ନୂଆଦିଲ୍ଲୀ: ମୁଁ ଏ ଜନ୍ମରେ ଦେଶର ଜଣେ ସୈନିକ ହୋଇପାରିଲି ନାହିଁ, ଆର ଜନ୍ମରେ ମୁଁ ନିଶ୍ଚିତ ଭାବରେ ଜଣେ ସୈନିକ ହେବି। ସେନା ପରୀକ୍ଷାରେ ବିଫଳ ହେବା ପରେ ଜଣେ ଯୁବକ ଏପରି ଲେଖି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଘଟଣାଟି ଘଟିଛି ନୋଏଡାର ସେକ୍ଟର ୪୯ ପୁଲିସ ଷ୍ଟେସନ ଅଞ୍ଚଳର ବାରୁଲା ଗ୍ରାମରେ। ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ସହ ପୁଲିସ ଯୁବକଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଅଲିଗଡର ବାସିନ୍ଦା ହରି ସିଂ ଘର ଚଳାଇବା ପାଇଁ ନୋଏଡାର ବାରୁଲା ଗ୍ରାମରେ ପରିବାର ସହିତ ରହୁଥିଲେ। ବାପାଙ୍କୁ ବହୁ କଷ୍ଟରେ ପରିବାର ଚଳାଉଥିବା ଦେଖି ହରି ସିଂଙ୍କ ପୁଅ ଦୀପୁ ଭାରତୀୟ ସେନାରେ ଯୋଗ ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ପରିବାରର ସମର୍ଥନ ସହ ସେନାବାହିନୀରେ ଯୋଗଦେବା ପାଇଁ ଦୀପୁ ଅନେକ ବର୍ଷ ହେଲା ନିଜକୁ ପ୍ରସ୍ତୁତ କରୁଥିଲେ। କଷ୍ଟ କରି ପାଠ ପଢ଼ିବା ସହ କିଛି ଦିନ ତଳେ ସେ ଅଗ୍ନିବୀର ପରୀକ୍ଷା ଦେଇଥିଲେ, ଯେଉଁଥିରେ ତାଙ୍କୁ ସଫଳତା ମିଳିନଥିଲା। ଅସଫଳ ହେବା ପରେ ନିରାଶ ହୋଇ ଶେଷରେ ଦୀପୁ ଆତ୍ମହତ୍ୟାକୁ ବାଛି ନେଇଥିଲେ। ଆତ୍ମହତ୍ୟା ପୂର୍ବରୁ ଦୀପୁ ଏକ ସୁଇସାଇଡ ନୋଟ ଲେଖିଥିଲେ, ସେଥିରେ ଲେଖାଥିଲା ଯେ ମୁଁ ଏ ଜନ୍ମରେ ଦେଶର ଜଣେ ସୈନିକ ହୋଇପାରିଲି ନାହିଁ, ଆର ଜନ୍ମରେ ମୁଁ ନିଶ୍ଚିତ ଭାବରେ ସଫଳ ହେବି। ୪ବର୍ଷ ପରିଶ୍ରମ କରିଥିଲେ ମଧ୍ୟ କିଛି ହାସଲ କରିପାରିଲି ନାହିଁ, ପିତାମାତାଙ୍କ ପାଇଁ କିଛି କରିପାରିଲି ନାହିଁ, ସେଥିପାଇଁ ମୁଁ ଆତ୍ମହତ୍ୟା କରୁଛି।
ଏ ଜନ୍ମରେ ଦେଶର ସୈନିକ ହୋଇପାରିଲି ନାହିଁ, ଆର ଜନ୍ମରେ ନିଶ୍ଚିତ ହେବି : ଏଭଳି ଲେଖି ଜୀବନ ହାରିଲେ ଯୁବକ
Share Now: