ଇଷ୍ଟ୍ ଇଣ୍ଡିଆ କମ୍ପାନିର ମାଲିକ ଏବେ ଜଣେ ଭାରତୀୟ

ଇଷ୍ଟ୍ ଇଣ୍ଡିଆ କମ୍ପାନି

ଦିନଥିଲା ଭାରତକୁ ଶାସନ କରୁଥିଲା ଏହି କମ୍ପାନି

‌ନୂଆଦିଲ୍ଲୀ : ଏବେ ଚାଲିଛି ଅଗଷ୍ଟ ମାସ। ଆଉ ୧୫ ତାରିଖରେ ସାରା ଦେଶରେ ପାଳନ ହେବ ସ୍ୱାଧୀନତା ଦିବସ। ଏହି ଦିବସ ଆମ ସ୍ୱାଧୀନତା ସଂଗ୍ରାମର ଘଟଣାବଳି ମନେ ପକାଇଦିଏ। ଭାରତର ପରାଧୀନତା କଥା ଉଠିଲେ ଇଷ୍ଟ୍ ଇଣ୍ଡିଆ କମ୍ପାନି କଥା ସାମ୍ନାକୁ ଆସେ, ଯେଉଁ କମ୍ପାନି ବ୍ୟବସାୟ କରିବାକୁ ଆସି ତତ୍କାଳୀନ ଶାସକଙ୍କ ଦୁର୍ବଳତା ହେତୁ କ୍ଷମତା ମାଡ଼ିବସିଥିଲା। ପ୍ରାୟ ୨୫୦ ବର୍ଷ ପାଇଁ ଏହି କମ୍ପାନି ଭାରତରେ ନିଜ ଆଧିପତ୍ୟ ଜାହିର କରିଥିଲା। କିନ୍ତୁ ଏବେ ସମୟର ଚକ ସଂପୂର୍ଣ୍ଣ ଘୂରିଯାଇଛି । ସଂପ୍ରତି ଜଣେ ଭାରତୀୟ ଏହି କମ୍ପାନିର ମାଲିକ। ୨୦୧୦ରେ ଭାରତୀୟ ବ୍ୟବସାୟୀ ସଂଜୀବ ମେହେତା ଇଷ୍ଟ୍ ଇଣ୍ଡିଆ କମ୍ପାନିକୁ ୧୨୦ କୋଟି ଟଙ୍କା ବିନିମୟରେ କିଣିଥିଲେ। ତେବେ ତାହାର ୫ ବର୍ଷ ପୂର୍ବରୁ ଅର୍ଥାତ ୨୦୦୫ରେ ସେ ଏହି କମ୍ପାନିର ବରିଷ୍ଠ ଅଂଶଧନ କିଣିସାରିଥିଲେ। ଏବେ ଏହି କମ୍ପାନି ଇ-କମର୍ସ ବ୍ୟବସାୟରେ ସକ୍ରିୟ ରହିଛି।
ଇଷ୍ଟ ଇଣ୍ଡିଆ କମ୍ପାନିକୁ ଥୋମାସ ରୋ ଭାରତରେ ବାଣିଜ୍ୟ ଅଧିକାର ପ୍ରଦାନ କରିଥିଲେ, ଯାହାକୁ ତତ୍କାଳୀନ ମୋଗଲ ସମ୍ରାଟ ଜାହାଙ୍ଗୀର ଅନୁମୋଦନ କରିଥିଲେ। ୧୬୦୮ ଖ୍ରୀଷ୍ଟାବ୍ଦରେ କମ୍ପାନିର ଜାହାଜ ଗୁଡ଼ିକ ସୁରଟରେ ଲଙ୍ଗର କରିଥିଲେ। କମ୍ପାନି ୧୬୧୧ ମସିହାରେ ଆନ୍ଧ୍ରପ୍ରଦେଶର ମଛଲିପଟ୍ଟନମରେ ନିଜର ପ୍ରଥମ କାରଖାନା ସ୍ଥାପନ କରିଥିଲା। କିଛି ବର୍ଷ ମଧ୍ୟରେ କମ୍ପାନି କୋଲକାତା (ତତ୍କାଳୀନ କଲିକତା), ସୁରଟ ସମେତ ଅନେକ ସହରରେ ବାଣିଜ୍ୟିକ କୋଠି ସ୍ଥାପନ କରିଥିଲା। ଧୀରେ ଧୀରେ କମ୍ପାନି ବ୍ୟବସାୟ ଛାଡି ଶାସନ କରିବା ଆରମ୍ଭ କଲା। ଇଷ୍ଟ ଇଣ୍ଡିଆ କମ୍ପାନି ଏହି ଯୁଦ୍ଧରେ ଫ୍ରାନ୍ସ ଓ ପର୍ତ୍ତୁଗାଲର କମ୍ପାନିକୁ ପରାସ୍ତ କରିଥିଲା। ସବୁଠାରୁ ନିର୍ଣ୍ଣାୟକ ଥିଲା ୧୭୬୪ର ବକ୍ସର ଯୁଦ୍ଧ, ଯାହା ଭାରତରେ ଇଷ୍ଟ୍ ଇଣ୍ଡିଆ କମ୍ପାନିର ରାଜତ୍ବକୁକୁ ମଜଭୁତ କରିଥିଲା। ୧୮୫୭ ପର୍ଯ୍ୟନ୍ତ ଏହି କମ୍ପାନି ଭାରତରେ ଶାସନ ଜାରି ରଖିଥିଲା, କିନ୍ତୁ ସେହି ବର୍ଷ ବିପ୍ଳବ ପରେ ବ୍ରିଟିଶ ରାଜ ପରିବାର କମ୍ପାନି ହାତରୁ ଭାରତର ଶାସନ ଭାର ଗ୍ରହଣ କରିଥିଲେ। ପରେ ୧୮୭୪ରେ ଉକ୍ତ କମ୍ପାନିକୁ ଭାଙ୍ଗି ଦେଇଥିଲେ। ତେବେ ୧୯୮୦ ଦଶକରେ କେତେକ ବ୍ରିଟିଶ ବ୍ୟବସାୟୀ ବ୍ରିଟେନ ସରକାରଙ୍କଠାରୁ ପୁରୁଣା ଇଷ୍ଟ ଇଣ୍ଡିଆ କମ୍ପାନିର ମୂଳ ନାମ, ଲୋଗୋ, ସମ୍ପତ୍ତି ଓ ଆଉ କେତେକ ଟ୍ରେଡମାର୍କ ବ୍ୟବହାର କରିବାକୁ ଅନୁମତି ପାଇଲେ। ପରେ ୨୦୧୦ରେ ସଂଜୀବ ତାହାକୁ କିଣିଥିଲେ।

Share Now:

Kalinga News Beuro

Next Post

ଚନ୍ଦ୍ରର କକ୍ଷପଥରେ ଚନ୍ଦ୍ରଯାନ-୩ : ଇସ୍ରୋ

Sat Aug 5 , 2023
ଶ୍ରୀହରିକୋଟା: ଭାରତର ଚନ୍ଦ୍ର ଅଭିଯାନ ଚନ୍ଦ୍ରଯାନ-୩କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ। ଚନ୍ଦ୍ରଯାନ ଶନିବାର ସଂଧ୍ୟା (ଅଗଷ୍ଟ ୫ ସଂଧ୍ୟା ୭ଟା)ରେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଛି। ଏହାକୁ ଏକ ବଡ଼ ସଫଳତା ଭାବେ ବିଚାର କରାଯାଉଛି, କାରଣ ମିସନ ପାଇଁ ଏହା ଏକ କଷ୍ଟକର ସୋପାନ ଥିଲା। ଇସ୍ରା ପକ୍ଷରୁ ବେଙ୍ଗାଲୁରୁ ସ୍ଥିତ ଇସ୍ରୋ ଟେଲିମେଟ୍ରି, ଟ୍ରାକିଂ ଏଣ୍ଡ […]
ଚନ୍ଦ୍ରର କକ୍ଷପଥରେ ପ୍ରବେଶ କଲା ଚନ୍ଦ୍ରଯାନ-୩

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial