ସୂର୍ଯ୍ୟମୁଖୀ ଚାଷକୁ ମୁହଁ ମୋଡ଼ୁଛନ୍ତି ଚାଷୀ : ମିଳୁନି ସରକାରୀ ପ୍ରୋତ୍ସାହନ

ସୂର୍ଯ୍ୟମୁଖୀ

ଗରଦପୁର: ତାଲିମ ଓ ପ୍ରୋତ୍ସାହନର ଅଭାବରୁ ଅର୍ଥକରୀ ଫସଲ ଭାବେ ଗଣାଯାଉଥିବା ସୂର୍ଯ୍ୟମୁଖୀ ଚାଷ ବୁଡ଼ିବାକୁ ବସିଛି। ପ୍ରୋତ୍ସାହନ ଅଭାବରୁ ଏହି ଚାଷ ପ୍ରତି ଚାଷୀମାନେ ମୁହଁ ମୋଡ଼ୁଛନ୍ତି। ସେମାନଙ୍କ ଆଗ୍ରହ କମିବା‌ରେ ଲାଗିଛି। ରବି ଫସଲ ସମୟରେ ହେଉଥିବା ଏହି ଚାଷକୁ ଯୋଜନାବଦ୍ଧ ଭାବେ କୃଷି ବିଭାଗ ପକ୍ଷରୁ ପ୍ରୋତ୍ସାହିତ କରାଗଲେ ଚାଷୀଙ୍କ ଅର୍ଥନୀତି ସୁଦୃଢ ହୋଇ ପାରନ୍ତା ବୋଲି ମତ ପ୍ରକାଶ ପାଇଛି। ଗରଦପୁର ବ୍ଳକ୍ ବେଡାରୀ ପଂଚାୟତର ଦଳୁଆଣୀ ଗ୍ରାମର ଚାଷୀ ପବିତ୍ର କୁମାର ଜେନା(୫୨) ୪ ଗୁଣ୍ଠ ଜମିରେ ନିଜ ଘର ଖର୍ଚ୍ଚ କରିବା ପାଇଁ ସୂର୍ଯ୍ୟମୁଖୀ ଚାଷ କରିଛନ୍ତି। ବ୍ଲକ୍ କୃଷି ବିଭାଗରୁ ମଞ୍ଜି ନ ମିଳିବାରୁ ସେ ବାହାର ବଜାରରୁ ସୂର୍ଯ୍ୟମୁଖୀ ମଞ୍ଜି କିଲୋ ୨ହଜାର ଟଙ୍କା ମୂଲ୍ୟରେ କ୍ରୟ କରି ଚାଷ କରିଛନ୍ତି। ଏବେ ସୂର୍ଯ୍ୟମୁଖୀ ଗଛରେ ଫୁଲ ଓ ଫଳ ଧରିବା ଆରମ୍ଭ କରିଛି। ମାତ୍ର କେତେକ ଗଛରେ ରୋଗପୋକ ଆକ୍ରମଣ କରୁଥିବାରୁ ଗଛଗୁଡିକ ପ୍ରଥମେ ଝାଉଁଳି ପଡି ଦୁଇ ଚାରି ଦିନ ପରେ ମରିଯାଉଥିବା ଦେଖାଯାଇଛି। ଗଛରେ ହୋଇଥିବା ଫୁଲଗୁଡିକ ମଧ୍ୟ ଶୁଖିଯାଉଛି।
ଏପରିସ୍ଥଳେ କୃଷି ବିଷେଶଜ୍ଞମାନଙ୍କ ପରାମର୍ଶ ମିଳିପାରୁ ନାହିଁ। କୃଷି ବିଭାଗର ସହଯୋଗ ମିଳି ପାରୁ ନ ଥିବାରୁ ଅଂଚଳର ଅଭିଜ୍ଞ ଚାଷୀ ଓ ସାର ବ୍ୟବସାୟୀମାନଙ୍କଠାରୁ ପରାମର୍ଶ ଗ୍ରହଣ କରି ଜମିରେ ରସାୟନିକ ସାର ପ୍ରୟୋଗ ଓ କୀଟନାଶକ ଔଷଧ ପ୍ରୟୋଗ କରୁଥିବା ପବିତ୍ର କହିଛନ୍ତି। ସୂର୍ଯ୍ୟମୁଖୀ ଫଳ ଗୁଣ୍ଠ ପିଛା ୨୦କିଲୋ ଅମଳ ହେଉଥିବା ଓ ଏହି ତେଲରେ ତାଙ୍କର ପରିବାର ଚଳାଇ ପାରୁଥିବା ସମ୍ପର୍କରେ ପବିତ୍ର ସୂଚନା ଦେଇଛନ୍ତି। ଏପରିସ୍ଥଳେ ସୂର୍ଯ୍ୟମୁଖୀ ଚାଷ କରିବା ପାଇଁ ଚାଷୀମାନଙ୍କୁ ଆବଶ୍ୟକ କୃଷି ପରାମର୍ଶ ଯୋଗାଇ ଦେବା ପାଇଁ ଗ୍ରାମର ଚାଷୀ ନୀଳମଣି ଜେନା, ପ୍ରଶାନ୍ତ କୁମାର ଜେନା, କ୍ଷେତ୍ରବାସୀ ବେହେରା ଓ ବିଚିତ୍ର କୁମାର ଜେନା ପ୍ରମୁଖ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି। ତେଲ ଅଭାବର ମୁକାବିଲା କରିବା ପାଇଁ ସୂର୍ଯ୍ୟମୁଖୀ ଚାଷକୁ ଗୁରୁତ୍ବ ଦିଆଯିବା ସହିତ ସରକାରୀ ପ୍ରୋତ୍ସାହନ ଯୋଗାଇ ଦିଆଯିବା ଆବଶ୍ୟକ ବୋଲି ଅଞ୍ଚଳର ବୁଦ୍ଧିଜିବୀମାନେ ମତ ପ୍ରକାଶ କରିଛନ୍ତି। ପାଟକୁରା ଅଞ୍ଚଳରେ ମାଟି ପାଣି ଓ ପବନ ସୂର୍ଯ୍ୟମୁଖୀ ଚାଷ ପାଇଁ ଅନୁକୂଳ ରହିଥିବାବେଳେ ତାଲିମ ଓ ସରକାରୀ ପ୍ରୋତ୍ସାହନ ମିଳିଲେ ଅଧିକରୁ ଅଧିକ ଚାଷୀ ଏହି ଚାଷ କରବାକୁ ମନ ବଳାନ୍ତେ ବୋଲି ବରିଷ୍ଠ ଚାଷୀ ପ୍ରସାଦ ମହାନ୍ତି ଓ ନୃସିଂହ ଚରଣ ସାମଲ ପ୍ରମୁଖ କହିଛନ୍ତି। ପ୍ରକାଶ ଯେ, ଗତ ୨୦୧୫ ମସିହାରେ ଗରଦପୁର ବ୍ଳକ୍‌ର ୪ଟି ପଞ୍ଚାୟତରେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୩୦ହେକ୍ଟର ଜମିରେ ପରୀକ୍ଷାମୂଳକ ଭାବରେ ସୂର୍ଯ୍ୟମୁଖୀ ଚାଷ କରାଯାଇଥିଲା। ଅମଳ ମଧ୍ୟ ଭଲ ହୋଇଥିବା ସମ୍ପର୍କରେ କୃଷି ବିଭାଗ କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି। ତେବେ ଆବଶ୍ୟକ ବଜାରର ଅଭାବ ଏହି ଚଷ ପାଇଁ ବିତୃଷ୍ଣାଭାବ ସୃଷ୍ଟି କରିଥିବା କେତେକ ଚାଷୀମାନେ ମତ ପ୍ରକାଶ କରିଛନ୍ତି।

Share Now:

Kalinga News Beuro

Next Post

ଦୁଃଖ ଦେଉଛି ଦୟାୱେଷ୍ଟ କେନାଲ

Sun Mar 19 , 2023
ପୁରୁଣା ଭୁବନେଶ୍ବର: ବିଏମ୍‌ସିର ୫୯ ନମ୍ବର ୱାର୍ଡ ପୁରୁଣା ଭୁବନେଶ୍ବରର ଏକ ପ୍ରମୁଖ ଅଞ୍ଚଳ। ଶ୍ରୀଲିଙ୍ଗରାଜ ମନ୍ଦିର, କପିଳେଶ୍ବର, ବିନ୍ଦୁସାଗର, ମୁକ୍ତେଶ୍ବର ମନ୍ଦିର ଭଳି ବିଶ୍ବ ପ୍ରସିଦ୍ଧ ଐତିହ୍ୟସ୍ଥଳ ଥିବା ଏହି ୱାର୍ଡ କେବଳ ରାଜ୍ୟ ନୁହେଁ, ଭାରତବର୍ଷର ଅନ୍ୟତମ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର। ପ୍ରତିଦିନ ଏଠାକୁ ରାଜ୍ୟ ଓ ରାଜ୍ୟ ବାହାରୁ ଶହଶହ ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ଼ ଜମେ। ତେଣୁ ଏହି ଅଞ୍ଚଳର ବିକାଶ ସବୁବେଳେ ଓଡ଼ିଶାର ରାଜଧାନୀ […]
ଦୁଃଖ ଦେଉଛି ଦୟାୱେଷ୍ଟ କେନାଲ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial