ୍ବର ୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଦ୍‌ଗା ପଡିଆରେ ଏକ ସ୍ମୃତିସ୍ତମ୍ଭର ଶିଳାନ୍ୟାସ କରିଥିଲେ। ତତ୍କାଳୀନ ମନ୍ତ୍ରୀ ଡାକ୍ତର ଦାମୋଦର ରାଊତ, ସୁରେନ୍ଦ୍ର ନାୟକ, ରାଜ୍ୟ ଉତ୍ସବ ସମିତିର ସଭାପତି ଶରତ କର, ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ, ସମୀର ଦେ, ତତ୍କାଳୀନ ମେୟର ନିବେଦିତା ପ୍ରଧାନ, ସଭାପତି ଉତ୍କଳ ସମ୍ମିଳନୀ ବସନ୍ତ କୁମାର ପାଣିଗ୍ରାହୀ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ମୁଖ୍ୟମନ୍ତ୍ରୀ ଏହାର ବିକାଶ ପାଇଁ ବିଭିନ୍ନ ଯୋଜନା ସଂପର୍କରେ ଘୋଷଣା କରିଥିଲେ। ଏଥିପାଇଁ ୧୮ ଗୁଣ୍ଠ ଜାଗା ମଧ୍ୟ ସ୍ମୃତିସ୍ତମ୍ଭ ଚାରି ପଟେ ଦିଆଯାଇଥିଲା। ସେଠାରେ ସ୍ମୃତି ଉଦ୍ୟାନ, ମ୍ୟୁଜିୟମ, ପାଠାଗାର, ସମସ୍ତ ମହାପୁରୁଷଙ୍କ ତୈଳ ଚିତ୍ର ରଖିଲା ଭଳି ସଂଗ୍ରହାଳୟ ପାଇଁ ଯୋଜନା ହୋଇଥିଲା। କିନ୍ତୁ ଗଲା ୨୦ ବର୍ଷ ଭିତରେ ଏହାର ରକ୍ଷଣାବେକ୍ଷଣ ଦାଇତ୍ୱରେ ଥିବା କଟକ ନଗର ଉନ୍ନୟନ କର୍ତ୍ତୃପକ୍ଷ( ସିଡିଏ) ଓ କଟକ ପୌର ନିଗମ ଏଠାରେ ଇଟାଖଣ୍ଡେ ବି ପକାଇ ନାହାନ୍ତି। ବରଂ ୧୮ ଗୁଣ୍ଠ ଜମିରୁ ଏବେ ୧୮ ବର୍ଗଫୁଟ ଜମି ମିଳିବା କଷ୍ଟ ହୋଇ ପଡିଛି। ଜବରଦଖଲ ଜମିରେ ତିନି ମହଲା କୋଠା ମୁଣ୍ଡ ଟେକିଲାଣି। ୨୦୦୩ରେ ସ୍ଥାପନ ହୋଇଥିବା ଉତ୍କଳ ସମ୍ମିଳନୀ ଶତବାର୍ଷିକୀ ସ୍ମୃତିସ୍ତମ୍ଭ ଉପରେ ଲୋକ ଲୁଗା ଶୁଖାଉଛନ୍ତି। ଚାରିପଟେ ଅଳିଆ, ଆବର୍ଜନା ଗଦାକରି ରଖାଯିବା ସହ ଅଳିଆ ବୁହା ଗାଡି, ଟ୍ରଲି ସ୍ମୃତିସ୍ତମ୍ବ ପାଖରେ ରଖାଯାଇଛି। ସ୍ମୃତିସ୍ତମ୍ଭ ଚାରିପଟେ ଲାଗିଥିବା ଲୁହା ତାରବାଡ ଚୋରି ହୋଇଗଲାଣି। ଏହାକୁ ବସ୍ତି ଘୋଷଣା କରି ସ୍ମୃତିସ୍ତମ୍ବ ଊପରେ ଜାଗା ମିସନର ଏକ ହୋର୍ଡିଂ ବି ଲଗାଇ ଦିଆଯାଇଛି। ଓଡ଼ିଆଙ୍କ ସ୍ୱାଭିମାନ ସହିତ ଜଡିତ ଏହି ଅଞ୍ଚଳର ଏଭଳି ସ୍ଥିତି ପ୍ରତ୍ୟେକ ଓଡ଼ିଆଙ୍କୁ ଆଘାତ ଦେଇଛି ବୋଲି କଟକ ମହାନଗର ନାଗରିକ ସଭାପତି ଡାକ୍ତର ରବି ରଞ୍ଜନ ସାହୁ କ୍ଷୋଭ ପ୍ରକାଶ କରି କହିବା ସହିତ ମୁଖ୍ୟମନ୍ତ୍ରୀ ତୁରନ୍ତ ଏ‌ଥିରେ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି।

Share Now:

Kalinga News Beuro

Next Post

ଭାରତ ପାଇଁ ଚିନ୍ତାର କାରଣ ଚୀନର ନଦୀବନ୍ଧ

Fri Jan 20 , 2023
ନୂଆଦିଲ୍ଲୀ : ଲଦାଖ ଏବଂ ଅରୁଣାଚଳ ପ୍ରଦେଶରେ ଚୀନ ସହ ସୀମା ସମସ୍ୟାର ସମାଧାନ ଏପର୍ଯ୍ୟନ୍ତ ହୋଇନାହିଁ। ଇତିମଧ୍ୟରେ ଚୀନ୍ ଅଧିକୃତ ତିବ୍ଦତରେ ବ୍ରହ୍ମପୁତ୍ର ନଦୀ, ଅର୍ଥାତ୍ ୟାର୍ଲୁଙ୍ଗ ଜାଙ୍ଗବୋ ଏବଂ ଗଙ୍ଗାର ଏକ ଉପନଦୀ ମାବଜା ଜାଙ୍ଗବୋ ଉପରେ ନିର୍ମାଣ କରାଯାଉଥିବା ଏକ ବୃହତ ଜଳବିଦ୍ୟୁତ ଶକ୍ତି ଉତ୍ପାଦନ ପ୍ରକଳ୍ପର ଉପଗ୍ରହ ଚିତ୍ର ସାମ୍ନାକୁ ଆସିଛି। ଏହା ଜଣାପଡ଼ିବା ପରେ ଭାରତର ଚିନ୍ତା ବଢିଯାଇଛି। ଆମେରିକାର ଇଣ୍ଟେଲ ଲ୍ୟାବର […]
ଏଲଏସି ନିକଟରେ ଚୀନର ନଦୀବନ୍ଧ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial